ଭୁବନେଶ୍ୱର : ଗାଈଗୋରୁମାନଙ୍କ ନିରାପଦ ଆଶ୍ରୟ ନିମନ୍ତେ ନିର୍ମିତ ଗୋଶାଳାଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁବିଧାସୁଯୋଗ ଉପଲବ୍ଧ ହେବ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇବା ସହିତ ହେଲ୍ପଲାଇନ୍ କାର୍ଯ୍ୟକାରୀ କରିଛନ୍ତି । ଏହି ହେଲ୍ପଲାଇନ୍ ପ୍ରାଣୀଙ୍କ ଲାଇଫଲାଇନ୍ ପାଲଟିଛି ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍ଲାଇନ୍ ସଂପର୍କିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣୀସଂପଦକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି ।
ପ୍ରାଣୀସଂପଦର ସୁରକ୍ଷା ଓ ସେମାନଙ୍କର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି । ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ରାଜ୍ୟ ସରକାର ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଓ ପ୍ରାଣୀ କଲ୍ୟାଣ ଅନୁଷ୍ଠାନକୁ ସହାୟତା ପ୍ରଦାନ କରୁଛନ୍ତି । ରାଜ୍ୟରେ ସଂପ୍ରତି ୮୦ଟି ପଂଜିକୃତ ଗୋଶାଳା ରହିଛି । ବୁଲାଗାଈଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଗୋଶାଳା ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୨୦୨୨ରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ।
ଏଥି ସହିତ ବିଭିନ୍ନ ପଞ୍ଜିକୃତ ଗୋଶାଳାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୦୨୨-୨୩ ବର୍ଷରେ ୫୨ଟି ପଂଜିକୃତ ଗୋଶାଳାକୁ ପ୍ରତି ବୟସ୍କ ଗୋରୁଙ୍କ ପାଇଁ ବାର୍ଷିକ ୧୬ ହଜାର ଟଙ୍କା ହିସାବରେ ୫ କୋଟି ଟଙ୍କା ବ୍ୟୟ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ଏ ବାବଦକୁ ୧୦ କୋଟି ଟଙ୍କା ମଂଜୁର କରାଯାଇଛି । ୫୦ରୁ ୧୫୦ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ନିମନ୍ତେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି ।
ଏ ପର୍ଯ୍ୟନ୍ତ ଏ ବାବଦରେ ୨୬ ଗୋଟି ଗୋ-ଆହେଡ୍ ପ୍ରଦାନ କରାଯାଇଛି । ଗୋଶାଳାଗୁଡ଼ିକ କୃଷି ଓ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆବଶ୍ୟକ ହେଉଥିବା ଜୈବିକ ଖତ ଓ ଜିଆ ଖତ ଉତ୍ପାଦନ କରି ଆର୍ଥିକ ଉପାର୍ଜନ କରିବାର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଷୟିକ ଜ୍ଞାନକୌଶଳ ଏବଂ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା ଗ୍ରହଣ କରାଯାଇପାରେ ବୋଲି ସେ କହିଥିଲେ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟବ୍ୟାପୀ ଆନିମଲ ହେଲପ୍ଲାଇନ୍ ପ୍ରତିଷ୍ଠା କରାଯାଇଛି । ଟୋଲ୍ ଫି୍ର ନମ୍ବର ୧୯୬୨କୁ କଲ୍ କଲେ ପୀଡ଼ିତ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁଛି । ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍ ଭେଟେରିନାରୀ ୟୁନିଟ୍ ଏହି ସେବା ଯୋଗାଇ ଦେଉଛି । ଅସହାୟ ଓ ରୋଗଗ୍ରସ୍ତ ପ୍ରାଣୀଙ୍କ ପାଇଁ ଏହା ଏକ ଲାଇଫ୍ଲାଇନ୍ ଭାବରେ କାର୍ଯ୍ୟ କରୁଛି ଓ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ମିଳିପାରୁଛି ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଗୋଶାଳାଗୁଡ଼ିକର ଉନ୍ନତି ନିମନ୍ତେ ଅନ୍ୟ ବିଭାଗ ସହିତ ମିଳିମିଶି କାମ କରିବାକୁ ପଡ଼ିବ । ସ୍ଥାନୀୟ ପ୍ରାଣୀ ଚିକିତ୍ସକ ପ୍ରତି ମାସରେ ଥରେ ଗୋଶାଳା ପରିଦର୍ଶନରେ ଯିବେ ଏବଂ ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ଟୀକାକରଣ, ଡି-ୱର୍ମିଂ ଓ ଗୋ-ବନ୍ଧ୍ୟା ନିରାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଶ୍ରୀ ବଶିଷ୍ଠ କହିଥିଲେ ।
ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବୀରକିଶୋର ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ରାଜ୍ୟର ବିଭିନ୍ନ ଗୋଶାଳା ପରିଚାଳନା ସହ ଜଡ଼ିତ ଶତାଧିକ ବ୍ୟକ୍ତିବିଶେଷ, ଆନିମଲ୍ ହେଲପ୍ଲାଇନ୍ର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।