ଭୁବନେଶ୍ୱର : ଆଗତ ଅଭିଯୋଗ ଆଧାରରେ ତ୍ୱରିତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଫୌଜଦାରୀ ମାମଲା ବହୁ କ୍ଷେତ୍ରରେ ଚାଲୁନଥିବାରୁ ଶାସନ ବ୍ୟବସ୍ଥାରେ ବିଭ୍ରାଟ ଉପୁଜିଛି । ଏହାର ପ୍ରତିଫଳନ ହେଉଛି ବାଲେଶ୍ୱର ଫକୀରମୋହନ କଲେଜ୍ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ବୋଲି ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ।
ଏବେ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକୋତ୍ତର ଛାତ୍ରୀ ଖୋଲା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ପ୍ରସଂଗରେ । ସେ ପ୍ରାୟ ୯ମାସ ତଳେ ଅଭିଯୋଗ କରିଥିଲେ ମଧ୍ୟ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କେବଳ ସମୟ ଗଡ଼ା ଚାଲିଛି । ସେହିଭଳି ଅନ୍ୟଗୋଟେ କଲେଜ୍ର ଜଣେ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଜଣେ ଅଧ୍ୟାପକ ତାଙ୍କୁ ଧୋକ୍କା ଦେବା ପରେ ସେ ପ୍ରାୟ ୪ମାସ ତଳେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏବେ ସୌମ୍ୟାଶ୍ରୀ ଘଟଣା ପରେ ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଛି ।
ସେହିପରି ଅନ୍ୟ ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଧରିବାର ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବାବେଳେ ମୃତକଙ୍କ ବିଧବା ପତ୍ନୀ ଆତ୍ମାହୂତି ଦେବା ଲାଗି ଧମକ ଦେବା ପରେ ମାତ୍ର ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁକ୍ତଦୁଇ ବାଣିଜ୍ୟ ଛାତ୍ରୀ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଥିଲେ ମଧ୍ୟ ଏଯାବତ୍ ତାଙ୍କୁ ନ୍ୟାୟ ଦେବାରେ ବ୍ୟବସ୍ଥା ବିଫଳ ହୋଇଛି । ଏହାଛଡ଼ା ବିଦ୍ୟାଳୟର ନାବାଳିକା କେତେକ ଛାତ୍ରୀଙ୍କୁ ଯୌନ ଶୋଷଣ କରି ଗର୍ଭବତୀ କରାଯାଉଥିବା ଘେନି ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବାବେଳେ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଇପାରୁନାହିଁ ।
ଏ ସଂକ୍ରାନ୍ତରେ ବିଧିବିଶେଷଜ୍ଞ ପ୍ରହଲାଦ କୁମାର ସିଂହ କହିଛନ୍ତି ଯେ ଯୌନ ନିର୍ଯାତନା ରୋକିବା ପାଇଁ ସ୍ୱତନ୍ତ୍ର ଆଇନ୍ ସହିତ ପକ୍ସୋ ଭଳି ଆଇନ୍ର କଡ଼ାକଡ଼ି ଅନୁପାଳନ ସଂଖ୍ୟାଧିକ କ୍ଷେତ୍ରରେ କରାଯାଉନାହିଁ । ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ ନକଲେ ସଂପୃକ୍ତ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ଆଇନ୍ଗତ ବ୍ୟବସ୍ଥା ଥିବା ସ୍ଥଳେ ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ କେତୋଟି ଶିକ୍ଷାନୁଷ୍ଠାନ ଓ ଦପ୍ତର ଉପରେ ଏହି ଜରିମାନା ଲାଗୁ କରାଯାଇଛି ସରକାର ତାହାର ତଦନ୍ତ କରିବା ଆବଶ୍ୟକ । ଏହାଛଡ଼ା ବିଭିନ୍ନ ଅପରାଧିକ ଆଇନ୍ରେ ମହିଳାମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ଓ ସେମାନଙ୍କ ପ୍ରତି ଘଟୁଥିବା ଦୁଷ୍କର୍ମ ଭଳି ଗୁରୁତର ଅଭିଯୋଗ ପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଥିବାବେଳେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଦଣ୍ଡବିଧାନର ହାର ଓଡ଼ିଶାରେ କାହିଁକି ୧୦ ପ୍ରତିଶତରୁ କମ୍ ଓ ଏଭଳି ସମ୍ବେଦନଶୀଳ ମାମଲାର ଫଇସଲା ହାର ୬ ପ୍ରତିଶତରୁ କମ୍ ବୋଲି ସେ ପ୍ରଶ୍ନ ଉଠାଇ ସରକାର ଓ ସମାଜ ଏ ଦିଗରେ କଠୋର ପଦକ୍ଷେପ ନେବାକୁ ମତ ଦେଇଛନ୍ତି ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସୌମ୍ୟାଶ୍ରୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ ଅଭିଯୋଗ ଯେଉଁ ଅଧ୍ୟାପକଙ୍କ ବିରୋଧରେ ଆସିଛି ତାଙ୍କ ବିରୋଧରେ ପୂର୍ବରୁ କେନ୍ଦ୍ରାପଡ଼ାର ବାଲିଆ, ଢେଙ୍କାନାଳର ଭୁବନ ଓ କେନ୍ଦୁଝରର ଚମ୍ପୁଆରେ ମଧ୍ୟ ଅନୁରୂପ ଅଭିଯୋଗ ମାନ ରହିଥିଲା । ସରକାର କେବଳ ତାଙ୍କୁ ବଦଳି କରିଦେଇ ହାତବନ୍ଧି ବସିଗଲେ । ଏଭଳି ଅଭିଯୋଗ ସରକାରୀ କର୍ମଚାରୀ ଆଚରଣ ବିଧିର ଖୋଲା ଉଲ୍ଲଂଘନ ଦର୍ଶାଇ ଅଧିବକ୍ତା ଶ୍ରୀ ସିଂହ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସିସିଆର ରୁଲ୍ର ୧୫ ଧାରା ଅନୁଯାୟୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ୧୩ ଧାରା ଅନୁଯାୟୀ ନିଳମ୍ବନ ଆଦି ପ୍ରଥମ ଅଭିଯୋଗ ସମୟରୁ କରାଯାଇଥିଲେ ସୌମ୍ୟାଶ୍ରୀଙ୍କୁ ଆତ୍ମାହୂତି ଦେବାକୁ ପଡ଼ିନଥାନ୍ତା କିମ୍ବା ଓଡ଼ିଶା ନିନ୍ଦିତ ହୋଇନଥାନ୍ତା । ବହୁ କ୍ଷେତ୍ରରେ ଏକ ସଂଗରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନଷ୍ଠାନ ଓ ଫୌଜଦାରୀ ମାମଲା ଚାଲୁନଥିବାରୁ ଏଭଳି ବିଭ୍ରାଟ ଉପୁଜିଛି । ଯେଉଁ କେତେକ ସ୍ଥଳରେ ନିଲମ୍ବନ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ତଦନ୍ତ ହେଉଛି ତାହା ବର୍ଷବର୍ଷ ଧରି ଗଡ଼ୁଛି ।
ଏ ସଂକ୍ରାନ୍ତରେ ୨୦୧୦ ମସିହାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କର ଯେଉଁ ମାର୍ଗ ନିର୍ଦ୍ଦେଶିକା ଜାରି କରାଯାଇଥିଲା ତାହାର ଠିକଣା ଅନୁପାଳନ ହେଉନାହିଁ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତୀୟ ବିଧିବ୍ୟବସ୍ଥାର ମଧ୍ୟ ସଂଶୋଧନ କରାଯାଉନାହିଁ । ଫଳରେ ବ୍ୟବସ୍ଥାରେ ବିଶୃଙ୍ଖଳା ବଢ଼ିଚାଲି ସରକାରୀ କଳରେ କଳଙ୍କି ଲାଗିଯାଉଛି ଏବଂ ସାଧାରଣ ଲୋକେ ସେବା ପାଇବାରୁ ବଞ୍ôଚତ ହେଉଥିବାବେଳେ ସେମାନଙ୍କ ରାଜକୋଷର ଲକ୍ଷଲକ୍ଷ କୋଟି ଟଙ୍କା ବାରବାଦ ହେଉଛି ବୋଲି ଉଲ୍ଲେଖ କରି ଏ ଦିଗରେ ରାଜ୍ୟ ସରକାର ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିବକ୍ତା ଶ୍ରୀ ସିଂହ ପ୍ରସ୍ତାବ ଦେଇଛନ୍ତି ।(ତଥ୍ୟ)