Home Infrastructure ଆଙ୍କାକ୍ଷୀ ଜିଲ୍ଲାକୁ ସଡକ ସଂଯୋଗ

ଆଙ୍କାକ୍ଷୀ ଜିଲ୍ଲାକୁ ସଡକ ସଂଯୋଗ

ଭୁବନେଶ୍ୱର : ରାଜ୍ୟର ଆଙ୍କାକ୍ଷୀ ଜିଲ୍ଲାର ସଡକଗୁଡିକୁ ରାଜପଥ ସହିତ ଯୋଡିବାପାଇଁ ଓଡିଶାରେ ୧୮ଟି ସଡକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୭୩୪ କିଲୋମିଟର ଦୈର୍ଘ୍ୟ ଏହି ସଡକ ପାଇଁ ୧୦ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରହିଛି ।

ଓଡିଶା ସମେତ ସମଗ୍ର ଦେଶରେ ଥିବା ଆଙ୍କାକ୍ଷୀ ଜିଲ୍ଲାର ସଡକଗୁଡିକୁ ରାଜପଥ ସହିତ ଯୋଡିବାପାଇଁ ୨୮୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ ୭୪୫୮ କଲୋମିଟର ସଡକ ନିର୍ମାଣ ହେବ । ଏହାର ଖର୍ଚ୍ଚ ଆକଳନ ୧,୧୯,୫୮୯ କୋଟି ଟଙ୍କା ରହିଛି । ଏଥି ସହିତ ଆଉ ୧୧୨ଟି ରାଜପଥ ପ୍ରକଳ୍ପ ଚିହ୍ନଟ ହୋଇଛି ଯେଉଁଗୁଡିକ ଆଙ୍କାକ୍ଷୀ ଜିଲ୍ଲାକୁ ସଡକ ସଂଯୋଗ କରିବ । ଏଥିରେ ୭୧,୮୧୮ କୋଟି ଟଙ୍କା ବ୍ୟୟରେ ୨୮୫୯ କିଲୋମିଟର ସଡକ ନିର୍ମାଣ କରାଯିବ । ତେବେ ଚିହ୍ନଟ ହୋଇଥିବା ପ୍ରକଳ୍ପ ମଧ୍ୟରେ ଓଡିଶାରୁ ୯ଟି ରହିଥିବାବେଳେ ଏଥିରେ ୧୧୮୦ କୋଟି ଟଙ୍କା ବ୍ୟୟରେ ୮୫ କିଲୋମିଟର ସଡକ ନିର୍ମାଣ କରାଯିବ ।

ଅନ୍ୟ ପକ୍ଷରେ ଗତ ତିନିଟି ଆର୍ଥିକ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଆଙ୍କାକ୍ଷୀ ଜିଲ୍ଲାକୁ ସଂଯୋଗ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୧୪୩ କିଲୋମିଟର ସଡକ ନିର୍ମାଣ ହୋଇଥିବାବେଳେ ଏଥିରେ ଓଡିଶାର ୪୧୭ କିଲୋମିଟର ରହିଛି । ୨୦୧୯-୨୦ ବର୍ଷରେ ଓଡିଶାରେ ଏହି ଯୋଜନାରେ ୫୩ କିଲୋମିଟର ସଡକ ନିର୍ମାଣ ହୋଇଥିବାବେଳେ ୨୦୨୦-୨୧ ରେ ୨୦୯ କିଲୋମିଟର ଓ ୨୦୨୧-୨୨ରେ ୧୫୫ କିଲୋମିଟର ସଡକ ନିର୍ମାଣ ହୋଇଛି । ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ଆଙ୍କାକ୍ଷୀ ଜିଲ୍ଲାକୁ ସଂଯୋଗ ପାଇଁ ୨୮ କିଲୋମିଟର ସଡକ ନିର୍ମାଣ ହୋଇଥିବାବେଳେ ସମଗ୍ର ଦେଶରେ ଏହି ସମୟ ମଧ୍ୟରେ ୬୦୫ କିଲୋମିଟର ସଡକ ନିର୍ମାଣ ହୋଇଛି ।

ଉଲ୍ଲେଖନୀୟ ଯେ ଓଡିଶାର ୧୦ଟି ଜିଲ୍ଲା କେନ୍ଦ୍ରର ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବାବେଳେ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜଣେ ବରିଷ୍ଠ କେନ୍ଦ୍ରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସେମାନେ ନିୟମିତ ଭାବେ ଜିଲ୍ଲା ଗସ୍ତରେ ଆସି ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରୁଛନ୍ତି ।

ତେବେ ଆଙ୍କାକ୍ଷୀ ତାଲିକାରେ ଥିବା ଏହି ପଛୁଆ ଜିଲ୍ଲାର ଲୋକଙ୍କ ଆର୍ଥିକ ବିକାଶ ଲାଗି କୃଷି, ପଶୁପାଳନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ଉପରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବା ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ତେବେ ଏହି ପଛୁଆ ଜିଲ୍ଲାରେ ସଡକ ସଂଯୋଗରେ ଉନ୍ନତି ବିଶେଷକରି ରାଜପଥ ସହିତ ଜିଲ୍ଲାର ସଡକକୁ ସଂଯୋଗ ଜରୁରୀ ହୋଇଥିବାରୁ କେନ୍ଦ୍ର ସରକାର ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି । (ତଥ୍ୟ)