Home Agriculture ଆଖୁଚାଷରେ ବ୍ୟାପକ କର୍ମନିଯୁକ୍ତି ସୁଯୋଗ

ଆଖୁଚାଷରେ ବ୍ୟାପକ କର୍ମନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଓଡିଶାର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ବାର୍ଷିକ ପ୍ରାୟ ଅଢେଇ ଲକ୍ଷ ମେଟ୍ରିକ ଟନ୍‍ ଚିନି ରାଜ୍ୟ ବାହାରୁ ଆମଦାନୀ କରାଯାଉଛି । ଚିନି ଉତ୍ପାଦନ ଲାଗି ରାଜ୍ୟରେ ଅନୁକୂଳ ଭିତ୍ତିଭୂମି ରହିଥିବା ଦୃଷ୍ଟିରୁ ଏହାର ଠିକଣା ଉପଯୋଗ କରାଯାଇ ପାରିଲେ ଏ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟରେ ପରିଣତ ହୋଇ ଅନ୍ୟ ରାଜ୍ୟକୁ ଓ ବିଦେଶକୁ ଚିନି ରପ୍ତାନି କରିବା ସହ ବ୍ୟାପକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିପାରନ୍ତା ବୋଲି ଯୋଜନା ବିଶାରଦମାନେ କହୁଛନ୍ତି ।

ଓଡିଶାରେ ବହୁ ପୂର୍ବରୁ ପ୍ରଚୁର ଆଖୁ ଉତ୍ପାଦନ ହେଉଥିଲା ଏବଂ ବିଭିନ୍ନ ଜିଲ୍ଲାରେ ଗାଁରେ ଗାଁରେ ଆଖୁ ପେଡାଯାଇ ଗୁଡ ରନ୍ଧା ହେଉଥିଲା । ଆଖୁ ଦୋରୁଅରୁ ଚିନି ପ୍ରସ୍ତୁତି ପାଇଁ ରସାୟନିକ ସାମଗ୍ରୀ ବ୍ୟବହାର କରାଯାଉଥିବାବେଳେ ଗୁଡ ପ୍ରସ୍ତୁତ ପାଇଁ ରସାୟନିକ ସାମଗ୍ରୀ ବ୍ୟବହୃତ ହୁଏନାହିଁ । ରାଜ୍ୟ ଭିତରେ ଉତ୍ପାଦିତ ହେଉଥିବା ଗୁଡ ଚିନି ତୁଳନାରେ ଢେର ଶସ୍ତା ଥିଲା ଏବଂ ଏହା ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥିବାରୁ ଚୁଡା, ମୁଢି, ଛତୁଆ ଓ ଅନ୍ୟ ସାମଗ୍ରୀ ସହିତ ଲୋକେ ଚିନି ବଦଳରେ ଗୁଡ ବ୍ୟବହାର କରୁଥିଲେ । ଏମିତିକି ମାଟି ବଣାରେ ସଂରକ୍ଷିତ ରଖାଯାଉଥିବା ଏହି ଗୁଡ ଅନ୍ୟ ରାଜ୍ୟକୁ ମଧ୍ୟ ପ୍ରଚୁର ମାତ୍ରାରେ ପଠାଯାଉଥିଲା ।

ଆଖୁ ଉତ୍ପାଦନ ଦୃଷ୍ଟିରୁ ପ୍ରଥମ ଚିନିକଳ ଆସିକାରେ ଆରମ୍ଭ ହୋଇଥିଲା ଏବଂ ଏହାପରେ ବଡମ୍ବା, ନୟାଗଡ, ବରଗଡ, ବଲାଙ୍ଗିର, ଢେଙ୍କାନାଳ ଆଦିରେ ଚିନିକଳ ମଧ୍ୟ ସ୍ଥାପିତ ହୋଇଥିଲା । ଚିନିକଳ ପକ୍ଷରୁ ଚାଷୀମାନଙ୍କୁ ଆଖୁଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ଗୁଡ ରନ୍ଧାକୁ ନିଷିଦ୍ଧ କରାଯିବାରୁ ଗୁଡ ଶିଳ୍ପ ଏକ ପ୍ରକାର ବୁଡିଗଲା ।

