ଭୁବନେଶ୍ୱର : ସଡକ ଦୁର୍ଘଟଣାକୁ ଏଡାଇବା ପାଇଁ କ୍ରୁଟ୍ କର୍ତ୍ତୃକକ୍ଷ ମୋ ବସ୍ର ବେଗ କମାଇବା ଏବେ ରାଜଧାନୀର ବସ୍ ଯାତ୍ରୀଙ୍କ ପାଇଁ ସମସ୍ୟା ହୋଇଛି । ବେଗ କମିବା ଯୋଗୁଁ ବସ୍ ଚଳାଚଳର ସମୟ ବଢିଛି । ଏଥିଯୋଗୁଁ କେବଳ ବସ୍ରେ ଭିଡ ହେଉନାହିଁ, ଲୋକେ ବି ଠିକଣା ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଁଚି ନପାରି ଅନ୍ୟ ପରିବହନରେ ଯିବାକୁ ବାଧ୍ୟ ହେଉଛନ୍ତି ।
ରାଜଧାନୀରେ କ୍ରୁଟ୍ କର୍ତ୍ତୃପକ୍ଷ ୭୦ଟି ରୁଟ୍ରେ ୩୭୧ଟି ବସ୍ ଚଳାଉଛନ୍ତି । ଏଥି ମଧ୍ୟରେ କୋଣାର୍କ, ପୁରୀ, କଟକ, ନିଆଳି ଆଦି ରୁଟ୍ ରହିଛି । ଏଥିଯୋଗୁଁ ସହର ଭିତରେ ଚଳାଚଳ କରୁଥିବା ବସ୍ ସଂଖ୍ୟା କମିଯାଉଛି । ତେବେ ନିକଟରେ ଘଟିଥିବା ଆମ୍ ବସ୍ ଦୁର୍ଘଟଣା ଓ ଏହାକୁ ନେଇ ଅଟୋ ଚାଳକଙ୍କ ଆନ୍ଦୋଳନ ପରେ କ୍ରୁଟ୍ କର୍ତ୍ତୃପକ୍ଷ ବସ୍ର ବେଗକୁ ସର୍ବାଧିକ ୪୦ କିଲୋମିଟର ବେଗ କରିଦେଇଛନ୍ତି ।
ଏଥିଯୋଗୁଁ ଯେଉଁ ରୁଟ୍ରେ ବ୍ୟବଧାନରେ ଗୋଟିଏ ମୋ ବସ୍ ମିଳିଯାଉଥିଲା ଏବେ ସେଠାରେ ଯାତ୍ରୀଙ୍କୁ ଅଧଘଣ୍ଟାରୁ ଅଧିକ ଅପେକ୍ଷା କରିବାକୁ ପଡୁଛି । ତେକେକ ସ୍ଥଳରେ ଯାତ୍ରୀମାନେ ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଏହା ଫଳରେ ବସ୍ ଭିତରେ ବସୁଥିବା ଯାତ୍ରୀଙ୍କ ସଂଖ୍ୟା ତୁଳନାରେ ଛିଡା ହେଉଥିବା ଯାତ୍ରୀଙ୍କ ସଂଖ୍ୟା ଅଧିକ ରହୁଛି ।
କର୍ତ୍ତୃପକ୍ଷଙ୍କ କଟକଣା ଯୋଗୁଁ ଫାଙ୍କା ରାସ୍ତା ପାଇଲେ ମଧ୍ୟ ଚାଳକମାନେ ଗାଡିକୁ ଜୋରରେ ଚଳାଇ ପାରୁ ନାହାନ୍ତି । ପୂର୍ବରୁ କଟକଣା ରହିଥିଲେ ମଧ୍ୟ ଫାଙ୍କା ରାସ୍ତାରେ ଚାଳକମାନେ ଟିକେ ଅଧିକ ବେଗରେ ଗାଡି ଚଳାଇ ସମୟ ଅପଚୟକୁ ରୋକି ପାରୁଥିଲେ । ଏବେ କିନ୍ତୁ ଆଉ ତାହା ହେଉନାହିଁ ।
ସହରରେ ବସ୍ ସଂଖ୍ୟାରେ ବୃଦ୍ଧି ନକରି ହଠାତ୍ ଏଭଳି ବେଗ ନିୟନ୍ତ୍ରଣ କଟକଣା ଏବେ ଆମ ବସ୍ ଯାତ୍ରୀଙ୍କ ପାଇଁ ସମସ୍ୟା ହୋଇଛି । ଗୋଟିଏ ପଟେ ବସ୍ ଭିତରେ ପ୍ରବଳ ଭିଡ ଓ ଅନ୍ୟ ପଟେ ଠିକଣା ସମୟରେ ନପହଞ୍ଚିବାର ଭୟ ଯୋଗୁଁ ସେମାନେ ଏବେ ଆମ ବସ୍ ତୁଳନାରେ ଅନ୍ୟ ପରିବହନକୁ ଆପଣେଇବାରେ ଲାଗୁଛନ୍ତି ।
ଉଲ୍ଲେଖନୀୟ ଯେ ଆମ ବସ୍ରେ ସରକାର ମହିଳା, ଛାତ୍ରଛାତ୍ରୀ, ବୟସ୍କମାନଙ୍କ୍ ପାଇଁ ସରକାର ରିହାତି ବ୍ୟବସ୍ଥା ଲାଗୁ କରିଥିବାରୁ ଦିନକୁ ଦିନ ବସ୍ ଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଦିନକୁ ହାରାହାରି ୨ଲକ୍ଷ ୬୫ହଜାର ଯାତ୍ରୀ ଆମ ବସ୍ରେ ଯାତ୍ରା କରୁଛନ୍ତି । ଏହାଦ୍ୱାରା କେବଳ ଲୋକଙ୍କର ଅର୍ଥ ସଞ୍ଚୟ ହେଉନଥିଲା, ରାଜଧାନୀରେ ପ୍ରଦୂଷଣ ହ୍ରାସ ପାଇବା ସହିତ ରାସ୍ତାରେ ଭିଡ ବି ହ୍ରାସ ପାଇଥିଲା । ହେଲେ ଦୁର୍ଘଟଣା ରୋକିବାପାଇଁ ହଠାତ୍ ସରକାରଙ୍କର ଏଭଳି ପଦକ୍ଷେପ ଏବେ ରାଜଧାନୀର ପରିବହନ ବ୍ୟବସ୍ଥାର ସୁଗମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ଖୁବ୍ଶୀଘ୍ର ନିଷ୍ପତ୍ତିରେ ସଂଶୋଧନ କିମ୍ବା ବସ୍ ସଂଖ୍ୟା ବୃଦ୍ଧି ନକଲେ ପୂର୍ବବସ୍ଥା ସୃଷ୍ଟି ହେବବୋଲି ଭିଡରେ ନୟାନ୍ତ ହେଉଥିବା ଯାତ୍ରୀମାନେ ମତ ଦେଉଛନ୍ତି । (ତଥ୍ୟ)

