ଭୁବନେଶ୍ୱର : ଆଦିବାସୀ ଅଞ୍ଚଳରେ ଜଳ ସେଚନ ପାଇଁ ପ୍ରତିଷ୍ଠା ହୋଇଥିବା ପ୍ରକଳ୍ପ ମଧ୍ୟରୁ ଏକାଧିକ ପକଳ୍ପ ଅଚଳ । କେଉଁ ପ୍ରକଳ୍ପର ସୌର ପ୍ୟାନେଲ ଚୋରିହୋଇ ଯାଇଛି ତ ଆଉ କେଉଁ ପ୍ରକଳ୍ପର ମୋଟର କାମ କରୁନାହିଁ । ଏଥିଯୋଗୁଁ କୋଟି କୋଟି ଟଙ୍କା ପାଣିରେ ବି ପଡିଛି । ଆଦିବାସୀମାନଙ୍କ ଫସଲ ବି ଉଜୁଡିଯାଇଛି ।
ସିଏଜିଙ୍କ ଅଡିଟରୁ ଜଣାପଡିଛି ଯେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଏବଂ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ଅଧିନରେ ଜଳ ସମ୍ପଦ ବିକାଶ ପାଇଁ ୩୧ କୋଟି ୫୧ଲକ୍ଷ ଟଙ୍କା ବ୍ୟୟରେ ୬୪୪ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏଥିରୁ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ୮୩ଟି ପ୍ରକଳ୍ପ ୩ବର୍ଷ ପର୍ଯ୍ୟନ୍ତ ଅଚଳ ଥିଲା ବୋଲି ଅଣୁ ପ୍ରକଳ୍ପ ସଂସ୍ଥା (ଏମପିଏ) ମାନେ ରିପୋର୍ଟ କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଦୁର୍ବୃତ୍ତଙ୍କ ଦ୍ୱାରା ହୋଇଥିବା କ୍ଷୟକ୍ଷତି, ସୌର ପ୍ୟାନେଲ ଚୋରି, ଶୁଖିଲା ଉତ୍ସ, ମୋଟର କାମ ନକରିବା ଯୋଗୁଁ ଏଭଳି ହୋଇଥିଲା ।
ଅଡିଟ୍ ସମ୍ପୃକ୍ତ ଏମପିଏ ପ୍ରତିନିଧିଙ୍କ ଉପସ୍ଥିତିରେ ୬୪୪ଟି ପ୍ରକଳ୍ପ ମଧ୍ୟରୁ ୪୦ଟି ପ୍ରକଳ୍ପର ମିଳିତ ସରଜମିନ ତଦନ୍ତ କରିଥିଲେ । ଏଥି ମଧ୍ୟରୁ ଏମପିଏଙ୍କ ରିପୋର୍ଟ ଅନୁଯାୟୀ ୧୭ଟି ପ୍ରକଳ୍ପ ଅଚଳ ଓ ୨୩ଟି ପ୍ରକଳ୍ପ ସଚଳ ଥିଲା । ତେବେ ତଦନ୍ତବେଳେ ଜଣାପଡିଲା ଯେ ଅଚଳ ହୋଇପଡିଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ ଏମପିଏ ଦ୍ୱାରା କୌଣସି ପଦକ୍ଷେପ ନିଆଯାଇ ନଥିଲା । ୨୩ଟି କାର୍ଯ୍ୟକ୍ଷମ ବୋଲି ଦର୍ଶାଯାଇଥିବା ପ୍ରକଳ୍ପ ମଧ୍ୟରୁ ୬ଟି ଅଚଳ ଥିଲା ।
ଯଦିଓ ଏହି ପ୍ରକଳ୍ପଗୁଡିକ ବର୍ଷେରୁ ଅଧିକ ସମୟ ଧରି ଅଚଳ ଥବଲା ତଥାପି ଏମପିଏ ଏବଂ ସମ୍ପୃକ୍ତ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡିସି) ମାନେ ଏହାକୁ ଅଚଳ ବୋଲି ରିପୋର୍ଟ କରିନଥିଲେ କିମ୍ବା ଏହି ପ୍ରକଳ୍ପର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଏମପିଏମାନଙ୍କ ଦ୍ୱାରା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ସ୍ଥିତି ବିଷୟରେ ବାସ୍ତବତାରୁ ଅଧିକ ରିପୋର୍ଟ କରାଯାଇଥିଲା ।
ଅଡିଟ୍ ବେଳେ ଦେଖିବାକୁ ମିଳିଥିଲା ଯେ ଜଳସେଚନ ପ୍ରକଳ୍ପର ମରାମତି କିମ୍ବା ରକ୍ଷଣା ବେକ୍ଷଣ ପାଇଁ କୌଣସି ପାଣ୍ଠିର ବ୍ୟବସ୍ଥା ନଥିଲା । ମାର୍ଗଦର୍ଶିକା ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ କମିଟିଗୁଡିକ ଉପଭୋକ୍ତାଙ୍କ ଠାରୁ ଶୁଳ୍କ ସଂଗ୍ରହ କରି ପ୍ରକଳ୍ପର ପରିଚାଳନା ଓ ରକ୍ଷଣା ବେକ୍ଷଣ କରିବେ । ବାସ୍ତାରେ କମିଟିଗୁଡିକ ସେଭଳି ପଦକ୍ଷେପ ଗ୍ରହଣ କରିନଥିବାରୁ ପ୍ରକଳ୍ପଗୁଡିକ ଅଚଳ ହୋଇ ପଡିରହିଥିଲା ।
ଏହିପରି ଗରିବ ଆଦିବାସୀମାନଙ୍କ ଠାରୁ ଉପଭୋକ୍ତା ଶୁଳ୍କ ସଂଗ୍ରହ ମାଧ୍ୟମରେ ଜଳସେଚନ ପ୍ରକଳ୍ପର ମରାମତି ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରଣୀୟ ନଥିଲା, ଯେଉଁଥିରେ ପ୍ରକଳ୍ପଗୁଡିକ ସ୍ଥାୟୀଭାବେ ଚାଲିପାରିଲା ନାହିଁ । ଏହା ଆଦିମ ଆଦିବାସୀଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ଚନ୍ଦ୍ରଗିରି ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମରେ ଏଭଳି ଦେଖିବାକୁ ପାଇଥିଲେ ଏଜି ଅଡିଟ୍ କର୍ତ୍ତୃପକ୍ଷ । ସେଠାରେ ଜଳସେଚନ ପାଇଁ ୨୦୨୨ ମସିହାରେ ଗଠନ ସୌରଶକ୍ତି ପ୍ରକଳ୍ପଟି ଅଚଳ ଯୋଗୁଁ ଚାଷୀମାନେ କରିଥିବା ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିଲା । (ତଥ୍ୟ)

