Home News in Odia ଆଦାୟ ହେଉନି ବିଜୁଳି ବକେୟା

ଆଦାୟ ହେଉନି ବିଜୁଳି ବକେୟା

ଭୁବନେଶ୍ୱର : ବିଦ୍ୟୁତ୍‍ ଦରବୃଦ୍ଧି ଲାଗି ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ(ଓଇଆରସି) ରେ ଶୁଣାଣି ଚାଲିଛି । ଦୁଇ ସରକାରୀ ସଂସ୍ଥା ଓପିଜିସି ଓ ଓଏଚ୍‍ପିସି ଦର ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରୁଥିବାବେଳେ ଖାଉଟି ସଂଘ ବିରୋଧ କରୁଛି । ଗୋଟିଏ ପଟେ ଦରବୃଦ୍ଧି ପାଇଁ ଶୁଣାଣି ଚାଲିଥିବାବେଳେ ଅନ୍ୟପଟେ ବାକିଆ ବିଜୁଳି ଅର୍ଥ ଆଦାୟ ହୋଇପାରୁ ନାହିଁ ।

ସେସୁର ପରିଚାଳନା ଭାର ଟାଟା ପାୱାର ହାତକୁ ଯିବାପରେ ଆଉ ୩ଟିକୁ ଏହି ସଂସ୍ଥା କରାୟତ କରିସାରିଲାଣି । ବର୍ତ୍ତମାନ ଏହି ଚାରି ସଂସ୍ଥାର ବାକି ୪ହଜାର କୋଟି ଟଙ୍କାରୁ ଅଧିକ । ସାଧାରଣ ଘରୋଇ ଗ୍ରାହକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପସଂସ୍ଥା ଓ ସରକାରୀ ସଂସ୍ଥା ଉପରେ ଏହି ବାକିଆ ଗଡୁଛି । ତେବେ ବାକି ଆଦାୟ ପାଇଁ ଯେତେ ଉଦ୍ୟମ କଲେ ବି ଆଶାନୁରୂପ ଫଳ ମିଳୁନାହିଁ ।

ବିଜୁଳି ବ୍ୟବସ୍ଥା ଉପରେ କେବଳ ବାକି ବୋଝ ହୋଇନାହିଁ, ସମସ୍ତ ପ୍ରକାର ସହାୟତା ସତ୍ୱେ ବଣ୍ଟନ ଓ ପରିବହନ ଜନିତ କ୍ଷତି ବି ଆଶାନୁରୂପ ଭାବେ ହ୍ରାସ ପାଉନାହିଁ । ପୂର୍ବର ସେସୁ ଓ ସାଉଥ୍‍କୋ ଅଞ୍ଚଳରେ ଏହି କ୍ଷତି ସର୍ବାଧିକ ରହିଛି । ବିଶ୍ୱବ୍ୟାଙ୍କ୍‍ ଋଣ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଯୋଜନାରେ ଭିତ୍ତିଭୂମି ଉନ୍ନତି ପାଇଁ ଯେତେ ଅର୍ଥ ଯୋଗାଇଲେ ମଧ୍ୟ ବଣ୍ଟନ ଓ ପରିବହନ ଜନିତ କ୍ଷତି ଢେର ଅଧିକ ରହୁଛି । ଏହି କ୍ଷତିକୁ ବଣ୍ଟନକାରୀ କମ୍ପାନୀମାନେ ବହନ କରୁଥିବା କୁହାଯାଉଥିଲେ ବି କମ୍ପାନୀମାନେ ନେଇଥିବା ମୋଟା ଅଙ୍କର ଋଣ ପରିଶୋଧ କରୁନାହାନ୍ତି । ସେସୁ ଓ ସାଉଥ୍‍କୋର ଏହି କ୍ଷତି ଏବେ ବି ୨୦ ପ୍ରତିଶତ ଉପରେ ରହିଥିବାବେଳେ ନେସ୍କୋ ଓ ୱେସ୍କୋର କ୍ଷତି ୨୦ ପ୍ରତିଶତ ତଲେ ରହିଥିବା ସରକାରୀ ଭାବେ କୁହାଯାଉଛି ।

