ଭୁବନେଶ୍ୱର : ଗୁରୁତର ରୋଗୀଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ଆମ୍ବୁଲାନ୍ସଗୁଡିକୁ ସହର ଭିତରେ ସହଜରେ ବାଟ ମିଳୁନି । ଦିନବେଳା କୌଣସି ପ୍ରକାରେ ଆମ୍ବୁଲାନ୍ସ ଗଡୁଥିବାବେଳେ ସଂଧ୍ୟା ସମୟରେ ସହରର ବହୁ ସ୍ଥାନରେ ଅଟକି ରହୁଛି ।
କ୍ୟାପିଟାଲ ହସ୍ପିଟାଲ ଉପରେ ଏବେ ପୁରୀ, ନୟାଗଡ, ଖୋର୍ଦ୍ଧା ଆଦି ଜିଲ୍ଲାର ଗୁରୁତର ରୋଗୀମାନେ ନିର୍ଭର କରୁଛନ୍ତି । ବିଶେଷକରି ଏଠାରେ ପିଜି ଇନ୍ଷ୍ଟିଟ୍ୟୁଟ ଖୋଲିବା ପରେ ବିଶେଷଜ୍ଞ ଡାକ୍ତରମାନଙ୍କ ଉପସ୍ଥିତି ରୋଗୀ ସଂଖ୍ୟାରେ ବୃଦ୍ଧି କରିଛି । ପ୍ରତିଦିନ ଶହ ଶହ ରୋଗୀ ବିଭିନ୍ନ ସ୍ଥାନରୁ ରେଫର ହୋଇ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ।
ପୁରୀ ପଟୁ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସଗୁଡିକ ରବି ଟକିଜ ଛକରୁ ରାଜପଥ ଛାଡି ସହର ଭିତରେ ପ୍ରବେଶ କରୁଛନ୍ତି । ତେବେ ସଂଧ୍ୟା ସମୟରେ ମାଉସୀମା ଛକ ଓ ଏଠାରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଅତିକ୍ରମ କରିବା କଷ୍ଟକର ହୋପଡୁଛି । ଗାଡିମୋଟର ଜାମ୍ ଯୋଗୁଁ ଏକାଧିକ ଆମ୍ବୁଲାନ୍ସ ରାସ୍ତା ଉପରେ ସାଇରନ୍ ମାରି ଅଟକି ରହୁଛନ୍ତି । ଅବସ୍ଥା ଏଭଳି ହେଉଛି ଯେ ଟ୍ରାଫିକ ପୁଲିସ୍ ଚାହିଁଲେ ବି ସ୍ଥାନାଭାବରୁ ଗାଡିମୋଟରକୁ ହଟାଇ ପାରୁ ନାହାନ୍ତି ।
ସେହିଭଳି ପୁରୀ କିମ୍ବା ସେହି ପଟରୁ ଆସୁଥିବା ଆମ୍ବୁଲାନ୍ସ ଯଦି କଳ୍ପନାରୁ ରାଜମହଲ-ଏଜି ଛକ ଦେଇ କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି ତେବେ ସେମାନେ ବି ଏକ ନମ୍ବର ହାଟ ରାସ୍ତାରେ ଗହଳିରେ ଫସି ଯାଉଛନ୍ତି । ଏହି ରାସ୍ତାର ଗୋଟିଏ ପାଶ୍ୱର୍କୁ ବିଏମ୍ସି ଦଖଲ କରି ଗାଡି ଷ୍ଟାଣ୍ଡ କରିଥିବାରୁ ଏଠାରେ ଅପରାହ୍ନରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରାସ୍ତା ଉପରେ ଶହ ଶହ ଗାଡି ମୋଟର ଛିଡା ହୋଇ ଗହଳି କରୁଛନ୍ତି । ତେଣୁ ଏହି ବାଟ ଦେଇ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇପଡୁଛି ।
