ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ର ବ୍ୟବହାର ଯେତେ ଅଧିକ ବଢିବ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନିଯୁକ୍ତି ସମ୍ଭାବନା ସେତେ ସଙ୍କୁଚିତ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ଏଆଇ ଯୋଗୁଁ ୟୁରୋପ, ଆମେରିକା ଭଳି ଆଗୁଆ ଦେଶଗୁଡିକରେ ସରକାରୀ ଓ ଘରୋଇ କ୍ଷେତ୍ରରେ କର୍ମନିଯୁକ୍ତି କମିବା ସହ ବେକାରୀ ଓ ବେରୋଜଗାରୀ ବଢୁଛି । ପୂର୍ବରୁ କମ୍ପ୍ୟୁଟର ବ୍ୟବହାର କରାଯାଉନଥିବା ସମୟରେ ସରକାରୀ କ୍ଷେତ୍ରରେ ଯେତେ କର୍ମଚାରୀଙ୍କର ଆବଶ୍ୟକତା ପଡୁଥିଲା ତାହା ଢେର କମିଛି । ଏବେ ଏଆଇ ପ୍ରୟୋଗ ପରେ ଏହା ଆହୁରି ହ୍ରାସ ପାଇବ ।
ଭାରତ ଭଳି ପ୍ରାୟ ୧୪୫ କୋଟି ଜନସଂଖ୍ୟା ବିଶିଷ୍ଟ ବୃହତ୍ ଦେଶରେ ଏହି ସମସ୍ୟା ମଧ୍ୟ ଉପୁଜିଲାଣି । ବିଶେଷକରି ସଫ୍ଟୱେର କମ୍ପାନୀଗୁଡିକରେ ଏଆଇ ରାଜୁତି ଆରମ୍ଭ ହେଉଥିବାରୁ ବ୍ୟାପକ ଛଟେଇପର୍ବ ଚାଲିଛି । କେବଳ ସେତିକି ନୁହେଁ, ସଫ୍ଟୱେର ଇଞ୍ଜିନିୟରିଂ କ୍ଷେତ୍ରରେ ବି ନୂତନ ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହୋଇଯାଉଛି । ଏଭଳି ସ୍ଥିତିରେ ସଫ୍ଟୱେର ଇଞ୍ଜିନିୟରମାନଙ୍କୁ ବହୁ କମ୍ପାନୀ ପୂର୍ବ ତୁଳନାରେ ଢେର କମ୍ ପାରିଶ୍ରମିକରେ ନିୟୋଜନ କରୁଛନ୍ତି ଏବଂ ଯେତେବେଳେ ଇଚ୍ଛା ସେତେବେଳେ କାର୍ଯ୍ୟରୁ ବିଦା କରିଦେଉଛନ୍ତି ।
ଓଡିଶା ସରକାରଙ୍କ ବିଭିନ୍ନ ପାହ୍ୟାରେ ଏବେ ପାଖାପାଖି ୬ଲକ୍ଷ ମଞ୍ଜୁରୀପ୍ରାପ୍ତ ସରକାରୀ କର୍ମଚାରୀ ପଦବୀ ରହିଛି । ଏଥିରୁ ପ୍ରାୟ ୨ଲକ୍ଷ ପଦବୀ ଖାଲି ପଡିଥିବା ଆଶଙ୍କା କରାଯାଉଛି । ତେବେ ସର୍ବଶେଷ ଏଷ୍ଟାବ୍ଲିଶମେଣ୍ଟ ରିଭ୍ୟୁପରେ ବାସ୍ତବ ତଥ୍ୟ ଜଣାପଡିପାରେ ।
ଦୁର୍ବଳ ଆର୍ଥିକ ସ୍ଥିତିରୁ ନିସ୍ତାର ପାଇବାପାଇଁ ୨୦୦୦ ମସିହା ପୂର୍ବରୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ସହ ଯେଉଁ ବୁଝାମଣାପତ୍ର କରିଥିଲେ ତଦନୁଯାୟୀ ମିତବ୍ୟୟିତା ଆଳରେ ପଦ ପଦବୀ ଉଚ୍ଛେଦ ସହିତ ଖାଲି ପଡିଥିବା ପଦବୀ ପୂରଣ ଉପରେ କଟକଣା ଜାରି ହୋଇଥିଲା । ଏହାର ପ୍ରଭାବ ଏବେ ଅନ୍ୟ ବିଭାଗରେ ଯେତେ ଦେଖିବାକୁ ମିଳୁଛି ତାହା ତୁଳନାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଅଧିକ ବାରିହୋଇ ପଡୁଛି ।
ରାଜ୍ୟରେ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକ କମ୍ପ୍ୟୁଟର ଉପଯୋଗ କରିବା ପରଠାରୁ ସେମାନଙ୍କ ସଂସ୍ଥାରେ ବି ନିଯୁକ୍ତି ସମ୍ଭାବନା କମିଛି । ଏବେ ଏଆଇ ଉପଯୋଗ କରିବାପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଫଳରେ କମ୍ ଲୋକରେ ବେଶିକାମ କରାଇ ବ୍ୟବସାୟିକ ସଂସ୍ଥାଗୁଡିକ ବେଶ୍ ମୁନାଫା ଉଠାଇବେ ଏବଂ ସରକାରୀକଳ ଉପରେ ତାହାର ପ୍ରଭାବ ପଡିବ ବୋଲି ଅର୍ଥନୀତି ବିଶାରଦମାନେ ବାରମ୍ବାର ଚେତାବନୀ ଦେଉଛନ୍ତି । ଏହାକୁ ଆଖିଆଗରେ ରଖି ଏବେ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନରେ ଏଆଇ ପାଠ୍ୟକ୍ରମ ଚାଲୁଛି ।
ଏହାଛଡା ସ୍ୱତନ୍ତ୍ର ଭାବରେ ମଧ୍ୟ ଏଆଇ ତାଲିମ ଦିଆଯାଉଛି । ୨୦୩୦ ବେଳକୁ ବସ୍ତୁତଃ ବିଭିନ୍ନ କ୍ଷେତ୍ରରେ ଏଆଇର ରାଜୁତି ଚାଲୁଥିବ ଏବଂ କର୍ମନିଯୁକ୍ତି ସମ୍ଭାବନା ସଙ୍କୁଚିତ ହୋଇ ବେକାରୀ ଓ ବେରୋଜଗାରୀ ବହୁ ପରିମାଣରେ ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶାରଦମାନେ ଯେଉଁ ଆଶଙ୍କାବ୍ୟକ୍ତ କରୁଛନ୍ତି ତାହାକୁ ଗୁରୁତ୍ୱର ସହ ଏବେଠାରୁ ନନେଲେ ଉଭୟ ରାଜ୍ୟ ଓ ଦେଶର ସମସ୍ୟା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)