ସେହିଭଳି ବିଜୁଳି ଚୋରି ରୋକିବାପାଇଁ ବିଜୁଳି ଥାନା ପ୍ରତିଷ୍ଠା ଠାରୁ ଆରମ୍ଭ କରି ବଣ୍ଟନକାରୀ କମ୍ପାନୀମାନେ ନାନା ପଦକ୍ଷେପ ଗ୍ରହଣ କରୁଥିବାବେଳେ ତାହା ବି ସେଭଳି ସଫଳତା ଦେଉନାହିଁ । ବିଜୁଳି ଚୋରି କିଭଳି ଭାବେ ହେଉଛି ତାହା ଜାଣିବାପାଇଁ ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ଯିବା ଆବଶ୍ୟକ ନାହିଁ । ଖୋଦ ରାଜଧାନୀର ଗଳିକନ୍ଦି ଓ ହାଟଗୁଡିକରେ ଏହାର ମାଳ ମାଳ ଉଦାହରଣ ।

ରାଜଧାନୀରେ ସରକାରୀ ଜମି ଜବରଦଖଲ ବେଆଇନ୍‍ ହୋଇଥିବାବେଳେ ଜବରଦଖଲକାରୀଙ୍କୁ ବିଜୁଳି ସଂଯୋଗ ଦେଇ ବଣ୍ଟନକାରୀ କମ୍ପାନୀମାନେ ତାହାକୁ ଏକ ପ୍ରକାର ଆଇନ୍‍ରେ ପରିଣତ କରିଦେଉଛନ୍ତି । ଯେତେବେଳେ ବେଆଇନ୍‍ ନିର୍ମାଣ ଭାଙ୍ଗିବାକୁ ସରକାର ଦଳ ବଳ ନେଇ ଯାଉଛନ୍ତି ସେତେବେଳେ ଏହି ଜବରଦଖଲକାରୀମାନେ ବିଜୁଳି ବିଲ୍‍ ବଳରେ ରହିତାଦେଶ ସଂଗ୍ରହ କରୁଛନ୍ତି । ରାଜଧାନୀର ଏକାଧିକ ବସ୍ତିରେ ଚୋରାରେ ବିଜୁଳି ଯୋଗାଣ ଏକ ସାଧାରାଣ ପ୍ରଥାରେ ପଡିଗଲାଣି । ଏ ବାବଦରେ ବଣ୍ଟନକାରୀ କମ୍ପାନୀଗୁଡିକ ବିପୁଳ କ୍ଷତି ସହୁଥିବାବେଳେ ଯେଉଁ ହାରରେ କାର୍ଯ୍ୟାନୁଷ୍ଠାନ କରିବାକଥା ତାହା କରୁନାହାନ୍ତି ।

ଗୋଟିଏ ପଟେ ବକେୟା ଆଦାୟ ହୋଇପାରୁନଥିବା ଏବଂ ଅନ୍ୟ ପଟେ ବଣ୍ଟନ ଓ ପରିବହନ ଜନିତ କ୍ଷତି ସହିତ ବିଜୁଳିର ଚୋରା ଚାଲାଣ ସମଗ୍ର ବ୍ୟବସ୍ଥାକୁ ଦୁର୍ବଳ କରୁଥିବାବେଳେ ବାରମ୍ବାର ବିଜୁଳି ଦର ବୃଦ୍ଧିର ବୋଝ ସାଧାରଣ ଖାଉଟିଙ୍କ ମୁଣ୍ଡରେ ପଡୁଛି । ତେଣୁ ତୁରନ୍ତ ବକେୟା ଆଦାୟ ସହିତ ବିଜୁଳି ଚୋରା କାରବାର ବିରୁଦ୍ଧରେ ଅଭିଯାନ ପାଇଁ ଦାବି ହେଉଛି ।