Home Education ଆଗତ ହେବ ବିଶ୍ୱବିଦ୍ୟାଳୟ ଆଇନ୍‍

ଆଗତ ହେବ ବିଶ୍ୱବିଦ୍ୟାଳୟ ଆଇନ୍‍

ଭୁବନେଶ୍ୱର : ଓଡିଶାର ରାଜ୍ୟପାଳ ବଦଳିବାପରେ ବିଧାନସଭାର ଆଗାମୀ ବଜେଟ୍‍ ଅଧିବେଶନ କାଳରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ ଆଗତ ହେବାର ସମ୍ଭାବନା ଉଜ୍ୱଳ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଉଚ୍ଚଶିକ୍ଷା ବିଭାଗର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏବେ ଅନ୍ୟୁନ ୧୦ଟି ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି । କେଉଁଠି ଗୋଟିଏ ବିଶ୍ୱବିଦ୍ୟାଳୟର ଅନ୍ୟ ବିଶ୍ୱବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଆଉ କେଉଁଠି କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାପରେ ତାଙ୍କୁ ଅଧିକ ସମୟ ପାଇଁ ରଖାଯାଇଛି । କେବଳ ସେତିକି ନୁହେଁ, ଉତ୍କଳ, ରେଭେନ୍ସା, ରମାଦେବୀ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ୬୦ ପ୍ରତିଶତରୁ ଅଧିକ ଶିକ୍ଷକ ଓ ପ୍ରାୟ ୭୦ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡିଛି । କେନ୍ଦୁଝର ଓ କୋରାପୁଟରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ ଜନ୍ମରୁ ଏପର୍ଯ୍ୟନ୍ତ କୁଳପତିଙ୍କ ମୁଖଦର୍ଶନ କରିନାହାନ୍ତି ।

୨୦୨୦ ମସିହାରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନ୍‍ରେ ସଂଶୋଧନ ଆଣିବା ସହ କୁଳପତି ଓ କୁଳାଧିପତିଙ୍କ କ୍ଷମତା ସଙ୍କୁଚିତ କରିଥିଲେ । ନିଯୁକ୍ତି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡିକର କ୍ଷମତା କାଢି ନିଆଯାଇ ପ୍ରାର୍ଥୀ ଚୟନ ଲାଗି ଲୋକସେବା ଆୟୋଗ ଭଳି ସଂସ୍ଥଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏ ପ୍ରସଙ୍ଗ ଏବେ ସୁପ୍ରିମ୍‍କୋର୍ଟରେ ବିଚାରାଧିନ ରହିଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ୍‍ ଉପରେ ଆପତ୍ତି ଉଠାଇଛନ୍ତି । ସାରା ଦେଶରେ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ନିଯୁକ୍ତି ପାଇଁ ୟୁଜିସି ଯେଉଁ ମାର୍ଗନିର୍ଦ୍ଦେଶିକା ଜାରି କରିଥାନ୍ତି ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ୍‍ ତାହାର ବିରୁଦ୍ଧାଚରଣ କରୁଛି । ଅନୁରୂପ ଏକ ଘଟଣାରେ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ମାମଲାରେ ସୁପ୍ରିମ୍‍କୋର୍ଟ ପ୍ରତିକୂଳ ମନ୍ତବ୍ୟ ଦେଇଥିବା ପରିପ୍ରେକ୍ଷୀରେ ଆଇନ୍‍ ଅଦାଲତରେ ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ୍‍ କାଟ୍‍ ଖାଇଯାଇପାରେ ବୋଲି ବିଧି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି । ତେବେ ଏହି ମାମଲାର ଆଳ ଦେଖାଇ ସରକାର ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ନକରି ଠିକାରେ କାମ ଚଳାଇ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଠକିବାରେ ଲାଗିଛନ୍ତି ।

ବିଜେପି ବିରୋଧିଦଳରେ ଥିବାବେଳେ ଏହି ସଂଶୋଧିତ ଆଇନ୍‍କୁ ବିରୋଧ କରୁଥିଲା । ଇତି ମଧ୍ୟରେ ଓଡିଶାରେ ବିଜେପି ସରକାର ଛଅ ମାସରୁ ଅଧିକ ସମୟ ଧରି ରାଜତ୍ୱ କରୁଥିଲେ ମଧ୍ୟ ଏହି ସଂଶାଧିତ ଆଇନ୍‍କୁ ପ୍ରତ୍ୟାହାର କରାଯାଇନାହିଁ । ନିଜେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଆଇନ୍‍ରେ ପୁନଃ ସଂଶୋଧନ ଆଣି ବିଶ୍ୱବିଦ୍ୟାଳୟଗୁଡିକର ସ୍ୱତନ୍ତ୍ରତା ୟୁଜିସି ମାର୍ଗ ନିର୍ଦ୍ଦେଶିକା ଆଧାରରେ ପୁନଃ ସ୍ଥାପିତ କରିବାପାଇଁ ବାରମ୍ବାର କହି ଆସୁଛନ୍ତି ।

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବିଶ୍ୱବିଦ୍ୟାଳୟ ଆଇନ୍‍ ସଂଶୋଧନ ପ୍ରସ୍ତାବ ମଞ୍ଜୁରୀ ପାଇଛି । ତଦନୁଯାୟୀ ଗତ ବିଧାନସଭା ଅଧିବେଶନ କାଳରେ ଏ ସଂକ୍ରାନ୍ତୀୟ ବିଧେୟକ ବିଧାନସଭାରେ ଆଗତ ହେବାର ଯୋଜନା ଥିଲା । ତେବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ ଏହା ଉପରେ ଆପତ୍ତି ଉଠାଇବା ଫଳରେ ରାଜ୍ୟ ସରକାର ହରଡଘଣାରେ ପଡିଥିଲେ । ଏବେ ରାଜ୍ୟପାଳ ପଦବୀରୁ ରଘୁବର ଦାସ ଇସ୍ତଫା ଦେଇ ଚାଲିଯିବା ସହିତ ନୂଆ ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ପରିପ୍ରେକ୍ଷୀରେ ଶିକ୍ଷାବିତ୍‍ମାନେ ଆଶା କରୁଛନ୍ତି ଯେ ଆସନ୍ତା ଫେବୃୟାରୀମାସରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ନିୟମିତ ବଜେଟ୍‍ ଅଧିବେଶନ କାଳରେ ଏ ସଂକ୍ରାନ୍ତୀୟ ବିଧେୟକ ଆଗତ ହୋଇପାରେ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅବସାନ ଘଟିପାରେ । (ତଥ୍ୟ)