ସେହିଭଳି ଖୋରଧା ପଟୁ ଆସୁଥିବା ଆମ୍ବଲାନ୍ସଗୁଡିକ ଖଣ୍ଡଗିରି ଛକ କିମ୍ବା ଫାୟାରଷ୍ଟେସନ ଛକରୁ ରାଜପଥ ଛାଡି ସହର ଭିତରେ ପ୍ରବେଶ କରୁଛନ୍ତି । ଏଠାରେ ମଧ୍ୟ ସଂଧ୍ୟା ସମୟରେ ଅନୁରୂପ ଅବସ୍ଥା । ଟ୍ରାଫିକରେ ଶହ ଶହ ଗାଡିମୋଟର ଛିଡାହୋଇ ରହୁଥିବାରୁ ଆମ୍ବୁଲାନ୍ସ ସହଜରେ ଯାଇପାରୁ ନାହିଁ । ସାଇରନ୍ ମାରିଲେ ମଧ୍ୟ ଲୋକେ ବାଟ ଛାଡିବାକୁ ନାରାଜ । ଓୟୁଏଟି ଛକରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତାଟି ଏବେ ସଂଧ୍ୟା ସମୟରେ ଗାଡିମୋଟରର ପାର୍କିଂ ସ୍ଥଳ ପାଲଟିଛି । ରାସ୍ତାର ଦୁଇପଟେ ଏକାଧିକ ଡାକ୍ତରଖାନା ଓ ବ୍ୟବସାୟିକ କେନ୍ଦ୍ର ଥିବାବେଳେ ଏଠାରେ ପାର୍କିଂ ସ୍ଥାନ ନାହିଁ । ତେଣୁ ସମସ୍ତେ ପ୍ରାୟ ରାସ୍ତା ଉପରେ ଗାଡି ରଖିଦେଉଛନ୍ତି ।
ଏହାବାଦ୍ ସହରର ଭିତରୁ ବିଭିନ୍ନ ସ୍ଥାନରୁ ଆସୁଥିବା ଆମ୍ବୁଲାନ୍ସଗୁଡିକ ବି ସଂଧ୍ୟା ସମୟରେ ଯା’ ଆସ କରିବାରେ ସମସ୍ୟାରେ ପଡୁଛନ୍ତି । ତେଣୁ କେତେକ ଆମ୍ବୁଲାନ୍ସ ଗାଡିଚାଳକ ବାଧ୍ୟହୋଇ ସହରର ବିଭିନ୍ନ ଗଳି କନ୍ଦିରେ ପଶି ଡାକ୍ତରଖାନାରେ ପହଞ୍ଚୁଥିବା ଲକ୍ଷ୍ୟ କରାଯାଉଛି ।
କୌଣସି ପରିସ୍ଥିତିରେ ଆମ୍ବୁଲାନ୍ସକୁ ରାସ୍ତାରେ ଅଟକା ଯିବନାହିଁ ବୋଲି ସରକାର କଡା ନିର୍ଦ୍ଦେଶ ଦେଇଥିବାବେଳେ ଖୋଦ ରାଜଧାନୀରେ ଟ୍ରାଫିକ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସଗୁଡିକ ଅଟକି ରହୁଛନ୍ତି । ସଂଧ୍ୟା ସମୟରେ ଏହି ସମସ୍ୟା ଉତ୍କଟ ହେଉଛି । କ୍ୟାପିଟାଲ ହସ୍ପିଟାଲକୁ ଏବେ ଗୁରୁତର ରୋଗୀଙ୍କ ସଂଖ୍ୟା ସହିତ ଆମ୍ବୁଲାନ୍ସ ଚଳାଚଳ ସଂଖ୍ୟା ବଢୁଥିବାରୁ ସଂଧ୍ୟା ସମୟରେ ଯେଭଳି ଏହା ସୁରୁଖୁରୁରେ ଯା’ ଆସ କରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଏବେ ମତପ୍ରକାଶ ପାଉଛି । (ତଥ୍ୟ)