ଭୁବନେଶ୍ୱର : ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷାଦାନ ଲାଗି ୫-ଟି ଆଧାରରେ ରାଜ୍ୟର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ରେ ସ୍ମାର୍ଟ ଶ୍ରେଣୀ ଗୃହ ସ୍ଥାପନ କରାଯିବ । ପାଠପଢାରେ ଉନ୍ନତି ଆଣିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ ୨୨୫୦ଟି ସ୍ମାର୍ଟ ଶ୍ରେଣୀ ଗୃହ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି ।
ମଲ୍ଟି ମିଡିଆ ପ୍ଲାଟଫର୍ମରେ ସୂଚନା ଯୋଗାଯୋଗ ଜ୍ଞାନକୌଶଳ (ଆଇସିଟି) ବ୍ୟବହାର କରି ସ୍ମାର୍ଟ ଶ୍ରେଣୀ ଗୃହ ପ୍ରସ୍ତୁତ ହେବ । ଏହା ଦ୍ୱାରା ଠିକଣା ସମୟରେ ପାଠପଢା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଦକ୍ଷ କରାଯିବ । ଅନୁରୂପ ଭାବେ ରାଜ୍ୟ ସରକାର ୧୯୯ ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାନୁଷ୍ଠାନକୁ ସିସିଟିଭି ନଜରରେ ରଖିବେ । ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ଏହି ସବୁ ବିଦ୍ୟାଳୟରେ ସିସିଟଭି ଲଗାଇବାପାଇଁ ସ୍ଥିର କରିଛନ୍ତି ।
ଚଳିତ ବର୍ଷ ଜୁନ୍ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ବିଦ୍ୟାଳୟ ଏବଂ ୨୮ଟି ଛାତ୍ରାବାସ କୋଠାକୁ ଉଦ୍ଘାଟନ କରିବା ସହିତ ୨୭୬ ଛାତ୍ରବାସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଗାମୀ ଦିନରେ ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସିରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ ସୂଚନା ଦେଇଥିଲେ ।
ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ୨୦୧୫ ସେପ୍ଟେମ୍ବର ୧୯ ତାରିଖରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସୋସାଇଟି ପଞ୍ଜିକରଣ ଆଇନ୍ ୧୮୬୦ ଅଧିନରେ ପ୍ରତିଷ୍ଠା ହୋଇଛି । ଏହି ମହତ୍ୱାକାଂକ୍ଷୀ ବିଦ୍ୟାଳୟ ପଛରେ ରାଜ୍ୟ ସରକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସିବିଏସ୍ଇ ଅନୁବନ୍ଧନରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଇଂରାଜୀ ମାଧ୍ୟମ ମାନର ବିଦ୍ୟାଳୟ ପ୍ରତିଷ୍ଠା ସହିତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା । (ତଥ୍ୟ)