ଭୁବନେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜ୍ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଆଇନ୍ଗତ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ମାର୍ଗଦର୍ଶିକା ମୁତାବକ ପ୍ରତ୍ୟେକ ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଢ଼ାଯିବା ବାଧ୍ୟତାମୂଳକ ।
ଯେଉଁ ସଂସ୍ଥାରେ ଅନ୍ୟୁନ ୧୦ଜଣ କର୍ମଚାରୀ ରହିଥିବେ ସେଠାରେ ମହିଳାମାନଙ୍କ ନିରାପତ୍ତା ଦୃଷ୍ଟିରୁ ଆଇସିସି ରହିବା କଥା । ଯଦି କୌଣସି ସଂସ୍ଥା ଏଭଳି କମିଟି ଗଢ଼ି ନଥାନ୍ତି ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ôଥକ ଦଣ୍ଡ ଲଗାଯାଇପାରିବ । ଏକାଧିକ ବାର ଏ କ୍ଷେତ୍ରରେ ଉଲ୍ଲଂଘନ କରାଗଲେ ଜରିମାନା ରାଶିର ପରିମାଣ ଦୁଇଗୁଣ କିମ୍ବା ତଦ୍ଦୁର୍ଦ୍ଧ୍ୱ ହୋଇପାରେ ଏବଂ ସଂସ୍ଥାର ପଞ୍ଜିକରଣ ମଧ୍ୟ ବାତିଲ କରାଯାଇପାରେ ବୋଲି ଆଇନ୍ରେ ସ୍ପଷ୍ଟ ଉଲ୍ଲେଖ ରହିଛି ।
ବର୍ଷବର୍ଷ ଧରି ରାଜ୍ୟର ବହୁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଓ ବେସରକାରୀ ଦପ୍ତରରେ ଆଇସିସି ନାହିଁ ।
ଫକୀରମୋହନ କଲେଜ୍ରେ ଛାତ୍ରୀ ଜଣକ ଅଭିଯୋଗ ଦରଜ କରିବା ପରେ କମିଟି ଗଠନ କରାଯାଇଥିଲା । ଏହି କମିଟିରେ କେଉଁମାନେ ସଦସ୍ୟ ରହିବା କଥା ତାହା ମଧ୍ୟ ମହିଳାମାନଙ୍କୁ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ରୋକିବା ପାଇଁ ୨୦୧୩ ମସିହାରେ ପ୍ରଣୀତ କେନ୍ଦ୍ରୀୟ ଆଇନ୍, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ମାର୍ଗ ନିର୍ଦ୍ଦେଶିକା ଏବଂ ୧୯୯୭ର ବିଶାଖା ମାମଲା ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।
ବାଲେଶ୍ୱର ଅଘଟଣ ପରେ ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ୍କୁ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ପୂର୍ବରୁ ବର୍ଷବର୍ଷ ଧରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଇସିସି ନଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଓ ଶିକ୍ଷାନୁଷ୍ଠାନର ମୁଖିଆମାନେ କ’ଣ କରୁଥିଲେ ବୋଲି ପ୍ରଶ୍ନବାଚୀ ଉଠିବା ସହିତ ସେମାନଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପ୍ରଶ୍ନ ଉଠୁଛି ।
