Home General ଆନ୍ଦୋଳନରୁ ଦୂରରେ ସାମାଜିକ ସଂଗଠନ

ଆନ୍ଦୋଳନରୁ ଦୂରରେ ସାମାଜିକ ସଂଗଠନ

ଭୁବନେଶ୍ୱର : କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଏବେ ସାମାଜିକ ସଂଗଠନମାନେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଆନ୍ଦୋଳନରୁ ଦୂରେଇ ରହୁଛନ୍ତି । ନିଜ ନିଜ ସଂସ୍ଥାର ପଞ୍ଜିକରଣ ରଦ୍ଦ ହେବା କିମ୍ବା ନବୀକରଣ ନହେବା ଆଶଙ୍କାରେ ସେମାନେ ଚୁପ୍‍ ରହିବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଦିଲ୍ଲୀର ନିର୍ଭୟା ଘଟଣା ଠାରୁ ହାଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କୁ ମଦ୍ୟପମାନେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରିବା ଏବଂ ଉନ୍ନାଓ, କାଠୁଆ, ହାଥରସ୍‍ରୁ କୁନ୍ଦୁଲି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ସ୍ୱେଚ୍ଛାସେବୀ ସଂସ୍ଥାମାନେ ରାଜରାସ୍ତାକୁ ଆସୁଥିଲେ । ଏମିତିକି ଜଣେ ଆଡଭୋକେଟ ଜେନେରାଲ ଅନ୍ୟ ଜଣେ ବିବାହିତା ଯୁବତୀଙ୍କୁ ଘରକୁ ଡକାଇ ବଳାକ୍ରାରର ଉଦ୍ୟମ କରିବା ଘଟଣାକୁ ନେଇ ଗୋଟିଏ ସମୟରେ ଓଡିଶା ରାଜନୀତିରେ ଯେଭଳି ହଇଚଇ ସୃଷ୍ଟି ହୋଇଥିଲା ସେଥିରେ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ପ୍ରମୁଖ ଭୂମିକା ଥିଲା ।

ବହୁ ଚଚ୍ଚିର୍ତ ଛବିରାଣୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ମଦମୁକ୍ତି ଆନ୍ଦୋଳନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏକଦା ସ୍ୱେଚ୍ଛାସେବୀ ସଂଗଠନମାନେ ହଇଚଇ ସୃଷ୍ଟି କରୁଥିବାବେଳେ ଏବେ ପରୀ ସମେତ ଅନ୍ୟ ଯେତେ ଘଟଣାକୁ ନେଇ ରାଜ୍ୟରେ କମ୍ପନ ସୃଷ୍ଟିହୋଇଛି ସେଥିରେ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ନିରବତା ଘେନି ସାଧାରଣ ଲୋକେ ପ୍ରଶ୍ନ ଉଠାଉଛନ୍ତି ।

ତେବେ ଅନ୍ୟ ପକ୍ଷରେ ରାଜନୈତିକଦଳମାନେ କିନ୍ତୁ ଏହି ଘଟଣାକୁ ନେଇ ତୁମ୍ବିତୋଫାନ କରୁଥିବାବେଳେ ରାଜନୈତିକ ଦୃଷ୍ଟିକୋଣ ଥିବାରୁ ତାହା ଲୋକଙ୍କ ଉପରେ ପ୍ରଭାବ ପକାଉନାହିଁ କିମ୍ବା ଏହା ଗଣଆନ୍ଦୋଳନର ରୂପ ନେଉନାହିଁ ବୋଲି ଗଣସଂଗଠନ ସହ ଜଡିତ ଥିବା ଜଣାଶୁଣା ସମାଜସେବୀମାନେ କହୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କିଛିଦିନ ତଳେ ସୋସାଇଟି ରେଜିଷ୍ଟ୍ରସନ ଆଇନ୍‍ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିବାପାଇଁ ପଦକ୍ଷେପ ନିଆଯାଇଛି । ତଦନୁଯାୟୀ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଏହି ପଞ୍ଜିକରଣର ନବୀକରଣ ସମ୍ପୃକ୍ତ ଜିଲ୍ଲାର ଏଡିଏମ୍‍ କିମ୍ବା ଅନ୍ୟ ଭାରପ୍ରାପ୍ତ ଅଧିକାରୀମାନେ କରିବେ । ଏହି ନବୀକରଣ ବେଳେ ଅନ୍ୟ ଯେତେ ପ୍ରସଙ୍ଗର ତର୍ଜମା ହେବ ତାହା ମଧ୍ୟରେ ସମ୍ପୃକ୍ତ ସ୍ୱେଚ୍ଛାସେବୀ ସଂଗଠନ ରାଜନୈତିକ ଦଳଙ୍କ ସହ ସମ୍ପୃକ୍ତ କି ନୁହେଁ ଏବଂ ଏହା ସରକାରଙ୍କ ବିରୁଦ୍ଧରେ କାମ କରୁଛି କି ନାହିଁ ସେ ସମ୍ପର୍କରେ ବି ତର୍ଜମା ହେବ । ଆଇନ୍‍ର ଏହି ସଂଶୋଧନକୁ ପ୍ରଥମ ପର୍ଯ୍ୟାୟରେ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକର ଯେଉଁସବୁ ବଡ ବଡ ହାତୀମାନେ ବିରୋଧ କରୁଥିଲେ ଏବେ ସେମାନେ ପ୍ରାୟତଃ ନିରବ ।

ଏହାଛଡା ଆଉ କେତେକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ସ୍ୱୀକାର କରିଛନ୍ତି ଯେ ଗୋଟିଏ ପଟେ ସଂସ୍ଥାର ନବୀକରଣ ନହେବା ଆଶଙ୍କା ଥିବା ସହିତ ଅନ୍ୟ ପଟେ ବିଭିନ୍ନ ପ୍ରକଳ୍ପ ଲାଗି ସରକାରୀ, ବେସରକାରୀ ଓ ବିଦେଶୀ ଅନୁଦାନ ବନ୍ଦହେବାର ଆଶଙ୍କା ଥିବାରୁ ପ୍ରତିବାଦ ପାଇଁ ଇଚ୍ଛାଥିଲେ ବି ସେମାନେ ଚୁପ୍‍ ରହିବାକୁ ବାଧ୍ୟ ହେଉଛନ୍ତି । ଏହା ସତ୍ୱେ କେତେକ ସୂଚନା ଅଧିକାର କର୍ମୀ କିନ୍ତୁ ରାଜନେତାଙ୍କୁ ନିଶାଣ କରି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ବାହାରିବାକୁ ପଛାଉ ନାହାନ୍ତି ।