Home General ଆଠଟି ଦଳର ସମ୍ପତ୍ତି ୮୮୨୯ କୋଟି

ଆଠଟି ଦଳର ସମ୍ପତ୍ତି ୮୮୨୯ କୋଟି

ଭୁବନେଶ୍ୱର : ଦେଶର ଆଠଟି ରାଜନୈତିକ ଦଳର ଘୋଷିତ ସମ୍ପତ୍ତିର ପରିମାଣ ହେଉଛି ୮୮୨୯.୧୫୮ କୋଟି ଟଙ୍କା । ୨୦୨୧-୨୨ ବର୍ଷ ପାଇଁ ଆଠଟି ଦଳର ଏତିକି ସମ୍ପତ୍ତି ଦର୍ଶାଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଏମାନଙ୍କ ସମ୍ପତ୍ତିର ପରିମାଣ ୭୨୯୭.୬୧୮ କୋଟି ଟଙ୍କା ଥିଲା ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏହି ସୂଚନା ପ୍ରଦାନ କରିଛି । ୨୦୨୧-୨୨ ବର୍ଷ ପାଇଁ ଏହି ସମ୍ପତ୍ତି ସୂଚନା ଦେଇଥିବା ଏହି ୮ଟି ଦଳ ମଧ୍ୟରେ ରହିଛନ୍ତି ବିଜେପି, କଂଗ୍ରେସ, ସିପିଏମ୍‍, ବିଏସ୍‍ପି, ଏଆଇଟିସି, ଏନ୍‍ସିପି, ସିପିଆଇ ଓ ଏନ୍‍ଇଇପି ।

ଏହି ସୂଚନା ଅନୁଯାୟୀ ୨୦୨୦-୨୧ ବର୍ଷରେ ବିଜେପିର ଘୋଷିତ ସମ୍ପତ୍ତି ୪୯୯୦.୧୯୫ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ ବର୍ଷରେ ୬୦୪୬.୮୧ କୋଟି ଟଙ୍କାର ପହଞ୍ଚିଛି । ଅର୍ଥାତ୍‍ ଗୋଟିଏ ବର୍ଷ ମଧ୍ୟରେ ବିଜେପିର ସମ୍ପତ୍ତି ପରିମାଣ ୨୧.୧୭% ବୃଦ୍ଧି ପାଇଛି ।

ସେହିଭଳି କଂଗ୍ରେସର ସମ୍ପତ୍ତି ପରିମାଣ ୨୦୨୦-୨୧ ବର୍ଷରେ ୬୯୧.୧୧ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୮୦୫.୬୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଜାତୀୟ କଂଗ୍ରେସର ସମ୍ପତ୍ତି ପରିମାଣ ୧୬.୫% ବଢିଛି ।

ବହୁଜନ ସମାଜ ପାର୍ଟି (ବିଏସପି)ର ସମ୍ପତ୍ତ ପରିମାଣ କିନ୍ତୁ ଏହି ସମୟରେ ହ୍ରାସ ପାଇଛି । ଦଳର ସମତ୍ତି ପରିମାଣ ୫.୭୪% ହ୍ରାସ ପାଇଛି । ଅର୍ଥାତ୍‍ ଏହା ୭୩୨.୭୯ କୋଟିରୁ ୬୯୦.୭୧ କୋଟି ଟଙ୍କାକୁ କମି ଆସିଛି ।

ତେବେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି)ର ସମ୍ପତ୍ତି ପରିମାଣ ଏହି ବର୍ଷକ ମଧ୍ୟରେ ୧୫୧.୭୦% ବୃଦ୍ଧି ପାଇଛି । ଏହା ୨୦୨୦-୨୧ ରେ ୧୮୨ କୋଟି ଟଙ୍କାରୁ ୨୦୨୧-୨୨ ବର୍ଷରେ ୪୫୮.୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏନ୍‍ସିପିର ସମ୍ପତ୍ତି ପରିମାଣ ଏହି ସମୟ ମଧ୍ୟରେ ୩୦.୯୩୧ କୋଟି ଟଙ୍କାରୁ ୭୪.୫୩୫ କୋଟି ଟଙ୍କାକୁ ବଢିଥିବାବେଳେ ସିପିଆଇର ସମ୍ପତ୍ତି ପରିମାଣ ୧୪.୦୫ କୋଟି ଟଙ୍କାରୁ ୧୫.୭୨୮ କୋଟି ଏବଂ ଏନପିଇପିର ସମ୍ପତ୍ତି ପରିମାଣ ୧.୭୪୨ କୋଟି ଟଙ୍କାରୁ ୧.୮୨୫ କୋଟି ଟଙ୍କାକୁ ବଢିଛି ।

ସେହିଭଳି ୨୦୨୦-୨୧ ବର୍ଷରେ ରାଜନୈତିକ ଦଳଗୁଡିକ ସେମାନଙ୍କ ଉପରେ ୧୦୩.୫୫୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବା ଘୋଷଣା କରିଥିଲେ । କଂଗ୍ରେସ ସର୍ବାଧିକ ୭୧.୫୮ କୋଟି ଆର୍ଥିକ ବୋଝରେ ଥିବା ଘୋଷଣା କରିଥିବାବେଳେ ଏହା ପଛକୁ ୧୬.୧୦୯ କୋଟି ସହିତ ସିପିଆଇଏମ୍‍ ଦ୍ୱିତୀୟ ସ୍ଥାନରେ ରହିଥିଲା ।

୨୦୨୧-୨୨ ରେ କଂଗ୍ରେସ ଉପରେ ସର୍ବାଧିକ ୪୧.୯୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବାବେଳେ ସିପିଆଇଏମ୍‍ ଉପରେ ୧୨.୨୧ କୋଟି ଏବଂ ବିଜେପି ଉପରେ ୫.୧୭ କୋଟି ଟଙ୍କା ଥିବା ଦର୍ଶାଯାଇଥିଲା ।

୨୦୨୦-୨୧ ରୁ ୨୦୨୧-୨୨ ମଧ୍ୟରେ ପାଞ୍ଚଟି ରାଜନୈତିକଦଳ ସେମାନଙ୍କ ଆର୍ଥିକ ବୋଝ ହ୍ରାସ ପାଇଥିବା ଦର୍ଶାଇଥିଲେ । ଏଥି ମଧ୍ୟରେ କଂଗ୍ରେସର ସର୍ବାଧିକ ୨୯.୬୩ କୋଟି ଟଙ୍କା ହ୍ରାସ ପାଇଥିବାବେଳେ ବିଜେପିର ୬.୦୩୫ କୋଟି, ସିପିଆଇଏମ୍‍ର ୩.୮୯୯ କୋଟି, ଏଆଇଟିସିର ୧.୩୦୬ କୋଟି ଏବଂ ଏନ୍‍ସିପିର ଏକ ଲକ୍ଷ ଟଙ୍କାର ବୋଝ ହ୍ରାସ ପାଇଥିଲା ।

ତେବେ ଆସିଏଆଇ ମାର୍ଗଦର୍ଶିକାକୁ ଅଣଦେଖା କରି ରାଜନୈତିକ ଦଳଗୁଡିକ କେଉଁ ବ୍ୟାଙ୍କ୍‍ କିମ୍ବା ଅନ୍ୟ କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣୁଛନ୍ତି ତାହା ଦର୍ଶାଇ ନାହାନ୍ତି ।