Home Mining ଆଦାୟ ହୋଇପାରୁ ନାହିଁ ଖଣି ଜୋରିମାନା

ଆଦାୟ ହୋଇପାରୁ ନାହିଁ ଖଣି ଜୋରିମାନା

ଭୁବନେଶ୍ୱର : ଖଣି ଓ ବିଭିନ୍ନ କଳକାରଖାନାରେ ଚଢଉ ସମୟରେ ଅନିୟମିତତା ଯୋଗୁଁ ଯେତିକି ଜୋରିମାନା ଲଗାଯାଉଛି ତାହା ଆଦାୟ ହୋଇପାରୁ ନାହିଁ । ଖଣି ଓ କମ୍ପାନୀମାନେ ଜୋରିମାନା ଅର୍ଥ ପଇଠ କରୁନାହାନ୍ତି । ଗତ ତିନି ବର୍ଷରେ ୧୪୪୦ କୋଟି ଟଙ୍କାର ଜୋରିମାନା ଲାଗିଥିବାବେଳେ ଆଦାୟ ହୋଇଛି ୧୨କୋଟି ଟଙ୍କା ।

ଅନିୟମିତତା ଅଭିଯୋଗରେ ରାଜ୍ୟ ସ୍ତରୀୟ ସ୍କ୍ୱାଡ୍‍ ବିଭିନ୍ନ ଖଣି ଓ ତତ୍‍ ସଂଲଗ୍ନ କାରଖାନାରେ ଚଢାଉ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୫୧ଟି ଖଣି ଓ ୨୫ଟି କାରଖାନାରେ ଚଢଉ ହୋଇଥିଲା । ଏମାନଙ୍କ ଉପରେ କର୍ତ୍ତୃପକ୍ଷ ୮୦୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଜୋରିମାନା ଲଗାଇଥିଲେ । ତେବେ ଏଥିରୁ ଆଦାୟ ହୋଇଛି ମାତ୍ର ୮କୋଟି ୪ଲକ୍ଷ ଟଙ୍କା । ସେହଭଳି ୨୦୨୩-୨୪ ବର୍ଷରେ ୪୯ଟି ଖଣି ଓ ୧୩ଟି କାରଖାନାରେ ରାଜ୍ୟସ୍ତରୀୟ ସ୍କ୍ୱାଡ୍‍ ଚଢଉ କରିଥିବାବେଳେ ୩୮୪ କୋଟି ୩୮ଲକ୍ଷ ଟଙ୍କାରୁ ଅଧିକ ଜୋରିମାନା ଲାଗିଥିଲା । ହେଲେ ଆଦାୟହୋଇଛି ପ୍ରାୟ ୩କୋଟି ୩୦ଲକ୍ଷ ଟଙ୍କା ।

ଚଳିତ ଆର୍ଥିକ ବର୍ଷରେ ୫୪ଟି ଖଣି ଓ ୪ କାରଖାନାର ଯାଞ୍ଜ କରି ସ୍କ୍ୱାଡ୍‍ ୨୫୧ କୋଟି ୩୪ଲକ୍ଷ ଟଙ୍କା ଜୋରିମାନା କରିଥିବାବେଳେ ଆଦାୟ ପରିମାଣ ଏକ କୋଟି ଟଙ୍କା ବି ଟପିନାହିଁ । ମୋଟାମୋଟି ଭାବେ ଏହି ତିନି ବର୍ଷରେ ରାଜ୍ୟସ୍ତରୀୟ ସ୍କ୍ୱାଡ୍‍ ୧୫୪ଟି ଖଣି ଓ ୪୨ଟି କମ୍ପାନୀର ଯାଞ୍ଚ କରି ଜୋରିମାନା ଲଗାଇଥିଲେ ।

ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‍ ମଧ୍ୟ ଖଣି ଅନିୟମିତତାର ଅଭିଯୋଗ ପାଇ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ । ୨୦୨୨-୨୩ ରୁ ୨୦୨୪-୨୫ ବର୍ଷର ଡିସେମ୍ବର ସୁଦ୍ଧା ୭୯୧ମାମଲା ରୁଜୁ ହୋଇଛି । ଏହି ମାମଲା ରୁଜୁ ସହିତ ସ୍କ୍ୱାଡ୍‍ ୨ଲକ୍ଷ ୩୫ହଜାର ମେଟ୍ରିକ ଟନ୍‍ ଖଣିଜ ସାମଗ୍ରୀ ଜବତ କରିଛନ୍ତି । ଖଣିଜ ସାମଗ୍ରୀ ସହିତ ୩୧୧ଟି ଯାନ ବି ଜବତ ହୋଇଛି ।

ଜବତ ହୋଇଥିବା ଖଣିଜ ସାମଗ୍ରୀର ମୂଲ୍ୟ ୨୦କୋଟି ୩୭ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବାବେଳେ ଜୋରିମାନା ଓ ଖଣିଜ ସାମଗ୍ରୀର ଦର ବାବରେ ଆଦାୟ ହୋଇଛି ପାଖାପାଖି ୬କୋଟି ଟଙ୍କା । ସବୁଠାରୁ ଅଧିକ ମାମଲା ସହିତ ଜୋରିମାମା ଲାଗି ୨୦୨୩-୨୪ବର୍ଷରେ । ଏହିବର୍ଷ ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‍ ୩୫୧ମାମଲା ରୁଜୁ କରିଥିବାବେଳେ ୧୮୫ଟି ଗାଡିଜବତ କରିଥିଲା । ଏଥି ସହିତ ୧ଲକ୍ଷ ୫୮ହଜାର ମେଟ୍ରିକ ଟନ୍‍ରୁ ଅଧିକ ଖଣିଜ ସାମଗ୍ରୀ ବି ଜବତ କରିଥିଲା । ଏହାର ମୂଳ୍ୟ ୧୭କୋଟି ୬୨ଲକ୍ଷ ଟଙ୍କାରୁ ଅଧିକ ହୋଇଥିବାବେଳେ ତହବିଲକୁ ଆସିଛି ମାତ୍ର ୨କୋଟି ୫୬ଲକ୍ଷ ଟଙ୍କା ।

ମୋଟାମୋଟି ଭାବେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‍ ସରକାରୀ ଅର୍ଥ ଶ୍ରାଦ୍ଧ କରି ବ୍ୟାପକ ଯାଞ୍ଚ ଓ ଚଢାଉ କରିବା ସହିତ ମୋଟା ଅଙ୍କର ଜୋରିମାନା ଲଗାଉଥିବାବେଳେ ଖଣି ଓ କାରଖାନାଗୁଡିକ କିନ୍ତୁ ସରକାରଙ୍କୁ ଖାତିର କରୁଥିବା ଭଳି ମନେ ହେଉନାହିଁ । ଭୟ ନଥିବାରୁ ସରକାର ଲଗାଉଥିବା ଜୋରିମାନା ପଇଠ କରୁ ନାହାନ୍ତି । (ତଥ୍ୟ)