Home News in Odia ଆଣ୍ଠୁଏ ପାଣିରେ ସ୍କୁଲ ପିଲା

ଆଣ୍ଠୁଏ ପାଣିରେ ସ୍କୁଲ ପିଲା

ଭୁବନେଶ୍ୱର : ରାଜଧାନୀରେ ଆଜି ମୌସୁମୀବାୟୁ ପହଞ୍ଚିଥିବାବେଳେ ପ୍ରଥମ ବର୍ଷାରେ ସ୍କୁଲ ପିଲାମାନେ ଆଣ୍ଠୁଏ ପଶି ସ୍କୁଲରୁ ବାହାରିଛନ୍ତି । ଏଭଳି ଅବସ୍ଥା ସହରର କୌଣସି ତଳିଆ ଅଞ୍ଚଳରେ ନୁହେଁ ଖୋଦ ବିଏମ୍‍ସି ମୁଖ୍ୟଦପ୍ତର ପାଶ୍ୱର୍ରେ ଥିବା ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଫାଟକ ନିକଟରେ ଦେଖିବାକୁ ମିଳିଛି ।

ସହରରେ ଆଜି ୯୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଥିଲେ ମଧ୍ୟ ଉଚ୍ଚ ସ୍ଥାନରେ ଥିବା ଏହି ବିଦ୍ୟାଳୟ ନିକଟବର୍ତ୍ତୀ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଚାଲିଥିଲା । ବର୍ଷା ଜୋରରେ ହେଉଥିବା ସମୟରେ ବିଦ୍ୟାଳୟର ପ୍ରଥମ ବ୍ୟାଚ୍‍ ପିଲାଙ୍କର ଛୁଟି ହୋଇଥିଲା । ଦ୍ୱିତୀୟ ବ୍ୟାଚ୍‍ ପିଲା ଆସିବାକୁ ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ଢୁ ଢୁ ବର୍ଷା ସମୟରେ ବାହାରକୁ ଛାଡିଥିଲେ । ଦୁଇ ନମ୍ବର ଫାଟକ ସମ୍ମୁଖରେ ପିଲାମାନେ ଆଣ୍ଠୁଏ ପାଣିରେ ପଶି ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା । ପୋଷାକ, ଜୋତା ଓ ବହିଖାତା ସବୁ ଓଦା ହୋଇଯାଇଥିଲା ।

ହ୍ୟୁମାନ ଲାଇଫ୍‍ ସେଣ୍ଟର ଓ କେନ୍ଦ୍ରୀୟ ବିଦ୍ୟାଳୟ ମଝିରେ ଥିବା ଏହି ରାସ୍ତାଟି ସାମାନ୍ୟ ବର୍ଷାଜଳରେ ଉବୁଟୁବୁ ହେଉଥିଲେ ମଧ୍ୟ ଦୀର୍ଘଦିନ ଧରି ସ୍ମାର୍ଟସିଟି କର୍ତ୍ତୃପକ୍ଷ କିମ୍ବା ବିଏମ୍‍ସି ଏହାର ସମାଧାନ କରିପାରୁ ନାହାନ୍ତି । ବର୍ଷା ହେଲା ମାତ୍ରେ ସେଣ୍ଟ ଜୋସେଫ ବିଦ୍ୟାଳୟ ନିକଟରୁ ପାଣି ତଳକୁ ଆସି ସିଧାସଳଖ କେନ୍ଦ୍ରୀୟ ବିଦ୍ୟାଳୟ ଭିତରେ ପ୍ରବେଶ କରୁଛି । କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ନମ୍ବର ଫାଟକ ନିକଟରେ କିଛି ଅଞ୍ଚଳ ଜବରଦଖଲ ହେବା ଫଳରେ ପାଣି ଡ୍ରେନରେ ଯିବା ବଦଳରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପଶୁଛି । ବର୍ଷା ସମୟରେ ଜଳ ପ୍ରବେଶର ଗତି ଏତେ ତୀବ୍ର ହେଉଛି ଯେ ଛୋଟ ଛୋଟ ପିଲାମାନେ ସୁଅରେ ଠେଲିହୋଇ ଯାଉଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୟ ପଟରେ ବିଏମ୍‍ସି ଦପ୍ତର ଥିବାବେଳେ ଏହି ଦୀର୍ଘଦିନର ଜଳବନ୍ଦୀ ସମସ୍ୟାଟି କିନ୍ତୁ ଦୂର ହୋଇପାରୁ ନାହିଁ । ଏହି ଅଞ୍ଚଳରେ ଏକାଧିକ ଶିକ୍ଷାନୁଷ୍ଠାନ ଥିବାବେଳେ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବାଟ ନାହିଁ । ଯେଉଁ ଡ୍ରେନଟି ରହିଛି ସେଥି ମଧ୍ୟକୁ ବର୍ଷାଜଳ ସହଜରେ ପ୍ରବେଶ କରିପାରୁ ନାହିଁ ।

