ଭୁବନେଶ୍ୱର : ଡାକ୍ତରମାନେ କିଭଳି ଠିକଣା ସମୟରେ ଆସି ରୋଗୀଙ୍କୁ ଚିକିତ୍ସା କରିବେ ଓ ଧାର୍ଯ୍ୟ ସମୟରେ ଡାକ୍ତରଖାନା ଛାଡିବେ ସେଥିପାଇଁ ବାୟୋମେଟ୍ରିକ ଯନ୍ତ୍ର ସ୍ଥାପନ ଠାରୁ ଆରମ୍ଭ କରି ଦସ୍ତଖତ ବ୍ୟବସ୍ଥା ରହିଛି । ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଡାଳେ ଡାଳେ ଗଲେ ଡାକ୍ତରମାନେ ପତ୍ରେ ପତ୍ରେ ଯାଉଛନ୍ତି । ଦସ୍ତଖତ ଖାତାରେ ଦିନକ ଆଗରୁ ସନ୍ତକ ଦେଇ ଦେଉଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସଚୂନା ଅନୁଯାୟୀ ଏଭଳି ଆଗୁଆ ସନ୍ତକ ଦେଇଥିବା ୨୦ରୁ ଅଧିକ ଡାକ୍ତରଙ୍କୁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏହି ସୂଚନା ଅନୁଯାୟୀ ନୋଟିସ୍ର ସମ୍ମୁଖୀନ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ କେତେ ରେଜିଷ୍ଟରରେ ଆଗୁଆ ଦସ୍ତଖତ ମାରିଛନ୍ତି । ଯେହେତୁ ଦସ୍ତଖତ ଅଛି ତେଣୁ ବାୟୋମେଟ୍ରିକ ଉପରେ ସେତେଟା ଗୁରୁତ୍ୱ ଦିଆଯିବ ନାହିଁ ।
ହେଲେ ଆଗୁଆ ସନ୍ତକ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବାପରେ ଏଭଳି କୈଫତ ତଲବ ହୋଇଛି । କାରଣ ରେଜିଷ୍ଟ୍ରରରେ ଦସ୍ତଖତ କରିଥିବା ଡାକ୍ତରଙ୍କର ଯଦି କୌଣସି କାରଣରୁ କିଛି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବ ? ଯଦି ସମ୍ପୃକ୍ତ ଡାକ୍ତର କୌଣସି ଘରୋଇ ଚିକିତ୍ସାଳୟରେ କିଛି ଅଘଟଣ ଘଟାନ୍ତି ସେଥିପାଇଁ ତାଙ୍କୁ ଆଇନ୍ଗତ ଭାବେ ଦାୟୀ କରାଯାଇ ପାରିବ ନାହିଁ । କାରଣ ରେକର୍ଡରେ ସେହି ଡାକ୍ତର ସରକାରୀ ସେବାରେ ରହିଥିବା ଦର୍ଶାଇ ସହଜରେ ଖସିଯିବେ ।
ଉଲ୍ଲେଖନୀୟ ଯେ କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀମାନଙ୍କୁ ଦିନ ସାରା ଆଉଟଡୋର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏଥି ସହିତ ଜରୁରୀ ସେବା ବି ରହିଛି । ତେଣୁ ଡାକ୍ତରମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଉଛି । କାଳେ ଡାକ୍ତର ଅନୁପସ୍ଥିତ ରହିବେ ସେଥିପାଇଁ କର୍ତ୍ତୃପକ୍ଷ ବାୟୋମେଟ୍ରିକ ମେସିନ ବସାଇବା ସହିତ ରେଜିଷ୍ଟ୍ରରରେ ଦସ୍ତଖତ କରିବାର ନିୟମ ରହିଛି । ପ୍ରଥମେ ବାୟୋମେଟ୍ରିିକରେ ଟିପ ଦେବେ ଓ ପରେ ରେଜିଷ୍ଟ୍ରାରରେ ସନ୍ତକ ଦେବେ ।
ଏବେ ୨୦ରୁ ଅଧିକ ଡାକ୍ତରଙ୍କୁ କୈଫତ ମଗାଯିବା ପରେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି । ଏହି ଡାକ୍ତରମାନେ କ’ଣ ପାଇଁ ଦିନକ ଆଗରୁ ଦସ୍ତଖତ ମାରୁଥିଲେ ପରବର୍ତ୍ତୀ ଦିନ ଡାକ୍ତରଖାନା ଆସୁଥିଲେ କି ନାହିଁ ତାହା ତଦନ୍ତ ସାପେକ୍ଷ । ଏଥି ସହିତ ସମ୍ପୃକ୍ତ ଡାକ୍ତରମାନେ ମେଡିକାଲରେ ଉପସ୍ଥିତ ରହିବା ସମୟରେ ଘରୋଇ ଚିକିତ୍ସାରେ ଲିପ୍ତ ରହିଛନ୍ତି କି ନାହିଁ ତାହାର ମଧ୍ୟ ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।
ଉଲ୍ଲେଖନୀୟ ଯେ କ୍ୟାପିଟାଲ ହସ୍ପିଟାଲ ଆଖପାଖରେ ମାଳ ମାଳ ଘରୋଇ ଡାକ୍ତରଖାନା ଖୋଲିବାବାରେ ଲାଗିଥିବାବେଳେ ଏଠାରେ ଡାକ୍ତରମାନେ ସରକାରୀ କାର୍ଯ୍ୟ ସମୟରେ ଚିକିତ୍ସା କରୁଥିବା ନେଇ ଅଭିଯୋଗ ହୋଇଥାଏ । ଏହିସବୁ ଘରୋଇ ଡାକ୍ତରଖାନାକୁ କ୍ୟାପିଟାଲ ହସ୍ପିଟାଲରୁ କିଭଳି ରୋଗୀମାନେ ଯିବେ ସେଥିପାଇଁ ଦଲାଲମାନେ ସକ୍ରିୟ ଥାନ୍ତି । ତେବେ କିଛିଦିନ ଧରି କମିଶନରେଟ ପୁଲିସ୍ ଦଲାଲମାନଙ୍କ ବିରୁଦ୍ଧରେ ଅଭିଯାନ ଚଳାଇବାରୁ ସେମାନଙ୍କ ଦୌରାତ୍ମ୍ୟ କମିଥିବାବେଳେ ଡାକ୍ତରମାନଙ୍କୁ କୈଫତ ମଗାଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । (ତଥ୍ୟ)