ଏଠାରେ ଉଲ୍ଲେଖନୀୟ ଯେ ବାଲ୍ୟ ବିବାହ ପ୍ରଥାର ଉଚ୍ଛେଦ ପାଇଁ କାର୍ଯ୍ୟ କରୁଥିବା ରାଜସ୍ଥାନ ସରକାରଙ୍କ ଜଣେ କର୍ମଚାରୀ ଭୱଁରୀ ଦେବୀଙ୍କୁ ବାଲ୍ୟ ବିବାହର ସପକ୍ଷବାଦୀମାନେ ଯୌନ ନିର୍ଯାତନା ଦେଇଥିଲେ । ଏହି ନିର୍ଯାତିତା ମହିଳାଙ୍କୁ ରାଜସ୍ଥାନରେ ୯୦ ଦଶକରେ ନ୍ୟାୟ ନମିଳିବାରୁ ‘ବିଶାଖା’ ନାମକ ଏକ ଅନୁଷ୍ଠାନ ଏ ପ୍ରସଂଗ ସୁପ୍ରିମକୋର୍ଟଙ୍କ ନଜରକୁ ଆଣିଥିଲେ । ୧୯୯୭ରେ ବିଶାଖା ମାମଲାରେ ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ରାୟ ଦେଇ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ରୋକିବା ପାଇଁ ଯେଉଁ ମାର୍ଗ ନିର୍ଦ୍ଦେଶିକା ଜାରି କରିଥିଲେ ତାହା ବିଶାଖା ଗାଇଡ୍ଲାଇନ୍ ଭାବେ ଜଣାଶୁଣା । ଏଥିରେ ଆଇସିସି ଗଠନ କଥା ରହିଥିଲା ।
ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ଦିଲ୍ଳୀରେ ନିର୍ଭୟା ଗଣବଳାତ୍କାର ଘଟଣାରେ ବସାଯାଇଥିବା ଜଷ୍ଟିସ ଜେ.ଏସ୍. ବର୍ମା କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ସହ ବିଶାଖା ପ୍ରସଂଗ ଉଠାଇବା ପରେ ସରକାର ୨୦୧୩ରେ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ସହିତ ଆଉ କେତେକ ଅପରାଧିକ ଆଇନ୍ରେ ମଧ୍ୟ ସଂଶୋଧନ ଆଣିଥିଲେ ।
ଏବେ ପ୍ରଶ୍ନ ଉଠୁଛି ସୁପ୍ରିମକୋର୍ଟଙ୍କ ରାୟ, ଦେଶର ଆଇନ୍ ବ୍ୟବସ୍ଥା, ନିର୍ଭୟା ଗାଇଡ୍ଲାଇନ୍ ଓ ୟୁଜିସିର ନିର୍ଦ୍ଦେଶନାମାକୁ ରାଜ୍ୟର ସଂଖ୍ୟାଧିକ ଶିକ୍ଷାନୁଷ୍ଠାନ ଉଲ୍ଲଂଘନ କରିବା ପାଇଁ କିଭଳି ସାହସ କରୁଛନ୍ତି? ଗତ ଯୁକ୍ତଦୁଇ ପରୀକ୍ଷା ସମୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଛାତ୍ରୀ ଅଧ୍ୟାପକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିଲେ । ଏବେ ସମାନ ଅଭିଯୋଗରେ ସୌମ୍ୟାଶ୍ରୀ ଆତ୍ମହତ୍ୟା କରିଛନ୍ତି । ଏହାଛଡ଼ା ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିଳାମାନଙ୍କ ପ୍ରତି ନିର୍ଯାତନା ବର୍ଷବର୍ଷ ଧରି ବଢ଼ି ଚାଲୁଛି । ଏମିତିକି ବିଦ୍ୟାଳୟରେ ପଢ଼ୁଥିବା କେତେକ ନାବାଳିକା ଝିଅ ଅନ୍ତସତ୍ତ୍ୱା ହେବା ଓ ସନ୍ତାନ ପ୍ରସବ କରିବା ଭଳି ଦୁଃସମ୍ବାଦ ମଧ୍ୟ ବାରମ୍ବାର ପ୍ରକାଶ ପାଉଛି । ଅଥଚ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଆଇସିସି ନଥିବା ଏବଂ ରାଜ୍ୟରେ ମହିଳା କମିଶନ ଅଚଳ ହୋଇ ପଡିଥିବା ପରିପ୍ରେକ୍ଷୀରେ ସମସ୍ୟା ବଢ଼ୁଛି । (ତଥ୍ୟ)