ଭୁବନେଶ୍ୱର : ଚଳିତ ଆନ୍ଧ୍ର ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପାଇଁ କୋଟିଆରେ ଆନ୍ଧ୍ର ସପକ୍ଷରେ ମତଦାନ କରିବା ପାଇଁ ଆନ୍ଧ୍ର ପକ୍ଷରୁ ନିଯୁକ୍ତି ହୋଇଥିବା ଏଜେଣ୍ଟ ମାନଙ୍କୁ ତୁରନ୍ତ ଓଡ଼ିଶା ସରକାରଙ୍କ ପକ୍ଷରୁ ଗିରଫ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।
ପାର୍ଟିର ରାଜ୍ୟ ସଭାପତି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ୨୮ଜଣ ଏଜେଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ଏଜେଣ୍ଟମାନଙ୍କ ଜରିଆରେ ସାଲୁର ବିଧାୟକ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୀଡିକା ରାଜନ୍ ଦୋରା ତାଙ୍କ ପ୍ରର୍ଥୀପତ୍ର ଦାଖଲ ବେଳେ କୋଟିଆବାସୀଙ୍କୁ ବହୁସଂଖ୍ୟାରେ ତାଙ୍କ ସପକ୍ଷରେ ନେଇ ପ୍ରାର୍ଥୀପତ୍ର ଦାଖଲ କଲେ । ଏହା ଓଡ଼ିଶା ପାଇଁ ଆଦୌ ଶୁଭ ସୂଚନା ନୁହେଁ ବୋଲି ଶ୍ରୀ ବେହେରା କହିଛନ୍ତି ।
ମଇ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ କିଭଳି କୋଟିଆବାସୀ ଆନ୍ଧ୍ର ସପକ୍ଷରେ ଭୋଟ୍ ଦେବେନାହିଁ, ସେଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବାର ଆବଶ୍ୟକତା ଅଛି । ଯଦି ରାଜ୍ୟ ସରକାରଙ୍କର ସତର୍କତାମୂଳକ ପଦକ୍ଷେପକୁ ଏହି ଏଜେଣ୍ଟମାନେ ନ ମାନନ୍ତି, ତାହେଲେ ସେମାନଙ୍କୁ ଗିରଫ କରିବା ସହିତ ଓଡ଼ିଶା- ଆନ୍ଧ୍ରସୀମାକୁ ସିଲ୍ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
ଯଦି ଆନ୍ଧ୍ର ସରକାର ଚଳିତ ନିର୍ବାଚନରେ କୋଟିଆବାସୀଙ୍କର ସର୍ବାଧିକ ମତଦାନ ନିଜ ସପକ୍ଷରେ ନେବାକୁ ସକ୍ଷମ ହୁଅନ୍ତି, ତାହେଲେ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶା ହାତରୁ ଚାଲିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଶ୍ରୀ ବେହେରା କହିଛନ୍ତି । ତେଣୁ ଓଡ଼ିଶା ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।