Home Administration ଆଉ ଦରକାର ନାହିଁ ଏନଓସି

ଆଉ ଦରକାର ନାହିଁ ଏନଓସି

ଭୁବନେଶ୍ୱର : ଏଣିକି ପରୀକ୍ଷା କିମ୍ବା ଚାକିରି ପାଇଁ ଆବେଦନ କରିବାକୁ ପଡ଼ିବନି ଏନଓସି । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହା ଘୋଷଣା କରାଯାଇଛି । ଏବେ ନିଜ କ୍ୟାରିୟରରେ ଉନ୍ନତି କରିପାରିବେ ସରକାରୀ କର୍ମଚାରୀ । ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି ।

ସାଧାରଣ ପ୍ରଶାସନ ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର ଏନଓସି ମାଗିବାକୁ ପଡ଼ିବ ନାହିଁ । ଏଣିକି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡିଂ ପରମିସନ୍ ବା ସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି । ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ ୟୁପିଏସସି, ଓପିଏସସି, ଏସଏସବି, ଓଏସଏସସି ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ । ପୂର୍ବରୁ ପ୍ରତିଟି ଆବେଦନ ପାଇଁ ପୃଥକ ଭାବେ ଏନଓସି ନେବା ପ୍ରକ୍ରିୟା ବେଶ ସମୟସାପେକ୍ଷ ଥିଲା।

ରୁଟିନ କାମରେ ଅନାବଶ୍ୟକ ଫାଇଲ୍ କାମ ବଢ଼ୁଥିଲା । ତେବେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଏବଂ ହେଡକ୍ୱାର୍ଟର ଛାଡ଼ିବା ପାଇଁ ଅନୁମତି ନେବା ବାଧ୍ୟତାମୂଳକ। ଏଥିପାଇଁ ଆଡମିଟ୍ କାର୍ଡ ଦେଖାଇବାକୁ ପଡ଼ିବ । ନୂଆ ଚାକିରିରେ ଚୟନ ହେବା ପରେ, ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ପାଇଁ ବିଧିବଦ୍ଧ ଭାବେ ବିଭାଗର ଅନୁମତି ଲୋଡ଼ାହେବ। କିନ୍ତୁ ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ରିଲିଭ୍ କରିବାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି।