ଭୁବନେଶ୍ୱର : ସରକାରଙ୍କ ଠାରୁ ଅନୁମତି ନେଇ ରାଜଧାନୀ ଓ ଏହାର ଆଖପାଖରେ ମାଳ ମାଳ ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବାବେଳେ ଏହିସବୁ ସୁଉଚ୍ଚ କୋଠାରେ ଜଳ ଅମଳ ଠାରୁ ଆରମ୍ଭ କରି ସବୁଜ ବଳୟ ସୃଷ୍ଟି ପର୍ଯ୍ୟନ୍ତ କି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ତାହାର ହିସାବ କିନ୍ତୁ ସରକାରଙ୍କ ପାଖରେ ନାହିଁ । ଫଳରେ ଏକାଧିକ ଆପାର୍ଟମେଣ୍ଟ ସେମାନଙ୍କ କୋଠାରେ ଏହିସବୁ ସୁବିଧା କରୁନାହାନ୍ତି ।
ରାଜଧାନୀ ଓ ଏହାର ଆଖପାଖରେ ଶହ ଶହ ଆପାର୍ଟମେଣ୍ଟ ନିର୍ମାଣ ସହିତ ସହରର କଳେବର ବଢିବାରେ ଲାଗିଛି । ଏଥିପାଇଁ ଆଗାମୀ ଦିନରେ ଜଳ ସଙ୍କଟ ସ୍ଥିତି ଉପୁଜିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । କାରଣ ଅଧିକାଂଶ ଆପାର୍ଟମେଣ୍ଟ ଦିନ ରାତି ମନଇଚ୍ଛା ଭୂତଳ ଜଳ ଶୋଷିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବଡ ବଡ କୋଠାରେ ଜଳ ଅମଳ ପ୍ରକଳ୍ପ ପାଇଁ ସରକାର କହିଛନ୍ତି । ହେଲେ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅଧିକାଂଶ ନିର୍ମାଣକାରୀ ଏହାକୁ ନିଜ ନିଜ କୋଠାରେ ଲାଗୁ କରୁ ନାହାନ୍ତି ।
ସେହିଭଳି କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହିତ ବର୍ଜ୍ୟଜଳ ବିଶୋଧନ ପାଇଁ ମଧ୍ୟ କୁହାଯାଇଛି । କାରଣ ବଢୁଥିବା ଜନସଂଖ୍ୟା ସହିତ ଏହି ଦୁଇଟି ମଧ୍ୟ ଆଗାମୀ ଦିନରେ ପ୍ରଶାସନ ଆଗରେ ବଡ ସମସ୍ୟା ହୋଇ ଉଭା ହେବ । ହେଲେ ସଂଖ୍ୟାଧିକ ଆପାର୍ଟମେଣ୍ଟରେ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ନାହିଁ । ଏମାନେ ନିଜ ନିଜର ବର୍ଜ୍ୟଜଳକୁ ନିକଟସ୍ଥ ସ୍ୱରେଜକୁ ଛାଡୁଛନ୍ତି ନହେଲେ ଭୂମିଗତ କରାଉଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକଥା ହେଲା ଯେଉଁସବୁ ଅଞ୍ଚଳରେ ରାତାରାତି ଆପାର୍ଟମେଣ୍ଟ ନିର୍ମାଣ ହେଉଛି ସେଠାରେ ପୂର୍ବରୁ ସରକାର ବିଛାଇଥିବା ଅଣଓସାରିଆ ସ୍ୱରେଜରେ ବର୍ଜ୍ୟଜଳ ଛାଡିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେଉଛି ।
ସେହିଭଳି ସବୁଜ ବଳୟ କଥାକୁ ଅନେକ ଆପାର୍ଟମେଣ୍ଟ ଏକ ପ୍ରକାର ଭୁଲି ଯାଇଛନ୍ତି । ସବୁଜ ବଳୟ ସୃଷ୍ଟି କରିବେ କ’ଣ ବରଂ ନିଜ କୋଠା ଆଖପାଖରେ ଥିବା ଗଛଗୁଡିକୁ କାଟି ପଦା କରି ଦେଉଛନ୍ତି । ଏପରିକି ଆପାର୍ଟମେଣ୍ଟ ନିର୍ମାଣ ପରେ ଗଛଟିଏ ଲଗାଇବାକୁ ବି ସ୍ଥାନ ଛାଡୁ ନାହାନ୍ତି । ଫଳରେ ଅନେକ ବାସିନ୍ଦା ଚାହିଁଲେ ବି ନିଜ ଘର ଆଖପାଖରେ ସବୁବଳୟ କଥା ଚିନ୍ତା କରିପାରୁ ନାହାନ୍ତି ।
ଅନୁରୂପ ଭାବେ ଖୋଦ ରାଜଧାନୀରେ ବି ବିନା ପରିବେଶ ମଞ୍ଜୁରୀରେ କେତେକ କୋଠା ନିର୍ମାଣ ହୋଇଛି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ବିନା ପରିବେଶ ମଞ୍ଜୁରୀରେ କୋଠା ନିର୍ମାଣ ତାଲିକାରେ ରହିଛି ସରକାରୀ ସଂସ୍ଥା । ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଦୁଇଟି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ମିଳିପାରି ନାହିଁ । ଏଥି ସହିତ କେତେକ ଜଣାଶୁଣା ନିର୍ମାଣକାରୀ ସଂସ୍ଥା ବି ଏହି ତାଲିକାରେ ରହିଛନ୍ତି ।
ରାଜ୍ୟ ରାଜଧାନୀରେ ଯେଭଳି ଏବେ ବିଭିନ୍ନ ଜନବସତି ଅଞ୍ଚଳରେ କର୍ତ୍ତୃପକ୍ଷ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ମଞ୍ଜୁରୀ ଦେଉଛନ୍ତି ଓ ଏହିସବୁ ଆପାର୍ଟମେଣ୍ଟ ସର୍ବନିମ୍ନ ପରିବେଶଗତ କାର୍ଯ୍ୟ ପାଇଁ କି ପଦକ୍ଷେପ ନେଉଛନ୍ତି ତାହା ତାଲିକା ରଖୁନାହାନ୍ତି, ଆଗାମୀ ଦିନରେ ତାହା ମହାବିପତ୍ତି ସାଜିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)