ଭୁବନେଶ୍ୱର : ରାଜ୍ୟର ମୋବାଇଲ ଅପହଞ୍ଚ ଗାଁ ଗୁଡିକରେ ଟେଲିଫୋନ୍ ସେବା ଯୋଗାଣ ପାଇଁ ୧୦୦୦ଟି ମୋବାଇଲ୍ ଟାୱାର ଯୋଗାଇ ଦେବାକୁ ଓଡିଶା ସରକାର କେନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଥିବାବେଳେ ଏଥିପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଆବଶ୍ୟକ ଥିବା ଆକଳନ କରାଯାଇଛି ।
ସର୍ବଶେଷ ସର୍ବେକ୍ଷଣ ଅନୁଯାୟୀ ଓଡିଶା ହେଉଛି ଦେଶର ସର୍ବାଧିକ ମୋବାଇଲ୍ ଅପହଞ୍ଚ ଗାଁ ଥିବା ରାଜ୍ୟ । ଏଠାରେ ସର୍ବାଧିକ ୬୨୭୮ ଗାଁରେ ଏବେ ବି ମୋବାଇଲ୍ ସେବା ପହଞ୍ଚି ପାରିନାହିଁ । ନିକଟରେ ୟୁନିଭର୍ସାଲ ସୋସିଆଲ ଓବ୍ଲିଗେସନ ଫଣ୍ଡ୍ (ୟୁଏସ୍ଏଫ୍ଓ) ଓଡିଶା ପାଇଁ ୪୮୩ ଟି ମୋବାଇଲ ଟାୱାର ମଞ୍ଜୁର କରିଥିବାବେଳେ କେନ୍ଦ୍ର କ୍ୟାବିନେଟ୍ ସମଗ୍ର ଦେଶ ପାଇଁ ୩୯୩୩ଟି ମୋବାଇଲ ଟାୱାର ମଞ୍ଜୁର କରିଛନ୍ତି ।
କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭାକୁ ଯାଇଥିବାରୁ ରାଜ୍ୟରେ ଟେଲି ଯୋଗାଯୋଗର ବିସ୍ତାର ପାଇଁ ସେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ତେଣୁ ରାଜ୍ୟ ସରକାର ଓଡିଶାର ମୋବାଇଲ ଅପହଞ୍ଚ ଗାଁ ପାଇଁ ୧୦୦୦ଟି ମୋବାଇଲ୍ ଟାୱାର ମଞ୍ଜୁର ପାଇଁ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାଛଡା ରାଜ୍ୟର ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ୨୫୬ଟି ମୋବାଇଲ ଟାୱାରର ନବୀକରଣ ଆବଶ୍ୟକ ହେଉଛି । ଏହି ଟାୱାରଗୁଡିକ ମାଓ ପ୍ରବଣ ଅଞ୍ଚଳରେ ଟାୱାର ସ୍ଥାପନର ପ୍ରଥମ ପର୍ଯ୍ୟାୟରେ ବସାଯାଇଥିଲା । ଓଡିଶା ଦେଶର ଅନ୍ୟତମ ନକ୍ସଲ ପ୍ରଭାବିତ ରାଜ୍ୟ ହୋଇଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହିସବୁ ଟାୱାର ସ୍ଥାପନ ପାଇଁ ସହାୟତା ଯୋଗାଇ ଦେଇଥିଲେ । ଓଡିଶାର ଅତି କମ୍ରେ ୧୦ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଅଟେ ।
ଦୀର୍ଘ ଦିନରୁ ସ୍ଥାପନ ହୋଇଥିବା ଏହିସବୁ ଟାୱାର ଗୁଡିକୁ ୪ଜି କ୍ଷମତାକୁ ଉନ୍ନତି ଆବଶ୍ୟକ ପଡୁଛି ଯାହା ଫଳରେ ଅଧିକ ଅଞ୍ଚଳରେ ସେବା ଏବଂ ଡାଟା କ୍ଷମତା ବୃଦ୍ଧି କରାଯାଇ ପାରିବ । ଏହିସବୁ ଅଞ୍ଚଳରେ ଧିମା ଡାଟା ଯୋଗୁଁ ବ୍ୟାଙ୍କ୍ସେବା ପ୍ରଭାବିତ ହେଉଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ସମ୍ପୃକ୍ତ ମୋବାଇଲ ଟାୱାରଗୁଡିକର କ୍ଷମତା ଦୁର୍ବଳ ହେବା ଯୋଗୁଁ ଲୋକଙ୍କ ମୋବାଇଲ ସଂଯୋଗ ଗୁରୁତର ପ୍ରଭାବିତ ହେଉଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ।
କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ କୁହାଯାଇଛି ଯେ ସମଗ୍ର ଦେଶରେ ଏବେ ପର୍ଯ୍ୟାୟକ୍ରମେ ୫ଜି ସେବା କାର୍ଯ୍ୟକାରୀ ହେଉଛି । ୨୦୨୩ ଶେଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲା ମୁଖ୍ୟାଳୟରେ ୫ଜି ସେବା ଉପଲବ୍ଧ ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ ଥିବା ଟେଲି ଯୋଗାଯୋଗ ବିଭାଗକୁ ଅନୁରୋଧ କରାଯାଇଥିବା ଜଣାଯାଇଛି । (ତଥ୍ୟ)