ଭୁବନେଶ୍ୱର : ନିର୍ମାଣାଧିନ ଆପାର୍ଟମେଣ୍ଟଗୁଡିକର କାର୍ଯ୍ୟଶୈଳୀ ତଦାରଖ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାପରେ ଏବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଛନକା ପଶିଛି । ବିଶେଷକରି ସହରାଞ୍ଚଳର ବିଭିନ୍ନ କଲୋନୀ ମଝିରେ ଆପାର୍ଟମେଣ୍ଟ ନିର୍ମାଣର ଯାଞ୍ଚ ହେଲେ ବହୁ ଅନିୟମିତତା ଧରାପଡିବାର ଭୟ ଏମାନଙ୍କୁ ଗୋଡାଇବା ଆରମ୍ଭ କରିଛି ।
ଖୋଦ ରାଜ୍ୟ ରାଜଧାନୀରେ ଏକାଧିକ ଆପାର୍ଟମେଣ୍ଟ ନିର୍ମାଣ ଚାଲିଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଗ୍ନି ନିରାପତ୍ତା, ଯାନା ବାହାନ ପାର୍କିଂ, ଜଳ ସଂରକ୍ଷଣ ଭଳି ନିୟମ କାନୁନ୍କୁ ଫୁ କରିଦେଉଛନ୍ତି । ଏମାନଙ୍କ ବ୍ୟବସାୟିକ ମନୋବୃତ୍ତି ପାଇଁ ଏବେ ଆଖପାଖରେ ବସବାସ କରୁଥିବା ଲୋକେ ମଧ୍ୟ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ରାଜଧାନୀରେ ବର୍ତ୍ତମାନ ୨୫୩ଟି ଜିଏ ପ୍ଲଟ ଉପରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅନୁମତି ପ୍ରଦାନ କରିଛନ୍ତି । ଏହିସବୁ ଆପାର୍ଟମେଣ୍ଟ କିଭଳି ନିୟମ କାନୁନ୍ ପାଳନ କରୁଛନ୍ତି ତାହାକୁ ଦେଖିବାକୁ ପ୍ରାୟତଃ କେହି ଯାଉ ନାହାନ୍ତି । ଅଧିକାଂଶ ସ୍ଥାନରେ ଜିଏ ପ୍ଲଟର ମାଲିକ ଓ ବିଲଡର ମଧ୍ୟରେ ଅଘୋଷିତ ରାଜିନାମା ହେଉଛି ଏବଂ ରାତାରାତି ଛୋଟିଆ ପ୍ଲଟ ଉପରେ ୪/୫ ତାଲା ଆପାର୍ଟମେଣ୍ଟ ଗଢି ଉଠୁଛି । ଏଥିରେ ଅଗ୍ନି ନିରାପତ୍ତା ଓ ଯାନ ବାହାନ ପାର୍କିଂ ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ । ଯଦି ଏଭଳି ଆପାର୍ଟମେଣ୍ଟରେ କୌଣସି ଅଗ୍ନି ଦୁର୍ଘଟଣା ଘଟେ ତେବେ ଅଗ୍ନିଶମ ବାହିନୀର ଯାନ ସେଠାରେ ସହଜରେ ପହଞ୍ଚିପାରିବ ନାହିଁ । ସେହିଭଳି ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକେ କେଉଁଠାରେ ନିଜ ନିଜର ଯାନବାହାନ ରଖିବେ ତାହାର ବି ବ୍ୟବସ୍ଥା ହେଉନାହିଁ ।
ଜିଏ ପ୍ଲଟର ମାଲିକ ଆପାର୍ଟମେଣ୍ଟରୁ ମାଗଣାରେ ନିଜର ଭାଗ ପାଇବା ଆଶାରେ ସରକାରଙ୍କ ଠାରୁ ରିହାତି ଦରରେ ପାଇଥିବା ଜମିକୁ ବିଲଡରଙ୍କ ହାତରେ ଟେକି ଦେଉଛନ୍ତି । ଫଳରେ ଯେଉଁ ଜମି ଉପରେ ଗୋଟିଏ କିମ୍ବା ଦୁଇଟି ପରିବାର ବସବାସ କରିବାକଥା ସେଠାରେ ୨୦/୨୫ ପରିବାର ବସବାସ ପାଇଁ ସୁଉଚ୍ଚ କୋଠା ଛିଡା ହୋଇଯାଉଛି । ଏତେ ସଂଖ୍ୟକ ପରିବାର ପାଇଁ କିନ୍ତୁ ଜଳ ଯୋଗାଣ କିମ୍ବା ସ୍ୱରେଜ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ । ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ବି ଅନୁରୂପ ।
ସବୁଠାରୁ ବିଡମ୍ବନାର କଥା ହେଉଛି ଯେ ଯେଉଁଠାରେ ଜିଏ ପ୍ଲଟ ଉପରେ ଆପାର୍ଟମେଣ୍ଟ ଛିଡା ହେଉଛି ସେହି ପ୍ଲଟର ଚାରିପଟେ ଥିବା ଲୋକେ ସୂର୍ଯ୍ୟକିରଣ କିମ୍ବା ପବନ ଟିକେ ପାଇପାରୁ ନାହାନ୍ତି । ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହିଁ । ରାଜଧାନୀର ପ୍ରମୁଖ ଆବାସିକ ଅଞ୍ଚଳରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ପାର୍କିଂ ସ୍ଥାନାଭାବରୁ ରାସ୍ତା ଉପରେ ଦିନରାତି ଶହ ଶହ ଗାଡିମୋଟର ଛିଡାହୋଇ ରହୁଛି ।
କେତେକ ସ୍ଥାନରେ ଏଭଳି ଆପାର୍ଟମେଣ୍ଟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଲଜିଂ ଆଦି ଗଢି ଉଠିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି । ସଡକ ଠାରୁ ପାଣି ଓ ସ୍ୱରେଜର ବିଭିନ୍ନ ସମସ୍ୟା ଉପୁଜିବାରେ ଲାଗିଛି । ବିଲଡର ଘର ବିକ୍ରିକରି ଦେଇ ଯିବାପରେ ଆଉ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଆପାର୍ଟମେଣ୍ଟ ପାଇଁ ଅନୁମତି ପ୍ରଦାନ କରିଥିବା ବିଡିଏ କିମ୍ବା ବିଏମସି ଏଥିପ୍ରତି ଏକ ପ୍ରକାର ଆଖିବୁଜି ଦେଉଛନ୍ତି । ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଆପାର୍ଟମେଣ୍ଟ ନିର୍ମାଣ ଉପରେ ନଜର ରଖିବା ସହିତ ନିୟମିତ ଏହାର ଯାଞ୍ଚ ପାଇଁ କହିବାପରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)