Home Administration ଆଇନର ସଂଶୋଧନ ନହେବାରୁ କ୍ୟାଡରରେ ବିଭ୍ରାଟ

ଆଇନର ସଂଶୋଧନ ନହେବାରୁ କ୍ୟାଡରରେ ବିଭ୍ରାଟ

ଭୁବନେଶ୍ୱର : ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଆଇନ୍‍ର ଠିକଣା ସଂଶୋଧନ କରାଯାଉନଥିବାରୁ ବିଭିନ୍ନ କ୍ୟାଡରରେ ପଦୋନ୍ନତିବେଳେ ବିଭ୍ରାଟ ଉପୁଜୁଛି । ଏମିତିକି ସରକାରୀକଳ ଆଗରେ ସ୍ପଷ୍ଟଚିତ୍ର ରହୁନଥିବାରୁ ବିଭାଗୀୟ ପଦୋନ୍ନତି କମିଟିର ସୁପାରିଶକୁ ବାତିଲ କରି ସରକାର ନୂଆ କମିଟି ବସାଉଛନ୍ତି । ବସ୍ତୁତଃ ଓଡିଶାରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆଇନ୍‍ ପରିବର୍ତ୍ତେ ସରକାରୀ ନିର୍ଦ୍ଦେଶନାମା ଓ ସ୍ପଷ୍ଟିକରଣକୁ ଆଧାରକରି ଚାଲୁଛି ।

ଏଭଳି ସ୍ଥିତିରେ ଏବେ ବିଭିନ୍ନ କ୍ୟାଡରର ପଦୋନ୍ନତି ପ୍ରସଙ୍ଗକୁ କେନ୍ଦ୍ରକରି ହାଇକୋର୍ଟରେ ମାଳ ମାଳ ମାମଲା ରୁଜୁ ହେଉଛି । ଅଣସଂରକ୍ଷିତ ଆସନରେ ସଂରକ୍ଷିତବର୍ଗର ଯୋଗ୍ୟ, ବରିଷ୍ଠ ଓ ଦକ୍ଷ ପ୍ରାର୍ଥୀମାନେ ପଦୋନ୍ନତି ପାଇପାରିବେ କି ନାହିଁ ସେ ସଂକ୍ରାନ୍ତରେ ଖୋଦ ରାଜ୍ୟ ସରକାର ସ୍ପଷ୍ଟ ନଥିବାରୁ ଏ ସଂକ୍ରାନ୍ତରେ ବି ହାଇକୋର୍ଟଙ୍କ ଦ୍ୱାରା ସମାଧାନ ଆଶାକରି କର୍ମଚାରୀମାନେ ଖର୍ଚ୍ଚାନ୍ତ ହୋଇ ଦଉଡୁଛନ୍ତି । ଏହି ପ୍ରସଙ୍ଗକୁ କେନ୍ଦ୍ରକରି ପଦୋନ୍ନତି ଆଶାୟୀ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତବର୍ଗର ଅଧିକାରୀଙ୍କ ମଧ୍ୟରେ ଆଇନ୍‍ଯୁଦ୍ଧ ଚାଲୁଛି । ଏହାର ପ୍ରଭାବ ପ୍ରଶାସନକଳ ଉପରେ ପଡୁଛି ବୋଲି ଉଭୟ ବର୍ଗର ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ସ୍ଥାନ ସଂରକ୍ଷଣ ପାଇଁ ଓଡିଶା ସରକାରଙ୍କର ୧୯୭୫-୭୬ ବର୍ଷରୁ ଓଆରଭି ଆଇନ୍‍ ରହିଛି । ତେବେ ପରବର୍ତ୍ତୀ ସମୟରେ ସମ୍ବିଧାନ ସଂଶୋଧନ ଓ ସୁପ୍ରିମକୋର୍ଟଙ୍କ ବହୁ ମାମଲାରେ ରାୟ ପରିପ୍ରେକ୍ଷୀରେ ଏଥିରେ ସଂଶୋଧନ ଲୋଡା ହେଉଥିଲେ ମଧ୍ୟ ବିରୁଡି ବସାରେ କେହି ହାତ ମାରିବାକୁ ସାହସ କରୁନାହାନ୍ତି । ୧୯୯୨ରେ ଇନ୍ଦ୍ରା ସ୍ୱାୱାନୀ ମାମଲାରେ ସୁପ୍ରିମକୋର୍ଟ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପିବନାହିଁ ବୋଲି ସ୍ପଷ୍ଟ କରିଦେବା ସହ ସଂରକ୍ଷିତବର୍ଗର ପ୍ରାର୍ଥୀ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ଅଣସଂରକ୍ଷିତ ଆସନରେ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ସ୍ପଷ୍ଟ କରିଦେଇଥିଲେ । ୧୯୯୫ ରେ ଆର କେ ସଭରୱାଲ ମାମଲରେ ପୋଷ୍ଟ ବେସ୍‍ଡ ରୋଷ୍ଟର କଥା କୁହାଯାଇଥିଲା ଏବଂ ସଂରକ୍ଷିତବର୍ଗର ପ୍ରାର୍ଥୀ ବି ଅଣସଂରକ୍ଷିତ ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିପାରିବେ ବୋଲି ଉଲ୍ଲେଖ ଥିଲା ।

ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସରକାର ଜାତି ଭିତ୍ତିକ ‘କ୍ୱାଣ୍ଟିଫିଏବୁଲ ଡାଟା’ ସଂଗ୍ରହ କରିବାକୁ ୨୦୦୬ ମସିହାରେ ଏମ ନାଗରାଜ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ମଧ୍ୟ ୧୯ବର୍ଷ ଧରି ଏହି ତଥ୍ୟ ସଂଗ୍ରହ ହୋଇପାରିନାହିଁ । ଏଥିଯୋଗୁଁ ରାଜ୍ୟ ସରକାର ଏସଇବିସିଙ୍କ ପାଇଁ କରିଥିବା ୨୭ ପ୍ରତିଶତ ସଂରକ୍ଷଣ ଆଇନ୍‍ ଅମର ଛାଟୋଇ ମାମଲାରେ କାଟ୍‍ ଖାଇଯାଇଛି । ଏ ପରିପ୍ରେକ୍ଷୀରେ ୧୯୯୭ରୁ ଏଯାବତ୍‍ ରାଜ୍ୟ ସରକାର ମାଳ ମାଳ ସ୍ପଷ୍ଟିକରଣ ଓ ନିର୍ଦ୍ଦେଶନାମା ଜାରି କରି ଚାଲିଛନ୍ତି । ଏମିତିକି କେତେକ କ୍ଷେତ୍ରରେ ନିଜ ନିର୍ଦ୍ଦେଶନାମାକୁ ନିଜେ ପ୍ରତ୍ୟାହାର କରିନେଇ ପୁଣି ପ୍ରତ୍ୟାହୃତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଘଟଣାରୁ ଏ ପ୍ରସଙ୍ଗରେ ସ୍ପଷ୍ଟତା ଓ ସ୍ୱଚ୍ଛତା ଘେନି ପ୍ରଶ୍ନବାଚୀ ଉଠୁଛି ।

ରାଜ୍ୟ ସରକାରଙ୍କର ଆଇନ୍‍ ବିଭାଗ ୨୦୨୪ ଫେବୃୟାରୀ ୨୭ତାରିଖରେ ଅଣସଂରକ୍ଷିତ ଆସନରେ ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କ କଥା ବିଚାରପାଇଁ ଯେଉଁ ମତ ଦେଇଥିଲେ ତାହାରି ଆଧାରରେ ସେହିବର୍ଷ ମଇ ୬ତାରିଖରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଶାସନ ସଚିବ ରୂପାରୋଶନ ସାହୁ ଏକ ସ୍ପଷ୍ଟିକରଣ ଜାରି କରିଥିଲେ । ଏହାର ମାସେ ନପୁରୁଣୁ ୨୦୨୪ ଜୁନ୍‍ ୧୩ରେ ନିଜେ ଶ୍ରୀମତୀ ସାହୁ ଏହି ସ୍ପଷ୍ଟିକରଣକୁ ପ୍ରତ୍ୟାହାର କରିନିଆଯାଇଥିବା ଘେନି ଏକ ବିଜ୍ଞପ୍ତି ଜାରି କରିଥିଲେ । ଏଭଳି ସ୍ଥିତିରେ ଚଳିତବର୍ଷ ଫେବୃୟାରୀ ୨୭ତାରିଖରେ ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଦସ୍ତଖତରେ ଜାରି କରାଯାଇଥିବା ଅନ୍ୟଏକ ସ୍ପଷ୍ଟିକରଣରେ ୬/୫/୨୦୨୪ର ମାର୍ଗଦର୍ଶିକା ବଜାୟ ରହିବ ବୋଲି କୁହାଯାଇଥିଲା । ଏଭଳି ଗୋଳମାଳିଆ ସ୍ଥିତିରେ ବିଭିନ୍ନ ବିଭାଗର ପଦୋନ୍ନତିରେ ତାଳମେଳ ରହୁନଥିବାରୁ ମାମଲା ବୃଦ୍ଧି ପାଇବା ସହିତ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବଢୁଛି । (ତଥ୍ୟ)