ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଏକ ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଟିକସ ସରଳୀକରଣ ପଦକ୍ଷେପ କାରଣରୁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ବୃଦ୍ଧି ପାଇଛି । ଟିକସ ଆକଳନ ବର୍ଷ (ଏୱାଇ) ୨୦୧୫ରୁ ୨୦୨୪ ମଧ୍ୟରେ ଆୟ ବିତରଣରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରୁଛି । ଉଲ୍ଲେଖଯୋଗ୍ୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ଆୟ ଅସମାନତା ୭୪.୨% ହ୍ରାସ ପାଇଛି, ଯାହା ଦର୍ଶାଉଛି ଯେ ସରକାରୀ ପଦକ୍ଷେପ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ରୋଜଗାର ବୃଦ୍ଧି କରୁଛି।
ଏସବିଆଇ ରିପୋର୍ଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ବିଷୟରେ ଅବତାରଣା କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଭାରତର ପ୍ରଗତିଶୀଳ ଟିକସ ବ୍ୟବସ୍ଥା କାରଣରୁ ୨୦୨୪ ଆକଳନ ବର୍ଷରେ ମୋଟ୍ ଟିକସ ରାଜସ୍ୱରେ ପ୍ରତ୍ୟକ୍ଷ ଟିକସ ପରିମାଣ ୫୬.୭% ରହିଛି, ଯାହାକି ୧୪ ବର୍ଷ ମଧ୍ୟରେ ସର୍ବାଧିକ। ୨୦୨୧ ଆର୍ଥିକ ବର୍ଷରୁ ବ୍ୟକ୍ତିଗତ ଆୟକର (ପିଆଇଟି) ଆଦାୟ କର୍ପୋରେଟ୍ ଆୟକର (ସିଆଇଟି)କୁ ପଛରେ ପକାଇ ଦେଇଛି। ଏହା ସିଆଇଟିର ୩% ତୁଳନାରେ ୬% ହାରରେ ବୃଦ୍ଧି ପାଇଛି।
୨୦୨୪ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ-ଜିଡିପି ଅନୁପାତ ୬.୬୪% ରେ ପହଞ୍ଚିଛି, ଯାହା କି ୨୦୦୦-୦୧ ପରଠାରୁ ସର୍ବାଧିକ। ପ୍ରତ୍ୟକ୍ଷ ଟିକସ ଆଦାୟ ପୂର୍ବ ଆର୍ଥିକ ବର୍ଷରେ ୧.୨୫ରୁ ୧.୮୬କୁ ବୃଦ୍ଧି ପାଇଛି। ଏହାବ୍ୟତୀତ ୨୦୨୪ ଆର୍ଥିକ ବର୍ଷରେ ଟିକସ ଆଦାୟ ଖର୍ଚ୍ଚ ୦.୪୪%କୁ ହ୍ରାସ ପାଇଛି, ଯାହାକି ୨୦୨୩ ଆର୍ଥିକ ବର୍ଷରେ ୦.୫୧% ଥିଲା।
ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ମଧ୍ୟରେ ୫ଟି ରାଜ୍ୟରୁ ୭୦%ରୁ ଅଧିକ ଟିକସ ଆଦାୟ କରାଯାଇଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୩୮.୯% ସହ ସବୁଠୁ ଆଗରେ ଥିବା ବେଳେ କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ ଏବଂ ଗୁଜରାଟ ଏହା ପଛକୁ ରହିଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ମୁଣ୍ଡପିଛା ଟିକସ ଅବଦାନ ଜାତୀୟ ହାରାହାରିଠାରୁ ଅଧିକ ରହିଥିବା ଏସବିଆଇ ରିପୋର୍ଟରେ ଦର୍ଶାଯାଇଛି । ଅପରପକ୍ଷରେ ରାଜସ୍ଥାନ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ମୁଣ୍ଡପିଛା ପ୍ରତ୍ୟକ୍ଷ ଟିକସ କମ୍ ଓ ମୁଣ୍ଡପିଛା ଆୟ କମ୍ ରହିଛି।
୨୦୨୫ ଆକଳନ ବର୍ଷରେ ଟିକସ ପ୍ରଦାନକାରୀଙ୍କ ସଂଖ୍ୟା ୯କୋଟି ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି । ୨୦୨୨ରେ ୭.୩ କୋଟି ଲୋକ ଆଇଟିଆର ଦାଖଲ କରିଥିବା ବେଳେ ୨୦୨୪ରେ ଏହା ୮.୬ କୋଟିକୁ ବୃଦ୍ଧି ପାଇଛି। ୬.୮୯ କୋଟି ବା ୭୯% ଲୋକ ଠିକ୍ ସମୟରେ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ଗତ ଦଶ ବର୍ଷ ମଧ୍ୟରେ ମୋଟ୍ ଟିକସଦାତାଙ୍କ ସଂଖ୍ୟା ୨.୩ ଗୁଣା ବୃଦ୍ଧି ପାଇ ୨୦୨୪ରେ ୮.୬୨ କୋଟିରେ ପହଞ୍ଚିଛି । ସେହିପରି ୨୦୧୪ ତୁଳନାରେ ୨୦୨୪ରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ପାଞ୍ଚଗୁଣା ବୃଦ୍ଧି ପାଇ ୨.୨ ଲକ୍ଷରେ ପହଞ୍ଚିଛି । ସବୁ ବ୍ୟକ୍ତିଗତ ଟିକସଦାତାଙ୍କ ମଧ୍ୟରେ ମହିଳା ଟିକସଦାତାଙ୍କ ସଂଖ୍ୟା ଆନୁମାନିକ ୧୫% ରହିଛି।
୨୦୨୪ ଆର୍ଥିକ ବର୍ଷରେ ଆଇଟିଆର ଦାଖଲ କରିଥିବା ଶୀର୍ଷ ପାଞ୍ଚଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ତାମିଲନାଡୁ, ଯେଉଁଠି ମୋଟ ରିଟର୍ଣ୍ଣର ୪୮% ଦାଖଲ କରାଯାଇଛି। ୨୦୧୫ ଆର୍ଥିକ ବର୍ଷ ତୁଳନାରେ ୨୦୨୪ ଆର୍ଥିକ ବର୍ଷରେ ୫.୧ କୋଟି ଅଧିକ ଆଇଟିଆର ଦାଖଲ ହୋଇଛି, ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ ବୃଦ୍ଧି ଘଟିଥିବା ବେଳେ ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ତାମିଲନାଡୁରେ ସର୍ବାଧିକ ବୃଦ୍ଧି ଘଟିଛି। ଜିନି ଅନୁପାତକୁ ଦୃଷ୍ଟିରେ ରଖିଲେ, ବ୍ୟକ୍ତିଗତ ଆୟ ଅସମାନତାରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି। ଆଇଟିଆର ତଥ୍ୟ ଉପରେ ଆଧାରିତ ଏହି ଗୁଣାତ୍ମକ, ୨୦୧୩ ଆର୍ଥିକ ବର୍ଷ (ଆର୍ଥିକ ବର୍ଷ ୨୦୧୨)ରେ ୦.୪୮୯ରୁ ହ୍ରାସ ପାଇ ୨୦୨୪ (ଆର୍ଥିକ ବର୍ଷ ୨୦୨୩) ରେ ୦.୪୬୦କୁ ହ୍ରାସ ପାଇଛି । ୨୦୨୫ରେ ଏହି ଅନୁପାତ ଆହୁରି ହ୍ରାସ ପାଇ ୦.୪୪୪ରେ ପହଞ୍ଚିବା ନେଇ ଆକଳନ କରାଯାଇଛି ।