Home General ଆରଏମସି ସୀମା ବାହାରେ ଟିକସ ମନା

ଆରଏମସି ସୀମା ବାହାରେ ଟିକସ ମନା

ଭୁବନେଶ୍ୱର : କୁକୁଡା ପରିବହନ କରୁଥିବା ଯାନଗୁଡିକରୁ ନିୟମ ଅନୁଯାୟୀ କେବଳ ଆରଏମସି ସୀମା ପରିସରରେ ଟିକସ ଆଦାୟ କରାଯିବ । ଏହା ବାହାରେ କୁକୁଡା ପରିବହନ ଯାନଠାରୁ ଅର୍ଥ ଆଦାୟ ନକରିବାକୁ ଓଡିଶା କୃଷି ବିପ୍ପଣନ ବୋର୍ଡ ପକ୍ଷରୁ ଆରଏମସି ସମ୍ପାଦକମାନଙ୍କୁ ପତ୍ରଲେଖି ଅବଗତ କରାଯାଇଛି ।

ରାଜ୍ୟରୁ ଉତ୍ପାଦିତ କୁକୁଡାକୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ପରିବହନ କରୁଥିବା ବ୍ୟବସାୟୀମାନେ ରାସ୍ତାଘାଟରେ ଆରଏମସି ଜୁଲମର ଶିକାର ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ । ବିଶେଷକରି ରାଜପଥରେ କୁକୁଡା ପରିବହନଗାଡିକୁ ଅଟକାଇ ଆରଏମସି କର୍ତ୍ତୃପକ୍ଷ ଟିକସ ଆଦାୟ କରିବା ଓ ଧମକ ଚମକ ଦେବା ଉଲ୍ଲେଖ କରିଥିଲେ । ଏହାକୁ ନେଇ ସେମାନେ ବିଭାଗୀୟ ମନ୍ତ୍ରୀ ଓ କୃଷି ବିପ୍ପଣନ ପରିଷଦର ନିର୍ଦ୍ଦେଶକଙ୍କୁ ଭେଟି ଜଣାଇଥିଲେ । ଏ ନେଇ ବିଧାନସଭାରେ ପ୍ରଶ୍ନ ମଧ୍ୟ ଉଠିଥିଲା ।

ତେବେ ନିକଟରେ ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ ସମସ୍ତ ଆରଏମ୍‍ସି ସମ୍ପାଦକମାନଙ୍କୁ ପତ୍ରଲେଖି କେବଳ ଆରଏମସି ପରିସରରେ କୁକୁଡା ବ୍ୟବସାୟୀ ଓ ପରିବହନ ଯାନଠାରୁ ଟିକସ ଆଦାୟ କରାଯିବ ବୋଲି ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଟିକସ ଆଦାୟ ସମୟରେ କର୍ମଚାରୀମାନେ ନିଜର ପରିଚୟପତ୍ରକୁ ବେକରେ ପକାଇବା ପାଇଁ କୁହାଯାଇଛି । ଫଳରେ ଏଣିକି ଆଉ ଆରଏମସି ଠାରୁ ଦୂରରେ ଥିବା ରାଜପଥ ଓ ଅନ୍ୟାନ୍ୟ ସ୍ଥାନରୁ ଟିକସ ଆଦାୟ ହୋଇପାରିବନାହିଁ ବୋଲି ସ୍ପଷ୍ଟ ହୋଇଥିବା କୁକୁଡା ବ୍ୟବସାୟୀମାନେ କହିଛନ୍ତି ।

ଉଲ୍ଲେଖନୀୟ ଯେ ଓଡିଶା ଏବେ କୁକୁଡା ଚାଷରେ ଆତ୍ମନିର୍ଭରଶୀଳ ହୋଇଥିବାବେଳେ ପଡୋଶୀ ଛତିଶଗଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଦୈନିକ ଟ୍ରକ ଟ୍ରକ କୁକୁଡା ରପ୍ତାନି କରୁଛନ୍ତି । ତେବେ କୁକୁଡା ପରିବହନ କରୁଥିବା ଯାନଗୁଡିକ ରାସ୍ତାରେ ଆରଏମସି ଟିକସ ଆଦାୟପାଇଁ ଜୁଲମ ଯୋଗୁଁ ନିର୍ଦ୍ଧାରିତ ସ୍ଥାନରେ ବିଳମ୍ବରେ ପହଞ୍ଚିବାର ଅଭିଯୋଗ ହୋଇ ଆସୁଥିଲା । ବିଳମ୍ବରେ ପହଞ୍ଚିବା ଯୋଗୁଁ ଅନେକ ସମୟରେ ପଡୋଶୀ ରାଜ୍ୟର ବ୍ୟବସାୟୀମାନେ କୁକୁଡାର ଦର କମାଇବା ସହିତ ଗାଡି ଫେରାଇ ଦେବାକୁ ଧମକ ଦେଉଥିଲେ ।

ତେବେ ରାଜ୍ୟର କୁକୁଡା ବ୍ୟବସାୟୀମାନେ ବିଭିନ୍ନ ସ୍ତରରେ ଏହି ପ୍ରସଙ୍ଗ ଉଠାଇବାପରେ ଏବେ ଓସ୍‍ମା ବୋର୍ଡ ପକ୍ଷରୁ ଆରଏମସି ସମ୍ପାଦକମାନଙ୍କୁ ପତ୍ର ଲେଖାଯାଇ ସବୁକିଛି ସ୍ପଷ୍ଟ କରାଯାଇଛି । ଏହି ପତ୍ରର ନକଲ ଏବେ କୁକୁଡା ବ୍ୟବସାୟୀମାନେ ପରିବହନ ଯାନଚାଳକଙ୍କୁ ଧରାଉଥିବାବେଳେ ଏହାପରେ ଯଦି ପୁଣିଥରେ ଆରଏମସି ପରିସୀମା ବାହାରେ ଟିକସ ଆଦାୟର ଜୁଲମ ହୁଏ ତେବେ ଥାନାରେ ମାମଲା ରୁଜୁ ହେବ ବୋଲି ମତ ଦେଇଛନ୍ତି । (ତଥ୍ୟ)