Home Education ଆଠ କଲେଜର ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ଆଠ କଲେଜର ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ଭୁବନେଶ୍ୱର : ଓଡିଶାରେ ଆଠଟି ସରକାରୀ ଡିଗ୍ରୀ କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିବାବେଳେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅନ୍ୟ କଲେଜଗୁଡିକ ଭିତରୁ ଆଉ ଅନ୍ୟୁନ ଆଠଟି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଦାବି ହେଉଛି ।

ଓଡିଶାରେ ୫୨ଟି ସରକାରୀ ଡିଗ୍ରୀ କଲେଜ ରହିଥିଲା । ଏଥିରୁ ଅବଶ୍ୟ କେତେକରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଥିଲା । ଇତି ମଧ୍ୟରେ ରାଜ୍ୟ ସରକାର କଟକର ରେଭେନ୍ସା ଓ ଭୁବନେଶ୍ୱରର ରମାଦେବୀ ମହିଳା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି । ସମ୍ବଲପୁରର ଗଙ୍ଗାଧରମେହେର କଲେଜ, ବ୍ରହ୍ମପୁରର ଖଲିକୋଟ କଲେଜ, ବଲାଙ୍ଗିରର ରାଜେନ୍ଦ୍ର କଲେଜ ମଧ୍ୟ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇସାରିଛନ୍ତି । ବାରିପଦା, କେନ୍ଦୁଝର ଓ ଜୟପୁରରେ ଥିବା ଆଉ ତିନିଟି ସରକାରୀ କଲେଜ ବି ବିଶ୍ୱବିଦ୍ୟାଳୟକୁ ଉନ୍ନିତ ହୋଇସାରିଛି ।

ତେବେ ଏହି ୮ଟି ଯାକ ବିଶ୍ୱବିଦ୍ୟାଳୟରେ ବ୍ୟାପକ ସଂଖ୍ୟାରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀମାନ ଖାଲି ପଡିଥିବାରୁ ଶିକ୍ଷାଦାନ, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟଗୁଡିକରୁ ଅଧିକାଂଶରେ ନିୟମିତ କୁଳପତି ମଧ୍ୟ ନାହାନ୍ତି ।

ଅନ୍ୟ ପକ୍ଷରେ ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ କଲେଜ, ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତକ କଲେଜ ସମେତ ଭଦ୍ରକ, କେନ୍ଦ୍ରାପଡା, ପାରଳାଖେମୁଣ୍ଡି, ଫୁଲବାଣୀ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରେ ଥିବା ପୁରାତନ ଅଗ୍ରଣୀ କଲେଜଗୁଡିକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାପାଇଁ ଦାବି ବଢିବାରେ ଲାଗିଛି । ବିଶେଷକରି ବିଜେପି ବିରୋଧିଦଳରେ ଥିବାବେଳେ ଅଧିକାଂଶ କ୍ଷେତ୍ରରେ ଏହି ଦାବିକୁ ସମର୍ଥନ କରିଥିବାରୁ ଏବେ ଏହି ଜିଲ୍ଲାଗୁଡିକରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଶା ଉଜ୍ୱଳ ବୋଲି କୁହାଯାଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କିନ୍ତୁ ନିର୍ଦ୍ଦିଷ୍ଟଭାବେ ଏଯାବତ୍‍ କିଛି ଘୋଷଣା କରାଯାଇ ନାହିଁ ।

ରାଜ୍ୟରେ ଥିବା ପ୍ରାୟ ୪୪ଟି ସରକାରୀ ଡିଗ୍ରୀ କଲେଜରେ ଏବେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଓ ଯୁକ୍ତଦୁଇ ସରକାରୀ ଶିକ୍ଷାନୁଷ୍ଠାନଗୁଡିକ ବି ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଭରସା କରି ଚାଲିଛି । ଏଗୁଡିକରେ ବି ବ୍ୟାପକ ସଂଖ୍ୟକ ଅଧ୍ୟାପକ ପଦବୀ ଖାଲି ରହିଥିବାରୁ ଅତିଥି ଅଧ୍ୟାପକଙ୍କୁ ଭରସା କରି ପାଠପଢା ହେଉଛି ।

ଓଡିଶାରେ ଏବେ ଉଚ୍ଚଶିକ୍ଷା ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନ୍ୟୁନ ୧୭ଟି ବିଶ୍ୱବିଦ୍ୟାଳୟ ରହିଛି । ଏଥିରୁ ୧୪ଟିରେ ନିୟମିତ କୁଳପତି ନାହାନ୍ତି । ଏହାଛଡା ଏହି ବିଶ୍ୱବିଦ୍ୟାଳୟଗୁଡିକରେ ପାଖପାଖି ୬୦ ପ୍ରତିଶତ ଶିକ୍ଷକ ପଦବୀ ଓ ୭୦ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଥିବାରୁ ନାକ୍‍ ସୂଚକାଙ୍କରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ଉଚ୍ଚମାନ ପାଇପାରୁ ନାହାନ୍ତି ଏବଂ ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ଓ ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ରହିପାରୁନାହିଁ ।

ଏ ପରିପ୍ରେକ୍ଷୀରେ ଏକଦା ରାଜ୍ୟର ଅଗ୍ରଣୀ କଲେଜ ଭାବେ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନୁଗୁଡିକ ନାକ୍‍ ରେଟିଂ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଭଲ ପ୍ରଦର୍ଶନ କରିଆସୁଥିଲେ ସେଗୁଡିକ ବିଶ୍ୱବିଦ୍ୟାଳୟକୁ ଉନ୍ନିତ ହେବାପରେ କିନ୍ତୁ ସ୍ଥିତିରେ ଢେର ଅବନତି ଦେଖାଯାଉଛି । ଅନ୍ୟ ପକ୍ଷରେ ଯେଉଁ ଜିଲ୍ଲାଗୁଡିକରେ ବିଶ୍ୱବିଦ୍ୟାଳୟମାନ ନାହିଁ ସେଠାରେ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଦାବି ଜୋର ଧରୁଛି । ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଥିବାରୁ ବିଭିନ୍ନ ଜିଲ୍ଲାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଉପରେ ଚାପ ବଢିବାରେ ଲାଗିଛି । (ତଥ୍ୟ)