ଭୁବନେଶ୍ୱର : ରାଜ୍ୟରେ ଚଳିତ ଖରିଫ ଋତୁ ପାଇଁ ଯେତିକି ପରିମାଣର ୟୁରିଆ, ଡିଏପି ଓ ଏମଓପି ଆବଶ୍ୟକ ତାହାଠାରୁ ଅଧିକ ଉପଲବ୍ଧ ରହିଛି । ସାର ଆବଶ୍ୟକତା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ପରିମାଣ ଅନୁଯାୟୀ ୨୦୨୫ ଖରିଫରେ ରାଜ୍ୟ ପାଇଁ ୪,୩୦,୦୦୦ ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ ଥିବାବେଳେ ଚଳିତ ମାସ ୧୭ ତାରିଖ ସୁଦ୍ଧ ରାଜ୍ୟରେ ୫,୪୭,୦୬୪ ମେଟ୍ରିକ ଟନ୍ ୟୁରିଆ ରହିଛି । ସେହିଭଳି ୨ଲକ୍ଷ ଟନ୍ ଡିଏପିର ଆବଶ୍ୟକ ଥିବାବେଳେ ଉପଲବ୍ଧ ରହିଛି ୨,୨୬,୪୭୪ ମେଟ୍ରିକ ଟନ୍ । ଅନୁରୂପ ଭାବେ ୬୦ହଜାର ମେଟ୍ରିକ ଟନ୍ ଏମଓପି ଆବଶ୍ୟକ ଥିବାବେଳେ ଉପଲବ୍ଧ ରହିଛି ୬୭,୯୪୨ ମେଟ୍ରିକ ଟନ୍ ।
ଅନ୍ୟ ପକ୍ଷରେ ୨୦୨୫ ରବି ଋତୁ ପାଇଁ ରାଜ୍ୟରେ ୧ଲକ୍ଷ ୯୦ହଜାର ଟନ୍ ୟୁରିଆ, ୭୫ହଜାର ଟନ୍ ଡିଏପି ଓ ୨୫ ହଜାର ଟନ୍ ଏମ୍ଓପିର ଆବଶ୍ୟକ ରହିଥିବା ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଓଡିଶାରେ ମୋଟ୍ ୬୧.୮୦ ଲକ୍ଷ ହେକ୍ଟର ଚାଷ ଜମି ରହିଛି । ଏଥିରେ ଖରିଫ ଋତୁରେ ୨୫ ପ୍ରକାର ଚାଷ ହେଉଥିବାବେଳେ ରବି ଋତୁରେ ୩୧ ପ୍ରକାରର ଚାଷ କରାଯାଉଛି ।
ଉପମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ବଡ ଚାଷୀଙ୍କ ସଂଖ୍ୟା ୩୯୭୫ ଥିବାବେଳେ ମଧ୍ୟମ ଚାଷୀଙ୍କ ସଂଖ୍ୟା ୩,୩୭,୯୪୫, କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୮,୮୭,୨୭୨ ଏବଂ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୬,୩୬,୬୫୮ ରହିଛି ।