Home Election ଆଞ୍ଚଳିକ ଦଳର ପ୍ରାର୍ଥୀ ଅଧିକ ଧନୀ

ଆଞ୍ଚଳିକ ଦଳର ପ୍ରାର୍ଥୀ ଅଧିକ ଧନୀ

ଭୁବନେଶ୍ୱର : ଲୋକସଭା ନିର୍ବାଚନ ଲଢୁଥିବା ଆଞ୍ଚଳିକ ଦଳର ପ୍ରାର୍ଥୀମାନେ ଜାତୀୟ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଠାରୁ ଅଧିକ ଧନୀ । ଆଞ୍ଚଳିକ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରୁ ୭୯ ପ୍ରତିଶତ କୋଟିପତି ହୋଇଥିବାବେଳେ ଜାତୀୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଏହି ହାର ୬୮ ପ୍ରତିଶତ ରହିଛି । ସେହିଭଳି ସ୍ୱାଧୀନଭାବେ ଲୋକସଭା ପାଇଁ ଲଢୁଥିବା ୧୭ ପ୍ରତିଶତ ପ୍ରାର୍ଥୀ ବି କୋଟିପତି । ମେଘାଳୟରେ ସର୍ବାଧିକ ୭୦ ପ୍ରତିଶତ କୋଟିପତି ପ୍ରାର୍ଥୀ ଥିବାବେଳେ ଓଡିଶାରେ ଏହା ୩୮ ପ୍ରତିଶତ ରହିଛି । ସବୁଠାରୁ କମ୍‍ ୨୦ ପ୍ରତିଶତ କୋଟିପତି ପ୍ରାର୍ଥୀ ପୁଡୁଚେରୀରେ ଅଛନ୍ତି ।

ଚଳିତ ନିର୍ବାଚନରେ ସମଗ୍ର ଦେଶରେ ୫୪୩ଟି ଆସନରେ ୮୩୬୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୮୩୩୭ଜଣ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠକୁ ବିଶ୍ଲେଷଣ କରି ଏହି ସୂଚନା ଦେଇଛି ଏଡିଆର । ସୂଚନା ଅନୁଯାୟୀ ଜାତୀୟ ରାଜନୈତିକ ଦଳରୁ ୧୩୩୩ ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଆଞ୍ଚଳିକ ଦଳର ୫୩୨ଜଣ, ପଞ୍ଜିକୃତ ହୋଇଥିବା ଅଣମାନ୍ୟତାପ୍ରାପ୍ତ ଦଳରୁ ୨୫୮୦ ଏବଂ ସ୍ୱାଧୀନ ଭାବେ ୩୯୧୫ ଜଣ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୧୬୪୩ ଜଣ ପ୍ରାର୍ଥୀ ନିଜ ସତ୍ୟପାଠରେ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ଉଲ୍ଲେଖ କରିଛନ୍ତି ଯାହା କି ମୋଟ୍‍ ପ୍ରାର୍ଥୀଙ୍କର ୨୦ ପ୍ରତିଶତ । ସେହିଭଳି ୧୧୯୧ ଜଣ ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲାମାନ ରହିଛି । ତେବେ ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୩୧ପ୍ରତିଶତ ଅର୍ଥାତ୍‍ ୨୫୭୨ଜଣ କୋଟିପତି ଥିବା ନିଜ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ତେବେ ଲୋକସଭା ନିର୍ବାଚନ ଲଢିବାପାଇଁ ଅଧିକ ଆଗ୍ରହ ଯୋଗୁଁ ପ୍ରାର୍ଥୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୦୯ ସାଧାରଣ ନିର୍ବାଚନରେ ୭୮୧୦ ଜଣ ପ୍ରାର୍ଥୀ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୨୦୧୪ରେ ପ୍ରାର୍ଥୀଙ୍କ ସଂଖ୍ୟା ୮୨୦୫ କୁ ବୃଦ୍ଧି ପାଇଥିଲା । ୨୦୧୯ ରେ ୭୯୨୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବାପାଇଁ ଆଗେଇ ଆସିଥିବାବେଳେ ଚଳିତ ନିର୍ବାଚନ ଅର୍ଥାତ୍‍ ୨୦୨୪ରେ ଏମାନଙ୍କ ସଂଖ୍ୟା ୮୩୩୭ରେ ପହଞ୍ଚିଛି । ସେହିଭଳି ୨୦୦୯ ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ପ୍ରତିଶତଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୮ପ୍ରତିଶତଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ରହିଥିଲା । ୨୦୨୪ ନିର୍ବାଚନରେ ଏହି ହାର ଯଥାକ୍ରମେ ୨୦ ପ୍ରତିଶତ ଓ ୧୪ ପ୍ରତିଶତକୁ ବୃଦ୍ଧି ପାଉଛି । ପ୍ରତି ନିର୍ବାଚନରେ ଲୋକସଭା ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅପରାଧିକ ଓ ସଙ୍ଗୀନ ଅପରାଧିକ ମାମଲା ରହିଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଲୋକସଭା ର୍ନିବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୩୧ ପ୍ରତିଶତ ପ୍ରାର୍ଥୀ କୋଟପତି ଥିବାବେଳେ ଏମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୬.୨୩ କୋଟି ଟଙ୍କା ରହିଛି । ସେହିଭଳି ୨୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୧୪ ପ୍ରତିଶତଙ୍କ ନାଁରେ ସଙ୍ଗୀନ ମାମଲାମାନ ରହିଛି । ଜାତୀୟ ଦଳରେ ୨୨ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ମାମଲା ଥିବାବେଳେ ଆଞ୍ଚଳିକ ଦଳର ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା ୩୨ ପ୍ରତିଶତ ରହିଛି । ସେହିଭଳି ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ୧୧ ପ୍ରତିଶତଙ୍କ ବିରୁଦ୍ଧରେ ବି ସଙ୍ଗୀନ ଅପରାଧିକ ମାମଲା ରହିଛି । (ତଥ୍ୟ)