Home General ଆପାର୍ଟମେଣ୍ଟକୁ ମନଇଚ୍ଛା ମଞ୍ଜୁରୀ

ଆପାର୍ଟମେଣ୍ଟକୁ ମନଇଚ୍ଛା ମଞ୍ଜୁରୀ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଆବାସିକ କଲୋନୀ ଅଞ୍ଚଳରେ ଏବେ ମନଇଚ୍ଛା ଗଢି ଉଠୁଛି ସୁଉଚ୍ଚ ଆପାର୍ଟମେଣ୍ଟ । ଏଗୁଡିକୁ କିଭଳି ସରକାରୀ ମଞ୍ଜୁରୀ ମିଳୁଛି ତାହା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟ ପାଲଟିଥିବାବେଳେ ଏଭଳି ସୁଉଚ୍ଚ ଅଟାଳିକା ଯୋଗୁଁ ଆଖପାଖ ଘରର ଲୋକେ ସୂର୍ଯ୍ୟକିରଣ ତ ଦୂରରକଥା ପବନ ଟିକେ ପାଇପାରୁ ନାହାନ୍ତି ।

ସହରର ବିଭିନ୍ନ ୟୁନିଟ୍‍ରେ ଥିବା ଏକ କିମ୍ବା ଦୁଇ ମହଲା ଘର ଭଙ୍ଗାଯାଇ ସେଠାରେ ୫/୬ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେଉଛି । ଯେଉଁ ପ୍ଲଟରେ ଦୁଇଟି ପରିବାର ରହୁଥିଲେ ସେଠାରେ ହଠାତ୍‍ ଏକକାଳୀନ ଭାବେ ୩୦/୪୦ ପରିବାର ବସବାସ କରୁଛନ୍ତି । ଫଳରେ ସେହିସବୁ ଅଞ୍ଚଳରେ ଗମନାଗମନ ଠାରୁ ଆରମ୍ଭ କରି ପରିବେଶଗତ ସମସ୍ୟା ଦେଖାଦେଉଛି ।

ବିଶେଷକରି ବାପୁଜୀନଗର, ଅଶୋକନଗର, ଆଇଆରସି, ନୟାପଲ୍ଲୀ, ଚାରି ନମ୍ବର, ଖାରବେଳନଗର ଆଦି ଅଞ୍ଚଳ ଯେଉଁଠାରେ ଲୋକେ ଘରଖଣ୍ଡେ କରିବାପାଇଁ ସାଧାରଣ ପ୍ରଶାସନ ବିଭାଗ ଠାରୁ ଶସ୍ତାରେ ଜମି ନେଇଥିଲେ ସେଠାରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ସେଠାରେ ଥିବା ଘରମାଲିକମାନେ ଏବେ ଲୋଭରେ ପଡି ନିଜ ନିଜ ଘରକୁ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଟେକି ଦେଉଛନ୍ତି । କିଏ ଜମି ବାବଦକୁ କୋଟି କୋଟି ଟଙ୍କା ନେଉଛି ତ ଆଉ କିଏ ଆପାର୍ଟମେଣ୍ଟରେ ନିଜର ସେୟାର ବାବଦରେ କିଛି ଘର ପାଇ ଯାଉଛି ।

ତେବେ ଏଭଳି ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ଆଖପାଖରେ ଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଧିକାଂଶ ଅଞ୍ଚଳରେ ଆଉ ରାସ୍ତା ସମ୍ପ୍ରସାରିତ ପାଇଁ ସ୍ଥାନ ନାହିଁ । ସ୍ୱରେଜ ଲାଇନ୍‍ରେ ପରିବର୍ତ୍ତନ ମଧ୍ୟ କାଠିକରପାଠ ହୋଇଛି । ଫଳରେ ଯେଉଁ ସ୍ଥାନରେ ୪/୫ ଜଣ ଲୋକ ବସବାସ କରୁଥିଲେ ସେଠାରେ ହଠାତ୍‍ ୧୦୦/୧୫୦ ଲୋକ ରହିବା ଫଳରେ ବହୁବିଧ ସମସ୍ୟା ଦେଖା ଦେଉଛି ।

ଆବାସିକ ଅଞ୍ଚଳରେ ଆପାର୍ଟମେଣ୍ଟ ଓ ସୁଉଚ୍ଚ କୋଠା ନିର୍ମାଣ ସହିତ ତାହାକୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ହୋଟେଲ ଆଦିକୁ ଭଡା ଦିଆଯାଉଛି । ଫଳରେ ସେଠାକୁ ଆସୁଥିବା ଏକାଧିକ ଚାରି ଚକିଆ ଓ ଦୁଇ ଚକିଆ ଯାନ ଆଖପାଖ ଅଞ୍ଚଳର ରାସ୍ତାକୁ ଏପରିକି ଲୋକଙ୍କ ଘର ସାମ୍ନାକୁ ଦଖଲ କରି ରଖୁଛନ୍ତି । ଏହାକୁ ନେଇ ଅନେକ ସମୟରେ ଗଣ୍ଡଗୋଳ ସୃଷ୍ଟି ହେଉଛି ।

ତେବେ ଆବାସିକ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ ଏଭଳି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କିଭଳି ଅନୁମତି ପ୍ରଦାନ କରୁଛି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ଆଖପାଖ ଅଞ୍ଚଳର ସ୍ଥିତି ନପରଖି ଅନୁମତି ଦେବା ଫଳରେ ସାଧାରଣ ପ୍ରଶାସନ ବିଭାଗ ନିକଟରୁ ଜମି ନେଇ ଗୋଟିଏ ମହଲା ଘର କରିଥିବା ଲୋକେ ଆଉ ସୂର୍ଯ୍ୟକିରଣ କିମ୍ବା ପବନ ଟିକେ ପାଉ ନାହାନ୍ତି । କାରଣ ସେମାନଙ୍କ ଛୋଟ ଘର ଚାରିପଟେ ବଡ ବଡ କୋଠା ଛିଡାହୋଇ ଯାଉଛି ।

ଆବାସିକ ଅଞ୍ଚଳରେ ଏଭଳି ସଉଚ୍ଚ କୋଠା ନିର୍ମାଣ ହେଉଥିବାବେଳେ ଅଧିକାଂଶ ସ୍ଥାନରେ ସ୍ଥାନାଭାବ ଯୋଗୁଁ ସେହିବୁ କୋଠାରେ ଅଗ୍ନିନିରାପତ୍ତା, ସବୁଜ ବଳୟ କିମ୍ବା ବର୍ଷାଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ, ଯାହାକି ବଡ ବଡ କୋଠା ପାଇଁ ବାଧ୍ୟତାମୂଳକ ଅଟେ । ଏଥିଯୋଗୁଁ ଗୋଟିଏ ପଟେ ଏଭଳି ଆପାର୍ଟମେଣ୍ଟ ଯୋଗୁଁ ସ୍ଥାନୀୟ ଲୋକେ ନାକେଦମ ହେଉଥିବାବେଳେ ରାଜ୍ୟ ରାଜଧାନୀର ପରିବେଶ ବି ବିଗିଡିବାରେ ଲାଗିଛି । (ତଥ୍ୟ)