ନୂଆଦିଲ୍ଲୀ : ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍ ୩.୦(ନ୍ୟାସନାଲ ଏଜୁକେସନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଇଡ଼ି-ଟେକ୍ କୋର୍ସ ବଂଟନ ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀ ଠାରେ ସୋମବାର ନ୍ୟାସନାଲ ଏଜ୍ୟୁକେସିନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି ବା ନିଟ୍ ୩.୦ ଏବଂ ଆଂଚଳିକ ଭାଷାରେ ଏଆଇସିଟିଇ ପ୍ରାପ୍ତ ବୈଷୟିକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଲକ୍ଷ ସାମାଜିକ – ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଇଡ଼ି-ଟେକ୍ କୋର୍ସ କୁପନ ବଂଟନ କରାଯାଇଛି । ସେଥିମଧ୍ୟରୁ ଓଡିଶାରେ ୩୩ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ୧୦ କୋଟି ମୂଲ୍ୟର ମାଗଣା ନିଟ୍ ଏଡ଼ି-ଟେକ୍ କୋର୍ସ କୁପନ ବିତରଣ କରାଯାଇଛି ।
ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛାତ୍ର ସମାଜକୁ ୨୦୨୨ ବର୍ଷ ଆରମ୍ଭର ସର୍ବଶ୍ରେଷ୍ଠ ଉପହାର ।
ଭାଷା ହେଉଛି ଭାରତର ମୂଳଶକ୍ତି । ଭାଷାକୁ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ରେ ମାତୃଭାଷା ଏବଂ ଆଂଚଳିକ ଭାଷାରେ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଆଜି ଶୁଭାରମ୍ଭ ହୋଇଥିବା ନିଟ୍ ୩.୦ ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଦ୍ୱାରା ଦେଶର ଛାତ୍ରଛାତ୍ରୀ ମାନଙ୍କୁ ସର୍ବୋତମ ବିକଶିତ ଶିକ୍ଷା ଏବଂ ବୈଷୟିକ ସମାଧାନ, ପାଠ୍ୟକ୍ରମ ତଥା ଆଂଚଳିକ ଭାଷାରେ ପ୍ରସ୍ତୁତ କରାଯାଇଥିବା ବୈଷୟିକ ପୁସ୍ତକ ପାଇଁ ଏକକ ପ୍ଲାଟଫର୍ମ ଯୋଗାଇବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ରୂପାନ୍ତରୀକରଣ ଆଜି ‘ନ୍ୟୁ ନର୍ମାଲ୍’ ହୋଇଛି । ତେଣୁ ଆମକୁ ଶିକ୍ଷାର କ୍ଷତି(ଲଣ୍ଣିଂ ଲସ୍) କୁ ଭରଣ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ହେବ । ଶିକ୍ଷା କ୍ଷତିକୁ ହ୍ରାସ କରିବା ପାଇଁ ଇ-କଂଟେଟ୍ ଏବଂ ନିଟ୍ ଭଳି ଡ଼ିଜିଟାଲ ଫ୍ରେମୱାର୍କ ଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି । ଭାରତ ଏବଂ ବିଶ୍ୱର ୫୮ଟି ଷ୍ଟାଟଅପ୍ ଏଡ୍-ଟେକ୍ କମ୍ପାନୀ ନିଟ୍ ସହ ସଂଶ୍ଲିଷ୍ଟ ଅଛନ୍ତି ।
୧୦୦ଟି ପାଠ୍ୟକ୍ରମ, ଶିକ୍ଷାର ଗୁଣବତାକୁ ବଜାୟ ରଖିବା ପାଇଁ ଇ-ରିସୋର୍ସ, ରୋଜଗାର ପାଇଁ ଆବଶ୍ୟକୀୟ ଦକ୍ଷତାର ବିକାଶ ତଥା ଶିକ୍ଷାର କ୍ଷତିକୁ ଭରଣ କରିବା ଦିଗରେ ଏହି କମ୍ପାନୀ କାର୍ଯ୍ୟ କରୁଛନ୍ତି । ଛାତ୍ରଛାତ୍ରୀ ସମାଜ ବିଶେଷ ଭାବରେ ଆର୍ôଥକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ଡ଼ିଭାଇଡକୁ ସମାଧାନ କରିବା ଦିଗରେ ନିଟ୍ ଏକ ଗେମ୍ ଚେଞ୍ଜର ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ “ମୋ ଜୀବନ ସେବେ ସାର୍ଥକ ହେବ ଯେବେ ମୋର ରାଜ୍ୟ ଓଡ଼ିଶାର ସନ୍ଥ କବି ଭୀମ ଭୋଇ ଏବଂ ଆଦିକବି ସାରଳା ଦାସଙ୍କ ରଚିତ ସାହିତ୍ୟ ମରାଠୀ ଓ ତାଲିମ ଭାଷା ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ କରି ପଢ଼ା ହେବ” ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବଂଶ ଶତାବ୍ଦୀରେ ଭାରତ ବିଶ୍ୱର ଜ୍ଞାନ ଆଧାରିତ ଆବଶ୍ୟକତାକୁ ପୂରଣ କରିବ । ଏଆଇସିଟିକୁ ଦକ୍ଷତା କ୍ଷେତ୍ରରେ ଥିବା ସୁଯୋଗର ପୂର୍ଣ୍ଣ ବ୍ୟବହାର ପାଇଁ ନିଟକୁ ସ୍କିଲ ଇଣ୍ଡିଆ ସହ ମିଶି ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ । ଏହି ପଦକ୍ଷେପ ନିଯୁକ୍ତିକୁ ଗତି ଦେବା ସହ ଯୁବପିଢ଼ିଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ । ଏଆଇସିଟିଇ ଏବଂ ଏଡ୍-ଟେକ୍ କମ୍ପାନୀ ସ୍ୱଳ୍ପ ମୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଇ-ରିସୋର୍ସ ପ୍ରଦାନ କରିବା ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ।
ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବ ଏବଂ ବାଣିଜ୍ୟ ଓ ଆର୍ôଥକ କାରବାର ପାଇଁ ସବୁଠୁ ଆକୃଷ୍ଟ ବଜାର ହେବ । ଆଂଚଳିକ ଭାଷାରେ ଶିକ୍ଷା ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବା ସହ ସେମାନଙ୍କୁ ବୈଶ୍ୱିକ ନାଗରିକ ଭାବେ ପ୍ରସ୍ତୁତ କରିବ । ଶିକ୍ଷାର ଉପଲବ୍ଧି ଏବଂ ସୁଲଭ ମୂଲ୍ୟରେ ଶିକ୍ଷା ପ୍ରଦାନ କରିବା ପାଇଁ ସମସ୍ତ ଏଡ-ଟେକ୍ନିକାଲ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ଡି ପ୍ରଫେସର ସହସ୍ର ବୁଦ୍ଧେ ଏବଂ ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।