Home Judiciary ଆଇପିସି ମାମଲାରେ ଦଣ୍ଡବିଧାନ ମାତ୍ର ୧୧ ପ୍ରତିଶତ

ଆଇପିସି ମାମଲାରେ ଦଣ୍ଡବିଧାନ ମାତ୍ର ୧୧ ପ୍ରତିଶତ

ଭୁବନେଶ୍ୱର : ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଦଫାରେ ରୁଜୁ ହେଉଥିବା ଅପରାଧିକ ମାମଲା ଗୁଡିକରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୧୧.୨ ପ୍ରତିଶତ ରହୁଥିବା ବେଳେ ଜାତୀୟସ୍ତରରେ ଏହା ୫୯.୨ ପ୍ରତିଶତ ରହିଛି ।

ମୋଟାମୋଟି ଭାବେ ହତ୍ୟା, ବଳାତ୍କାର, ବଳାତ୍କାର ଉଦ୍ୟମ, ଚୋରି, ଡକାୟତି, ଆକ୍ରମଣ ଭଳି ସାଂଘାତିକ ଅପରାଧ ଗୁଡିକରେ ଯେତେ ମାମଲା ରୁଜୁ ହେଉଛି, ସେଥିରୁ ଅଧିକାଂଶରେ ଅଭିଯୁକ୍ତ ଖସି ଯାଉଥିବାରୁ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠୁଛି ।

ସରକାରୀ ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ସମଗ୍ର ଦେଶରେ ୮,୬୫,୩୬୨ଟି ଆଇପିସିର ଅପରାଧିକ ମାମଲା ଫଏସଲା ହୋଇଥିବା ବେଳେ ଏଥିମଧ୍ୟରେ ଓଡ଼ିଶାରେ ଫଏସଲା ହୋଇଥିବା ଏହି କିସମର ମାମଲା ସଂଖ୍ୟା ମାତ୍ର ୮୧୬୪ । ଏହି ମାମଲାଗୁଡିକ ମଧ୍ୟରୁ ମାତ୍ର ୯୧୩ଟିରେ ଓଡ଼ିଶାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିବା ବେଳେ ୭୨୫୧ଟିରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସମଗ୍ର ଦେଶରେ ଗତବର୍ଷ ୮,୬୫,୩୬୨ଟି ଆଇପିସି ମାମଲା ଫଏସଲା ହୋଇଥିବା ବେଳେ ସେଥିମଧ୍ୟରୁ ୪,୫୩,୮୯୦ଟିରେ ଦଣ୍ଡବିଧାନ ହୋଇଛି ଏବଂ ୨,୭୮,୩୧୦ ମାମଲାରେ ଅଭିଯୁକ୍ତ ଖଲାସ ହୋଇଛନ୍ତି ।

ମୋଟାମୋଟି ଭାବେ ସମଗ୍ର ଦେଶରେ ଏବେ ପ୍ରାୟ ୧କୋଟି ୩୪ଲକ୍ଷ ଆଇପିସି ମାମଲା ବିଚାରାଧୀନ ରହିଥିବା ବେଳେ ଓଡ଼ିଶାରେ ଏଭଳି କିସମର ବିଚାରାଧୀନ ମାମଲା ସଂଖ୍ୟା ୭ଲକ୍ଷରୁ ଅଧିକ ରହିଛି । ସବୁଠାରୁ ଉଦ୍‍ବେଗଜନକ ତଥ୍ୟ ହେଉଛି ଗତବର୍ଷ ଶେଷ ସୁଦ୍ଧା ଆମ ଦେଶରେ ଆଇପିସିର ବିଭିନ୍ନ ଦଫାରେ ଯେତେସଂଖ୍ୟକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିଲା ସେଥିରୁ ମାତ୍ର ୬.୨ ପ୍ରତିଶତ ଫଏସଲା ହୋଇଥିବା ବେଳେ ପରବର୍ତ୍ତୀ ବର୍ଷକୁ ୯୩.୮ ପ୍ରତିଶତ ବାକିଆ ମାମଲା ଗଡିଛି ।

