Home General ଆବାସ ପୋର୍ଟାଲ ଖୋଲିବାକୁ କେନ୍ଦ୍ର ଅନାଗ୍ରହୀ

ଆବାସ ପୋର୍ଟାଲ ଖୋଲିବାକୁ କେନ୍ଦ୍ର ଅନାଗ୍ରହୀ

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏୱାଇ-ଜି) ଅଧିନରେ ତାଲିକାଭୁକ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଆୱାସ++ ପୋର୍ଟାଲ ଖୋଲିବାକୁ ରାଜ୍ୟ ସରକାର ବାରମ୍ବାର ଅନୁରୋଧ କରୁଥିବାବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ଖୋଲିବା ପାଇଁ ଆଗ୍ରହୀ ନୁହନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ୱାଧୀନ ନିରଞ୍ଜନା ଜ୍ୟୋତି ରାଜ୍ୟ ସଭାରେ ଆଜି ଦେଇଥିବା ଏକ ଉତ୍ତରରୁ ଏହି ସୂଚନା ମିଳୁଛି ।

ତେବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲରେ ଥିବା ତଥ୍ୟକୁ ଆୱାସ++ରେ ସମ୍ମିଶ୍ରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ୱାଧୀ କହିଛନ୍ତି ଯେ ୨୦୧୮ ଜାନୁୟାରୀ ମାସରେ ପିଏମଏୱାଇ-ଜି ଅଧିନରେ ଆୱାସ+ ସର୍ଭେ ଆରମ୍ଭ ହୋଇଥିଲା ଏବଂ ଏହାର ସମୟସୀମା ପ୍ରାଥମିକ ଭାବେ ୨୦୧୮ ମାର୍ଚ୍ଚ ୩୧ ତାରିଖ ଥିଲା । ୨୦୧୧ ଏସଇସିସି ତାଲିକାରେ ଥିବା ଯେଉଁ ଯୋଗ୍ୟ ହିତାଧିକାରୀମାନେ ଏଥିରେ ସ୍ଥାନ ପାଇନଥିଲେ ସେମାନଙ୍କୁ ସାମିଲ ପାଇଁ ଏହି ସର୍ଭେ ହୋଇଥିଲା । ଏହି ସମୟସୀମା ୪ଥର ବୃଦ୍ଧି କରାଯାଇ ଶେଷରେ ୨୦୧୯ ମାର୍ଚ୍ଚ ୭ତାରିଖକୁ ଧାର୍ଯ୍ୟ ହୋଇଥିଲା ।

ସେ କହିଛନ୍ତି ଯେ ଚୂଡାନ୍ତ ସମୟସୀମା ପରେ ଫନି ବାତ୍ୟା ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ୱିଣ୍ଡୋ ପ୍ରଦାନ କରାଯାଇଥିଲା ଯେଉଁଥିରେ ଓଡିଶା ପକ୍ଷରୁ ୧୩,୨୦,୯୪୫ ହିତାଧିକାରୀଙ୍କୁ ପଞ୍ଜିକରଣ କରାଯାଇଥିଲା । ଇତି ମଧ୍ୟରେ ଓଡିଶାର ବିଜେପି ସାଂସଦମାନେ ରାଜ୍ୟରେ ପିଏମଏୱାଇ-ଜି କାର୍ଯ୍ୟକାରିତାରେ ଅନିୟମିତା ନେଇ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲା ଏବଂ ବାରମ୍ବାର ଅବଗତି ସତ୍ୱେ ଓଡିଶା ପକ୍ଷରୁ କାର୍ଯ୍ୟାନ୍ୱୟନ ବିବରଣୀ (ଏଟିଆର) ପ୍ରଦାନ କରାଯାଇନଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ୨୦୨୨ ଅଗଷ୍ଟ ୧୧ତାରିଖରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଓଡିଶାର ପଞ୍ଚାୟତିରାଜ ମନ୍ତ୍ରୀ ମାର୍ଗଦର୍ଶିକା ଅନୁଯାୟୀ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସେପ୍ଟେମ୍ବର ୫ତାରିଖରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ରାଜ୍ୟ ସରକାର ବିକଶିତ କରିଥିବା ଗ୍ରାମୀଣ ଗୃହ ପୋର୍ଟାଲ (ଆରଏଚପି) ଯେଉଁଥିରେ କି ଆୱାସ+ ସର୍ଭେର ଶେଷ ତାରିଖ ୨୦୧୯ ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ସଂଗୃହୀତ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ରହିଛି ତାହାକୁ ଜାତୀୟ ଆୱାସ++ ଡାଟାବେସ୍‍ରେ ସମ୍ମିଶ୍ରଣ ପାଇଁ ପତ୍ର ଲେଖିଥିଲେ ।

ତେବେ ଆୱାସ+ ପୋର୍ଟଲ ଖୋଲିବାପାଇଁ ହୋଇଥିବା ଅନୁରୋଧ ଗ୍ରହଣ କରାଯାଇନଥିଲା କାରଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା, ଏପରିକି ଓଡିଶା ପାଇଁ ସ୍ୱତନ୍ତ୍ର ୱିଣ୍ଡୋ ଖୋଲିବାକୁ ଅନୁମତି ମିଳିଥିଲା ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁନଃ ସର୍ଭେ ପାଇଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆୱାସ++ ପୋର୍ଟାଲ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । ଉଲ୍ଲେଖନୀୟ ଯେ ଆୱାସ++ ପୋର୍ଟାଲ ଖୋଲିବା ସହିତ ଓଡିଶାର ୬ଲକ୍ଷରୁ ଅଧିକ ହିତାଧିକାରୀ ବିଶେଷକରି ଆଦିବାସୀ ମମ୍ପ୍ରଦାୟର ହିତାଧିକାରୀଙ୍କୁ ଏଥିରେ ସାମିଲ ପାଇଁ ରାଜ୍ୟ ସରକାର ଦାବି କରି ଆସୁଛନ୍ତି । (ତଥ୍ୟ)