ଏ ସଂକ୍ରାନ୍ତରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଭିନ୍ନ ଉପାୟରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଯେତେବେଳେ ଚାପ ପଡୁଛି କର୍ତ୍ତୃପକ୍ଷ ଆସି ଜବରଦଖଲ ଉଚ୍ଛେଦ କରି କାମସାରି ଦେଉଛନ୍ତି । ତେବେ ବର୍ଷାଜଳ କେଉଁଆଡେ ଯିବ ତାହାର କୌଣସି ବ୍ୟବସ୍ଥା କରୁନାହାନ୍ତି କି ଏଠାରେ ଥିବା ଡ୍ରେନରେ କିଭଳି ବର୍ଷାଜଳ ନିଷ୍କାସନ ହେବ ସେଥିନେଇ ପଦକ୍ଷେପ ନେଉ ନାହାନ୍ତି । ଫଳରେ ସାମାନ୍ୟ ଅସରାଏ ବର୍ଷା ହେଲେ ଏଠାରେ ପିଲାମାନେ ବିଦ୍ୟାଳୟରୁ ବାହାରି ପାରୁନାହାନ୍ତି ।

କେବଳ କେନ୍ଦ୍ରୀୟ ବିଦ୍ୟାଳୟ ନୁହେଁ ମୌସୁମୀର ପ୍ରଥମ ବର୍ଷାରେ ଆଜି ରାଜଧାନୀର ଅଧିକାଂଶ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । କମିଶନରେଟ ପୁଲିସ୍‍ ଦପ୍ତର ସମ୍ମୁଖରେ ରାସ୍ତା ଦୃଶ୍ୟମାନ ହେଉନଥିଲା । ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଡଙ୍ଗା ଚାଲିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା ।

ମୌସୁମୀ ପୂର୍ବରୁ ରାଜଧାନୀର ଡ୍ରେନଗୁଡିକୁ ସଫା ସୁତୁରା ରଖିବାପାଇଁ କର୍ତ୍ତୃପକ୍ଷ ବାରମ୍ବାର ଘୋଷଣା କରୁଥିଲେ ମଧ୍ୟ ସେଥିପ୍ରତି ଯେ ସମସ୍ତେ ବିମୁଖ ତାହା ଆଜି ପ୍ରଥମ ମୌସୁମୀ ବର୍ଷାରେ ଜଳ ଜଳ ହୋଇ ଦିଶିଲା । ଯଦି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆନଯାଏ ତେବେ ରାଜଧାନୀର ବିଭିନ୍ନ ସ୍ଥାନରେ ଇସ୍କନ ସମ୍ମୁଖ ରାସ୍ତା ଭଳି ସ୍ଥିତି ଉପୁଜିବ ବୋଲି ସହରବାସୀ ଆଶଙ୍କା କରୁଛନ୍ତି । (ତଥ୍ୟ)