ତେବେ ବିଭିନ୍ନ କାରଣରୁ ଚିନିକଳଗୁଡିକ ଗୋଟିଏ ପରେ ଗୋଟିଏ ଋଗଣ ହୋଇ ବନ୍ଦ ହୋଇଯିବା ଏବଂ ରାଜ୍ୟ ବହାରର ସଂସ୍ଥାକୁ ଟେକି ଦିଆଯାଇଥିବା ଚିନିକଳକୁ ବନ୍ଧା ପକାଇ ସମ୍ପୃକ୍ତ ସଂସ୍ଥା ଶହ ଶହ କୋଟି ଟଙ୍କା ବ୍ୟାଙ୍କ୍‍ରୁ ଉଠାଇ ଚମ୍ପଟ ମାରିବା ଫଳରେ ଅନେକ ଚିକିକଳ ପରିତ୍ୟକ୍ତ ଅବସ୍ଥାରେ ପଡି ପଡି ଏବେ କେବଳ କବାଡିଆଙ୍କ ପାଇଁ ଆବଶ୍ୟକ ହେଉଛି ।

ସମବାୟ ଚିନିକଳ ଲାଗି ରାଜ୍ୟର ବହୁ ଆଖୁଚାଷୀ ଅଂଶଧନ ଆକାରରେ ବିନିଯୋଗ କରିଥିବା କୋଟି କୋଟି ଟଙ୍କା ଇତି ମଧ୍ୟରେ ବହୁ ସ୍ଥାନରେ ଚଳୁ ହୋଇସାରିଲାଣି । ଚିନିକଳ ବନ୍ଦ ହେବାରୁ ଏଥିରେ ନିୟୋଜିତ ଥିବା ଲୋକେ ଚାକିରି ହରାଇଥିବାବେଳେ ଅନ୍ୟତମ ଅର୍ଥକରୀ ଫସଲ ଭାବେ ଆଖୁଚାଷ କରି ଯେଉଁ ଚାଷୀମାନେ ବେଶ୍‍ ଲାଭବାନ ହେଉଥିଲେ ସେମାନେ ଏବେ ବହୁ ସ୍ଥଳରେ ଆଖୁଚାଷ ଛାଡିଦେଲେଣି ।

ଗୋଟିଏ ପଟେ ଜନସଂଖ୍ୟା ବୃଦ୍ଧି ସହିତ ଚଳଣିରେ ପରିବର୍ତ୍ତନ ଯୋଗୁଁ ଚିନିର ଚାହିଦା ଅଧିକ ରହୁଛି ଓ ଅନ୍ୟ ପଟେ ଚିନିକଳଗୁଡିକ ଋଗଣ ହୋଇ ପଡୁଥିବାରୁ ଓଡିଶାରେ ଆବଶ୍ୟକତାର ଏକ ପଞ୍ଚମାଂଶ ଚିନି ବି ଉତ୍ପାଦିତ ହୋଇପାରୁ ନାହିଁ । ଫଳରେ ଓଡିଶାର ଚିନି ବଜାରକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କବ୍‍ଜାକୁ ନେଇ ପ୍ରଚୁର ମୁନାଫା ଉଠାଉଛନ୍ତି । ଯୋଜନା ଓ କୃଷି ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ କହୁଛନ୍ତି ଯେ କୃଷି, ସମବାୟ, ଜଳସେଚନ, ଶିଳ୍ପ ଆଦି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଆଖୁଚାଷକୁ ପ୍ରୋତ୍ସାହନ ଦିଆଯିବା ସହିତ ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ଚିନିକଳମାନ ବସାଗଲେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହିତ କୃଷକମାନଙ୍କର ରୋଜଗାର ମଧ୍ୟ ଢେର ବଢନ୍ତା ଏବଂ ଅଭାବୀ ଧାନବିକ୍ରି ସମସ୍ୟାରୁ ଚାଷୀମାନେ ମୁକ୍ତହୋଇ ପାରନ୍ତେ । (ତଥ୍ୟ)