Home Health ଆଉ ୭ ଡାକ୍ତରଖାନାରେ ଟ୍ରମା କେୟାର ସୁବିଧା

ଆଉ ୭ ଡାକ୍ତରଖାନାରେ ଟ୍ରମା କେୟାର ସୁବିଧା

ଭୁବନେଶ୍ୱର: ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବାକୁ ତଥା ସଡକ ସୁରକ୍ଷା ଉପରେ ମାନ୍ୟବର ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ରମା କେୟାର ସୁବିଧା (ଟିସିଏଫ୍‍)କୁ ମଜବୁତ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ଟିସିଏଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଓ ଆଉ ୭ ଟି ଘରୋଇ ଡାକ୍ତରଖାନାରେ ପ୍ରଥମ ସ୍ତରର ଟ୍ରମା କେୟାର ସୁବିଧାକୁ ଅନୁମୋଦନ କରାଯାଇଛି । ଏହି ୭ଟି ଡାକ୍ତରଖାନା ହେଲା ଭୁବନେଶ୍ୱରର ସନସାଇନ୍‍ ହସ୍ପିଟାଲ, କେୟାର ହସ୍ପିଟାଲ, ବ୍ଲୁ ହୁଇଲ୍‍ ହସ୍ପିଟାଲ, କଟକର ପଦ୍ମିନୀ କେୟାର, ଶଶୀଭୂଷଣ ସ୍ମାରକୀ ହସ୍ପିଟାଲ, ସନ୍‍ ହସ୍ପିଟାଲ ଏବଂ ତ୍ରିଶା ହସ୍ପିଟାଲ ।

ଏହାର ପରିଚାଳନା ପାଇଁ ଏସ୍‍ଓପି ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏମଓୟୁ ସ୍ୱାକ୍ଷରିତ ହେବ । ଏହି ଯୋଜନାକୁ ଅତିରିକ୍ତ ଡିଏମଏଟି ଓଡିଶା ରାଜ୍ୟ ନୋଡାଲ ଅଫିସର ଭାବରେ ତଦାରଖ କରୁଛନ୍ତି ।

ଭାରତ ସରକାରଙ୍କ ସହଯୋଗରେ ୧୧ ତମ ଆର୍ଥିକ ବର୍ଷ ଯୋଜନା ଏବଂ ଦ୍ୱାଦଶ ଆର୍ଥିକ ବର୍ଷ ଯୋଜନା ସମୟରେ ଅଳ୍ପ କିଛି ଟ୍ରମା କେୟାର ସୁବିଧାକୁ ସୁଦୃଢ କରାଯାଇଥିଲା । ଏହିପରି ଟିସିଏଫ୍‍ ଏସ୍‍ସିବି କଟକ, ଏମ୍‍କେସିଜି ବ୍ରହ୍ମପୁର, ଭିମ୍‍ସାର ବୁର୍ଲା, ଖୋରଧା, ଭଦ୍ରକ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଆରଜିଏଚ ରାଉରକେଲା ରେ ରହିଛି ।

ପରବର୍ତ୍ତୀ ସମୟରେ ୩୩ଟି ଟିସିଏଫ୍ କୁ ସୂଚୀତ କରାଯାଇଛି ଯେଉଁଥିରୁ ୩ ଟି ପ୍ରଥମ ସ୍ତରର ଓ ୪ ଟି ଦ୍ୱିତୀୟ ସ୍ତର ଏବଂ ଅବଶିଷ୍ଟ ୨୬ ଟି ତୃତୀୟ ସ୍ତରର ।

ଟ୍ରମା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାକୁ ଏବଂ ଆଘାତର ପ୍ରଥମ ୪୮ ଘଣ୍ଟା ନଗଦବିହୀନ ଚିକିତ୍ସା ଯୋଗାଇବା ପାଇଁ, ୨୦୧୯ ରେ ଟ୍ରମା ପାଣ୍ଠି ଆରମ୍ଭ ହୋଇଥିଲା । ଆଜି ସୁଦ୍ଧା ୧୧ ବେସରକାରୀ ପ୍ରଥମ ସ୍ତରର ଟ୍ରମା ସୁବିଧାକୁ ସଶକ୍ତ କରାଯାଇଛି ।

ଏହି ଟିସିଏଫ୍‍ ଗୁଡ଼ିକୁ ସହାୟତା ପାଇଁ, ନୂତନ କାଜୁଆଲିଟି ଏବଂ ଟ୍ରମା କେୟାର ଏବଂ ମାଗଣା ଚିକିତ୍ସା ପାଇଁ ଟ୍ରମା ପାଣ୍ଠି ଭଳି ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି ଯୋଜନା ଅନ୍ତର୍ଗତ ମାଗଣା ଚିକିତ୍ସା ଉପଲବ୍ଧ ହେଉଥିବା ବର୍ତ୍ତମାନର ଟ୍ରମା ସୁବିଧାଗୁଡ଼ିକ ହେଉଛି ଅଶ୍ୱିନୀ ଟ୍ରମା କେନ୍ଦ୍ର, କଟକ, ଏମଆରଆଇ ହସ୍ପିଟାଲ, ଭୁବନେଶ୍ୱର, କିମସ୍‌, ଭୁବନେଶ୍ୱର, ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସପିଟାଲ, ଭୁବନେଶ୍ୱର, କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର, ଉତ୍କଳ ମେଡିକାଲ ସାଇନ୍ସ, ଭୁବନେଶ୍ୱର , ମେଡିକୋଭର ହସ୍ପିଟାଲ, ବିଶାଖାପାଟନମ୍‌, ରାମ କୃଷ୍ଣ କେୟାର ହସ୍ପିଟାଲ, ରାୟପୁର, ଜେପି ହସ୍ପିଟାଲ, ରାଉରକେଲା, ଆଇଏମଏସ ଆଣ୍ଡ ଏସଏମ ହସ୍ପିଟାଲ, ଭୁବନେଶ୍ୱର, ସମ୍‍ ଅଲ୍ଟିମେଟ, ଭୁବନେଶ୍ୱର, ସୂର୍ଯ୍ୟକିରଣ ହସ୍ପିଟାଲ, ଭୁବନେଶ୍ୱର ଆଦି ।

ଯେହେତୁ ଏହି ସମସ୍ତ ଡାକ୍ତରଖାନାରେ ଟ୍ରମା କେୟାର ସୁବିଧା ରହିଛି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଏହା ଆଘାତ ପୀଡିତଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ।