Home General ଆବାସ ଯୋଜନାରେ ମିଳିଛି ୬୮୯୨ କୋଟି

ଆବାସ ଯୋଜନାରେ ମିଳିଛି ୬୮୯୨ କୋଟି

ଭୁବନେଶ୍ୱର : ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ପାଇଁ ପକ୍କାଘର ନିର୍ମାଣ ସକାଶେ କେନ୍ଦ୍ର ସରକାର ଗତ ତିନି ବର୍ଷ ମଧ୍ୟରେ ଓଡିଶାକୁ ୬୮୯୨.୧୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ସ୍ୱାଧି ନିରଞ୍ଜନା ଜ୍ୟୋତି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର ୨୦୧୯-୨୦ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା -ଗ୍ରାଣୀଣ (ପିଏମଏୱାଇ-ଜି)ରେ ଓଡିଶାକୁ ୬୦୩୧.୦୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅନୁରୂପ ଭାବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା -ସହରୀ (ପିଏମଏୱାଇ-ୟୁ)ରେ ୮୬୧.୧୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଦୁଇ କେନ୍ଦ୍ରୀୟ ଯୋଜନା ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ।

୨୦୧୯-୨୦ ବର୍ଷରେ ପିଏମଏୱାଇ-ଜି ଅଧିନରେ କେନ୍ଦ୍ର ସରକାର ଓଡିଶାକୁ ୨୧୯୭.୩୩ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୨୮୨୧.୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୨୧-୨୨ ବର୍ଷରେ କେନ୍ଦ୍ର ସରକାର ଏହି ଯୋଜନାରେ ଦେଉଥିବା ଅର୍ଥକୁ ଆକସ୍ମିକ ଭାବେ ୧୦୧୧.୮୭ କୋଟି ଟଙ୍କାକୁ ହ୍ରାସ କରିଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ୨୦୧୯-୨୦ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ପିଏମଏୱାଇ-ୟୁରେ ଓଡିଶାକୁ ଯଥାକ୍ରମେ ୨୭୪.୬୦ କୋଟି, ୨୯୫.୫୨କୋଟି ଏବଂ ୨୯୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ସେହିଭଳି ସାଂସଦ ବସନ୍ତ ପଣ୍ଡା ଏବଂ ସାଂସଦ ଚନ୍ଦ୍ରାଣି ମୁର୍ମୁ ପଚାରିଥିବା ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ପିଏମଏୱାଇ-ଜି ଯୋଜନା ଅଧିନରେ ଓଡିଶାରେ ୮,୫୩,୪୩୬ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ଯୋଜନାରେ ୨୦୧୯-୨୦ ବର୍ଷରେ ମୋଟ୍‌ ୫୪୬୦.୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଂଶ ରହିଛି । ସେହିଭଳି ୨୦୨୦-୨୧ ରେ ୪୫୫୬.୪୬ କୋଟି ଟଙ୍କା ଏବଂ ୨୦୨୧-୨୨ ବର୍ଷରେ ୧୧୨୨.୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ସାଢେ ତିନି ମାସ ଥିବାବେଳେ ପିଏମଏୱାଇ-ଜି ଯୋଜନାରେ କେନ୍ଦ୍ର ସରକାର ଓଡିଶାକୁ କୌଣସି ଅର୍ଥ ମଞ୍ଜୁର କରିନାହାନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୨୩୫.୭୬ କୋଟି ଟଙ୍କା ବ୍ୟୟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଭିଡ-୧୯ ଜନିତ କଟକଣା ଯୋଗୁଁ ଘର ନିର୍ମାଣରେ ବିଳମ୍ବ ହୋଇଛି । ସେହିଭଳି ଘର ପାଇଁ ଭୂମିହୀନମାନଙ୍କୁ ଜମି ଯୋଗାଇବା, ହିତାଧିକାରୀମାନଙ୍କର ଅନିଚ୍ଛା, ନିର୍ମାଣ ସାମଗ୍ରୀ ଉପଲବ୍ଧ ନହେବା ସହିତ ବିଭିନ୍ନ ପ୍ରକାର ନିର୍ବାଚନ ଯୋଗୁଁ ଘର ତିଆରି ମନ୍ଥର ହେଉଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)