Home General ଆଦିବାସୀ ମେଳାରେ ପରିବର୍ତ୍ତନର ନିଖୁଣ ଚିତ୍ର

ଆଦିବାସୀ ମେଳାରେ ପରିବର୍ତ୍ତନର ନିଖୁଣ ଚିତ୍ର

ଭୁବନେଶ୍ୱର : ଆଦିବାସୀ ମେଳା-୨୦୨୩ରେ ପରିବର୍ତ୍ତନର ନିଖୁଣ ଚିତ୍ର ପ୍ରତିଫଳନ ଘଟିଛି । ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜି୍ୟକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ପ୍ରାଚୀନ ଜନଜାତିଙ୍କ ଦୁନିଆରେ ଦେଖିବାକୁ ମିଳୁଛି ।

ବିଭିନ୍ନ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି । ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିିତ ହେଉଛି ।

ଏହାଛଡ଼ା ଆଦିବାସୀ ସମାଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍‌ ଅନୁମାନ କରିହେଉଛି । ଆଜି ମାସର ଚତୁର୍ଥ ଶନିବାର ଛୁଟିଥିବାରୁ ଅପରାହ@ରେ ମେଳା ପରିସରକୁ ବହୁ ଲୋକ ନିଜ ପରିବାର ସାଙ୍ଗରେ ଆସି ଆଗ୍ରହ ଓ ଉତ୍ସାହର ସହ ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା- ବାସମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଭିଡ଼ ଦେଖିବାକୁ ମିଳିଥିଲା ।

ସେହିପରି ମହୁ, ଲାଖ, ଝୁଣା, ହରିଡ଼ା, ବାହାଡ଼ା ଓ ଅଁଳା ଭଳି ଲଘୁ ବନଜାତ ଦ୍ରବ୍ୟ ବିକି୍ର ହେଉଥିବା ଷ୍ଟଲଗୁଡ଼ିକ ବୁଲିବାକୁ ଅନେକ ପରିବାର ଆଗ୍ରହ ଦେଖାଇଥିଲେ । ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ, ଆଚାର ଆଦି କିଣିବାକୁ ସହରୀ ଗରାଖଙ୍କ ବ୍ୟଗ୍ରତା କିଛି କମ୍‌ ନଥିଲା ।

ଆଦିବାସୀ ମେଳାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଜନଜାତିଙ୍କ ସଂସ୍କୃତିର ସଂପଦର ସଂରକ୍ଷଣ ଓ ବିକାଶ ପାଇଁ ପ୍ରତିଷ୍ଠିତ ଓଡ଼ିଶାର ୯ ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରଦର୍ଶିତ ୯ ଗୋଟି ଷ୍ଟଲର ସ୍ୱାତନ୍ତ୍ର୍ୟ । ପ୍ରତ୍ୟେକ ଜିଲ୍ଲାର କାରିଗରମାନେ ସେମାନଙ୍କ ସ୍ୱତନ୍ତ୍ର ତଥା ମୂଲ୍ୟଯୁକ୍ତ କଳା ସାମଗ୍ରୀର ପ୍ରଦର୍ଶନ ସହ ଦର୍ଶକମାନଙ୍କୁ ଆକର୍ଷିତ କରୁଛନ୍ତି ।

ମୟୂରଭଞ୍ଜର ସବାଇ ଘାସର କଳା ସାମଗ୍ରୀ, ଗଜପତିର ଫୁଲଝାଡ଼ୁ, ନବରଙ୍ଗପୁରର ଗଣ୍ଡ ଚିତ୍ରକଳା, କନ୍ଧମାଳର କାଷ୍ଠଶିଳ୍ପ, କେନ୍ଦୁଝରର କାଗଜରୁ ପ୍ରସ୍ତୁତ ବିଭିନ୍ନ କଳାବସ୍ତୁ ଇତ୍ୟାଦି ଏକ ଅନନ୍ୟ ଆକର୍ଷଣ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି ।

ଆଜିର ସନ୍ଧ୍ୟାରେ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ମେଳା ପରିଦର୍ଶନ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାରେ କନ୍ଧ, କୁଟିଆ କନ୍ଧ, ସଉରା, ପାଉଡ଼ି ଭୂୟାଁ, ହୋ ଆଦି ଜନଜାତିଙ୍କ ବିଭିନ୍ନ ପାରମ୍ପରିକ ନୃତ୍ୟ ଖୁବ୍‌ ମନୋରଞ୍ଜକ ହୋଇଥିଲା ଏବଂ ପାରମ୍ପରିକ ନୃତ୍ୟଶୈଳୀରେ ଦର୍ଶକ ବିଭୋର ହୋଇଥିଲେ ।