ତେବେ ଓଡ଼ିଶାରେ ଗତବର୍ଷ ଶେଷ ସୁଦ୍ଧା ଯେତେ ଆଇପିସି ମାମଲା ବିଚାର ପ୍ରତୀକ୍ଷାରେ ଥିଲା ସେଥିରୁ ମାତ୍ର ୧.୨ ପ୍ରତିଶତ ଫଏସଲା କରିବାରେ ରାଜ୍ୟର ଆଇନ ଅଦାଲତଗୁଡିକ ସକ୍ଷମ ହୋଇଥିବା ବେଳେ ୯୮.୮ ପ୍ରତିଶତ ବକେୟା ମାମଲା ଭାବେ ପରବର୍ତ୍ତୀ ବର୍ଷକୁ ଗଡିଥିବା ଏନସିଆରବି ରିପୋର୍ଟର ପରିସଂଖ୍ୟାନରେ ଉଲ୍ଲେଖ କରାଯାଇଛି ।

ଆଇପିସି ମାମଲାରେ ଦଣ୍ଡବିଧାନ ହାର ମିଜୋରାମରେ ସର୍ବାଧିକ ୯୪.୭ ପ୍ରତିଶତ ରହିଥିବା ବେଳେ ଲଦାଖରେ ୯୩.୬ ପ୍ରତିଶତ ରହିଛି । ଏ କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୧୧.୨ ପ୍ରତିଶତ ଥିବାବେଳେ ଆସାମରେ ୫.୪ ପ୍ରତିଶତ ରହିଛି । ମୋଟାମୋଟି ଭାବେ ଆଇପିସି ମାମଲାରେ ଦଣ୍ଡବିଧାନ କ୍ଷେତ୍ରରେ ଦେଶର ରାଜ୍ୟଗୁଡିକ ଭିତରେ ଓଡ଼ିଶା ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି ।

ଯେଉଁସବୁ ରାଜ୍ୟରେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ୬୦ ପ୍ରତିଶତରୁ ଅଧିକ ରହିଛି ସେଗୁଡିକ ହେଲା, ଉତ୍ତର ପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ନାଗାଲାଣ୍ଡ, ମିଜୋରାମ, କେରଳ ଓ ଆନ୍ଧ୍ରପ୍ରଦେଶ । ୩୦ରୁ ୬୦ ପ୍ରତିଶତ ଦଣ୍ଡବିଧାନ ହାର ରହିଛି ଉତ୍ତରାଖଣ୍ଡ, ତ୍ରିପୁରା, ରାଜସ୍ଥାନ, ପଞ୍ଜାବ, ମଣିପୁର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଝାଡଖଣ୍ଡ, ହିମାଚଳ ପ୍ରଦେଶ, ହରିଆଣା, ଗୁଜରାଟ, ଛତିଶଗଡ, ବିହାର ଭଳି ରାଜ୍ୟରେ ।

ଆଇପିସି ମାମଲାରେ ଦଣ୍ଡବିଧାନ ହାର ଯେଉଁସବୁ ରାଜ୍ୟରେ ୩୦ ପ୍ରତିଶତରୁ କମ୍‍ ରହୁଛି ସେଗୁଡିକ ଭିତରେ ଅଛନ୍ତି, ପଶ୍ଚିମବଙ୍ଗ, ସିକିମ୍‍, ମେଘାଳୟ, ଗୋଆ, ଅରୁଣାଚଳ, ଆସାମ ଓ ଓଡ଼ିଶା ଭଳି ରାଜ୍ୟ । ବିଳମ୍ବିତ ବିଚାର ପ୍ରକ୍ରିୟା, ତଦନ୍ତରେ ତ୍ରୁଟି, ଦୁର୍ବଳ ମାମଲା ପରିଚାଳନା, ସାକ୍ଷ୍ୟ ପ୍ରମାଣ ନଷ୍ଟ ଆଦି ବିଭିନ୍ନ କାରଣରୁ ଓଡ଼ିଶାରେ ଆଇପିସି ମାମଲାଗୁଡିକରେ ଦଣ୍ଡବିଧାନ ହାର ଢ଼େର୍‍ କମ୍‍ ରହୁଥିବା ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଗୋଟିଏପଟେ ମାମଲାର ଚାପ ବୃଦ୍ଧି ସହ ଆଇନ ଶୃଙ୍ଖଳା ପରିସ୍ଥିତି ଅବନତ ହେଉଥିବା ବେଳେ ଅନ୍ୟପଟେ ଆଇନ ଅଦାଲତ, ପୋଲିସ ବ୍ୟବସ୍ଥା ପାଇଁ ଅଧିକ ଅର୍ଥ ବରାଦ ହେଉଥିବା ସ୍ଥଳେ ଅପରାଧର ଜନନୀ ବୋଲି କୁହାଯାଉଥିବା ନିଶାର ବି ଲଗାମଛଡା ପ୍ରସାର ଘଟୁଛି ।