ଭୁବନେଶ୍ୱର : ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନ୍ରେ ସଂଶୋଧନ ନଆଣିଲେ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ କୁଳପତି, ଶିକ୍ଷକ ଓ ଅନ୍ୟାନ୍ୟ ପଦ ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇ ପାରିବନାହିଁ । ୨୦୨୦ ମସିହାରେ ରାଜ୍ୟ ସରକାର ବିଧାନସଭାରେ ବିଲ୍ ଆଣି ପ୍ରଣୟନ କରିଥିବା ଏହି ଆଇନର ବୈଧତା ଉପରେ ପ୍ରଶ୍ନ ଉଠାଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସୁପ୍ରିମ୍କୋର୍ଟରେ ଯେଉଁ ମାମଲା ରୁଜୁ କରିଛନ୍ତି ସେଥିଯୋଗୁଁ ଏଭଳି ଅନଶ୍ଚିତତା ଲାଗି ରହିଛି ।
ଉଚ୍ଚଶିକ୍ଷା ବିଭାଗର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏବେ ୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି । ଚଳିତବର୍ଷ ଉତ୍କଳ, ରମାଦେବୀ, ଗଙ୍ଗାଧର ମେହେର ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ୨୦୨୫ରେ ରେଭେନ୍ସା, ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, ଫକୀରମୋହନ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ସରିବ । ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଥିବାବେଳେ ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା ଦିନରୁ ଏପର୍ଯ୍ୟନ୍ତ ବିନା କୁଳପତିରେ ଚାଲିଛି ।
ଗୁଜୁରାଟର ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସେହି ଆଧାରରେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ କାଟ୍ ଖାଇଯିବାର ସମ୍ଭାବନା ଅଧିକ ରହିଛି । ଏ ପରିପ୍ରେକ୍ଷୀରେ ଘଟଣାର ସହଜ ଓ ସରଳ ସମାଧାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ ଆଇନ୍ର ତୁରନ୍ତ ସଂଶୋଧନ କରି ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର ପ୍ରକ୍ରିୟାକୁ ସୁଗମ କରିବାକୁ କହିଛନ୍ତି ।
ଓଡିଶାରେ ବିଜେପି ସରକାର ପ୍ରତିଷ୍ଠା ହେବାପରେ ବିଧାନସଭାର ଦୁଇଟି ଅଧିବେଶନ ସରିଥିଲେ ମଧ୍ୟ ୨୦୨୦ର ବିଶ୍ୱବିଦ୍ୟାଳୟ ଆଇନ୍ରେ ସଂଶୋଧନ ପାଇଁ କୌଣସି ବିଲ୍ ଆସିନାହିଁ । ତେବେ ଆଇନ୍ ବିଶାରଦମାନେ କହୁଛନ୍ତି ଯେ ରାଜ୍ୟ ସରକାର ଚାହିଁଲେ ଅଧ୍ୟାଦେଷ ଆଣି ନୂଆ ଆଇନ୍କୁ ଅଚଳ କରିବା ସହ ପୁରୁଣା ଆଇନ୍ ଆଧାରରେ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି, ଶିକ୍ଷକ ଓ ଅନ୍ୟାନ୍ୟ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିପାରିବେ ।
ବିଶ୍ୱବିଦ୍ୟାଳୟଗୁଡିକର ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସାରା ଦେଶ ପାଇଁ ମାର୍ଗଦର୍ଶିକା ଜାରି କରିଥାଏ । ଏଥିରେ କୁଳପତି, ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଆଦି ପଦବୀ ଲାଗି ଉପଯୁକ୍ତ ପ୍ରାର୍ଥୀ ଚୟନ ଏବଂ ନିଯୁକ୍ତି ପାଇଁ ଯେଉଁ ବ୍ୟବସ୍ଥା ରହିଛି ରାଜ୍ୟ ସରକାରଙ୍କ ୨୦୨୦ର ଆଇନ୍ ତାହାର ବିରୁଦ୍ଧାଚରଣ କରୁଛି । ଏହି ଆଇନ୍ ବଳରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟଗୁଡିକ ଠାରୁ ଶିକ୍ଷକ ଚୟନ ଦାୟିତ୍ୱ କାଢି ଆଣି ରାଜ୍ୟ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଛନ୍ତି । ସେହିଭଳି କୁଳପତି ଚୟନ ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ବିଶ୍ୱବିଦ୍ୟାଳୟଗୁଡିକର ସ୍ୱୟଂଶାସନ ଉପରେ ଆଞ୍ଚ ଆଣୁଥିବା ଘେନି ବିରୋଧିଦଳରେ ଥିବାବେଳେ ବିଜେପି ଅଭିଯୋଗ କରୁଥିଲା । ଏବେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ ୨୯୬୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୨୧୫୩ଟି ଖାଲି ପଡିଥିବାବେଳେ ୧୯୧୧ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀରୁ ୧୧୮୭ଟି ଖାଲି ପଡିଛି । (ତଥ୍ୟ)