Home General ଆଜାଦୀ କା ଅମୃତ ମହୋତ୍ସବ ଫଟୋ ପ୍ରଦର୍ଶନୀ

ଆଜାଦୀ କା ଅମୃତ ମହୋତ୍ସବ ଫଟୋ ପ୍ରଦର୍ଶନୀ

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବର ପ୍ରାକ୍‌ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିବା ବେଳେ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥିବା ଫଟୋ ପ୍ରଦର୍ଶନୀକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ସମେତ ଦେଶର ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଫଟୋ ପ୍ରଦର୍ଶନୀ ମାନ ଆୟୋଜନ କରାଯାଇଛି ।

ଏହି ଅବସରରେ ଶ୍ରୀ ଜାଭଡେକର କହିଥିଲେ ଯେ ଆଜାଦୀ କା ଅମୃତ ମହୋତ୍ସବ ଦେଶର ୭୫ଟି ସ୍ଥାନରେ ଆୟୋଜନ କରାଯାଉଛି । ଆମ ଦେଶକୁ ସ୍ୱାଧୀନତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ସୁଭାଷ ଚନ୍ଦ୍ର ବୋଷ, ଡ. ଆମ୍ବେଦକର, ଖୁଦିରାମ ବୋଷ, ଭଗତ ସିଂହ, ରାଜଗୁରୁ, ସୁଖଦେବ ପ୍ରମୁଖଙ୍କ ସମେତ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଅମୃତ ମହୋତ୍ସବ ଆୟୋଜନ କରାଯାଉଛି ।

ଶ୍ରୀ ଜାଭଡେକର ଆହୁରି କହିଥିଲେ ଯେ ଲୋକମାନଙ୍କୁ ସେମାନଙ୍କ ନିଜ ଭାଷାରେ ସ୍ୱାଧୀନତାର ଗାଥା ସମ୍ପର୍କରେ ସଚେତନ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଦିନରେ ଆଜାଦୀ କା ଅମୃତ ମହୋତ୍ସବ ବ୍ୟାପକ ଆକାରରେ ଆୟୋଜନ କରାଯିବ ।

ଏହି ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ପରେ ଶ୍ରୀ ଜାଭଡେକର ଟ୍ୱିଟ୍‌ କରିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ଆସନ୍ତା ୨୫ ବର୍ଷ ପାଇଁ ଆମର ମାର୍ଗ ନିର୍ଦ୍ଧାରଣ କରିବା ଲାଗି ସାରା ଦେଶରେ ବିଓସିବି ପକ୍ଷରୁ ଏପରି ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଆଜି ମୁଁ ଏହିପରି ୭ଟି ପ୍ରଦର୍ଶନୀ ଉଦ୍‌ଘାଟନ କରିଛି । ଏହିସବୁ ପ୍ରଦର୍ଶନୀ ବୁଲି ଦେଖିବା ଏବଂ ସ୍ୱାଧୀନତାର ସ୍ମୃତି ସାଥୀରେ ନେଇଯିବାକୁ ମୁଁ ଜନସାଧାରଣଙ୍କୁ ଆହ୍ୱାନ କରୁଛି ।

ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆଜି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ଭୁବନେଶ୍ୱର, ବ୍ୟୁରୋ ଅଫ୍‌ ଆଉଟ୍‌ରିଚ୍‌ କମ୍ୟୁନିକେସନ (ବିଓସି) ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

ଏହି ଫଟୋ ପ୍ରଦର୍ଶନୀରେ ୧୮୫୭ ଠାରୁ ଆରମ୍ଭ କରି ଦେଶର ସ୍ୱାଧୀନତା ସଂଗ୍ରାମର ଗାଥା ପ୍ରଦର୍ଶିତ ହୋଇଛି । ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ବୀରସୁରେନ୍ଦ୍ର ସାଏ, ରମାଦେବୀ ପ୍ରମୁଖଙ୍କ ସ୍ୱାଧୀନତା ସଂଗ୍ରାମରେ ରହିଥିବା ଯୋଗଦାନକୁ ୩୯ଟି ପ୍ୟାନେଲ ମାଧ୍ୟମରେ ଫଟୋ ଓ ସୂଚନା ଦିଆଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି । ଏହି ଫଟୋ ପ୍ରଦର୍ଶନୀ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବରେ ଆରଓବି, ଭୁବନେଶ୍ୱରର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ସଞ୍ଜୟ ମିଶ୍ରଙ୍କ ସମେତ ଓଡ଼ିଶା ସରକାର ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।