Home Judiciary ଆଇପିସି ଦଣ୍ଡରେ ଓଡିଶା ପଛରେ

ଆଇପିସି ଦଣ୍ଡରେ ଓଡିଶା ପଛରେ

ଭୁବନେଶ୍ୱର : ଭାରତୀୟ ପିଙ୍ଗଳ କୋଡ୍‍ (ଆଇପିସି) ମାମଲାର ଦଣ୍ଡବିଧାନ ହାର କ୍ଷେତ୍ରରେ ଓଡିଶା ଦେଶର ସବୁଠାରୁ ପଛରେ । ଏଭଳି ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୫୪.୨ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ରହିଛି ମାତ୍ର ୧୧.୯ ପ୍ରତିଶତ । ସଦ୍ୟ ପ୍ରକାଶିତ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏନ୍‍ସିଆରବି ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି ।

୨୦୨୨ ବର୍ଷରେ ସାରା ଦେଶରେ ୧୮,୧୪,୬୭୬ଟି ଆଇପିସି ମାମଲା ଅଦାଲତରେ ଫଏସଲା ହୋଇଥିବାବେଳେ ଏଥି ମଧ୍ୟରୁ ୫,୮୮,୭୩୬ରେ ଅଭିଯୁକ୍ତ ଖସି ଯାଇଛନ୍ତି ଏବଂ ୮,୧୪,୬୬୯ଟି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହୋଇଛି । ଅନ୍ୟ ପକ୍ଷରେ ଉକ୍ତ ବର୍ଷରେ ଓଡିଶାରେ ୨୮,୬୧୨ଟି ଆଇପିସି ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ୨୪,୧୮୯ଟିରେ ଅଭିଯୁକ୍ତମାନେ ଖସିଥିବାବେଳେ ମାତ୍ର ୩୨୭୧ଟି ମାମଲାରେ ଦଣ୍ଡବିଧାନ କରାଯାଇଛି ।

ଆଇପିସି ମାମଲାରେ ଦଣ୍ଡବିଧାନ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଭିତରେ ଓଡିଶା ସବୁଠାରୁ ପଛରେ ପଡିଛି । ଓଡିଶାରେ ଦଣ୍ଡବିଧାନ ହାର ୧୧.୯ ପ୍ରତିଶତ ଥିବାବେଳେ ମିଜୋରାମରେ ୯୫.୩, ଆନ୍ଧ୍ରପ୍ରଦେଶରେ ୬୪.୪, ବିହାରରେ ୫୯.୧, ଛତିଶଗଡରେ ୫୩.୬, କେରଳରେ ୮୬.୪, ନାଗାଲ୍ୟାଣ୍ଡରେ ୬୩.୭, ରାଜସ୍ଥାନରେ ୫୧.୭, ତେଲେଙ୍ଗାନାରେ ୫୭.୩, ତାମିଲନାଡୁରେ ୫୬, ଉତ୍ତରପ୍ରଦେଶରେ ୭୬.୨ ଓ ଉତ୍ତରାଖଣ୍ଡରେ ୫୫.୨ ପ୍ରତିଶତ ରହିଛି । ତେବେ ଆସାମରେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ୧୩.୧ ପ୍ରତିଶତ ଥିବାବେଳେ ଗୁଜୁରାଟରେ ୨୯.୭ ଓ ପଶ୍ଚିମବଙ୍ଗରେ ୨୩.୪ ପ୍ରତିଶତ ଥିବା ଏହି ରିପୋର୍ଟରୁ ଜଣାପଡିଛି ।

ଆଇପିସି ମାମଲା ଫଏସଲା କ୍ଷେତ୍ରରେ ଓଡିଶା ମଧ୍ୟ ବହୁ ପଛରେ ରହିଛି । ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୨୨ ବର୍ଷରେ ଯେତେ ଆଇପିସି ମାମଲା ଓଡିଶାରେ ବିଚାର ପାଇଁ ରହିଥିଲା ସେଥିରୁ ୯୬.୮ ପ୍ରତିଶତ ପରବର୍ଷକୁ ବାକିଆ ମାମଲା ଭାବେ ଗଡିଛି, ଅର୍ଥାତ୍‍ ଉକ୍ତ ବର୍ଷରେ ଆମ ରାଜ୍ୟରେ ଆଇପିସି ଅପରାଧିକ ମାମଲାରୁ ମାତ୍ର ୩.୨ ପ୍ରତିଶତ ଫଏସଲା ହୋଇଛି । ଜାତୀୟ ସ୍ତରରେ ଫଏସଲା ହାର ୧୦.୬ ପ୍ରତିଶତ ରହିଛି । ତେବେ ମାମଲା ଫଏସଲା କ୍ଷେତ୍ରରେ ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଣିପୁର, ଅରୁଣାଚଳପ୍ରଦେଶ, ବିହାର ପ୍ରଭୃତି ରାଜ୍ୟ ଓଡିଶା ଠାରୁ ବି ପଛରେ ରହିଛନ୍ତି ।

କେନ୍ଦ୍ର ସରକାର ସଂସଦରେ ଦେଇଥିବା ତଥ୍ୟ ମୁତାବକ ସାରା ଦେଶରେ ଆଇନ୍‍ ଅଦାଲତଗୁଡିକରେ ୫କୋଟିରୁ ଅଧିକ ମାମଲା ବିଚାରାଧିନ ଥିବାବେଳେ ସେଥିରୁ ୩କୋଟି ୧୫ଲକ୍ଷରୁ ଅଧିକ ହେଉଛି ଅପରାଧିକ ମାମଲା । ସେହିଭଳି ଓଡିଶାରେ ୧୨ଲକ୍ଷରୁ ଅଧିକ ଅପରାଧିକ ମାମଲା ନ୍ୟାୟାଳୟଗୁଡିକରେ ପଡିଥିବା ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଦିଆଯାଇଛି । ଅପରାଧ ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବ୍ୟାପକ ଯୋଜନା କରି କୋର୍ଟ, କଚେରୀ, ଜେଲ୍‍ ଓ ପୁଲିସ୍‍ ପ୍ରଶାସନ ପାଇଁ ବିପୁଳ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଦଣ୍ଡବିଧାନ ହାର କମ୍‍ ରହିବା ଏବଂ ବିଚାର ପ୍ରକ୍ରିୟା ବିଳମ୍ବିତ ହେବାରୁ ଅପରାଧ ବଢୁଥିବା କଥା ବିଧି ବିଶେଷଜ୍ଞମାନେ ସ୍ୱୀକାର କରୁଛନ୍ତି । ଓଡିଶାରେ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର କିଭଳି ଅଧିକ ହେବ ତାହା ଏବେ ପ୍ରଶାସନ ପାଇଁ ବଡ ଆହ୍ୱାନ ହୋଇଥିବା କୁଡାଯାଉଛି । (ତଥ୍ୟ)