ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ଆଜି କେତେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳ ସକାଳୁ ପଦ୍ମପୁରର ତିନି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ଉପରେ ଆୟକର (ଆଇଟି) ଚଢଉ ହୋଇଥିବାବେଳେ ସଂଧ୍ୟାରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧିକାରୀମାନେ ଚଢଉ କରିଥିଲେ ।
ଆୟକର ଅଧିକାରୀମାନେ ଚଢାଉ କରିବାପରେ ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପର ବିରୁଦ୍ଧରେ ବିବୃତ୍ତି ଦେଇଥିବାବେଳେ ସଞ୍ଜରେ ଜିଏସ୍ଟି ଚଢଉ ପରେ ପଦ୍ମପୁରର ବ୍ୟବସାୟୀମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ।
ଜିଏସ୍ଟି ଚଢଉ ପ୍ରତିବାଦରେ ଆସନ୍ତା କାଲି ପଦ୍ମପୁର ବଣିକ ସଂଘ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ତେବେ ଏହି ବନ୍ଦରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ସାମିଲ ହେବ ଏବଂ ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନଗୁଡିକ ଏଥିରୁ ବାଦ୍ ପଡିବେ ବୋଲି ବ୍ୟବସାୟୀ ସଂଘ ସ୍ପଷ୍ଟ କରିଛନ୍ତି ।
ପଦ୍ମପୁରରେ ନିର୍ବାଚନପ୍ରଚାର ଜୋରଦାର ହୋଇଥିବାବେଳେ ଆଜି ସକାଳ ସକାଳୁ ତିନି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ ପଡିଥିଲା । ଏହି ତିନି ଜଣ ହେଲେ ବହିଦରପଡାର ମହମ୍ମଦ ସାଜିଦ, ସାହୁପଡାର ମାନସ ରଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରୱାଲ ।
ଏହି ତିନି ବ୍ୟବସାୟୀଙ୍କ ଘରେ ଆଇଟି ଅଧିକାରୀ ଚଢଉ କରୁଥିବାବେଳେ ସେମାନଙ୍କ ଘରଗୁଡିକୁ କେନ୍ଦ୍ରୀୟ ସୁରକ୍ଷାବଳ ଘେରି ରହିଥିଲେ । ଏପରିକି ଆୟକର ଚଢଉ ହେଉଥିବା ବ୍ୟକ୍ତିଙ୍କ ଘରକୁ ସେମାନଙ୍କ ଓକିଲଙ୍କୁ ଛଡାଯାଇ ନଥିଲା । ଉଭୟ ଭୁବନେଶ୍ୱର ଓ ରାୟପୁରର ଆଇଟି ଅଧିକାରୀମାନେ ଏହି ଚଢଉରେ ସାମିଲ ହୋଇଥିଲେ ।
ତେବେ ଆଇଟି ରେଡ୍ ଜାରି ରହିଥିବାବେଳେ ସଞ୍ଜରେ ପଦ୍ମପୁରର କିଛି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସ୍ଟି ଅଧିକାରୀମାନେ ଚଢଉ କରିଥିଲେ । ଏଥି ମଧ୍ୟରେ ସହରରେ ଥିବା ଜଗଦମ୍ବା ଲୁଗାଦୋକାନ ସହିତ ପେଟ୍ରୋଲ ପମ୍ପ ଏବଂ ଔଷଧ ଦୋକାନ ରହିଥିଲା । ଜିଏସ୍ଟି ଚଢଉ ସମୟରେ ଲୁଗାଦୋକାନ ଭିତରେ ବିଜେପି କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।
ତେବେ ପଦ୍ମପୁରର ବଣିକ ସଂଘ ଏଭଳି ଜିଏସ୍ଟି ଚଢଉର ଘୋର ପ୍ରତିବାଦ କରିବା ସହିତ ୨୯ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଉଥିବା ନେଇ ସଂଘର ସଭାପତି ପ୍ରତାପ ମିଶ୍ର ଘୋଷଣା କରିଥିଲେ ।