Home Education ଆଇଟିଆଇ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ନଗଣ୍ୟ

ଆଇଟିଆଇ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ନଗଣ୍ୟ

ଭୁବନେଶ୍ୱର : ଆଇଟିଆଇ ପାଠ୍ୟକ୍ରମରେ ବର୍ଷକୁ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଉଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ପ୍ରତିଶତ ବି ନିଯୁକ୍ତି ପାଉନାହାନ୍ତି । ଗତ ୭ ବର୍ଷ ମଧ୍ୟରେ ମାତ୍ର ୭୯୧୮ ଜଣ ଆଇଟିଆଇ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଥିବା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ବିଧାନସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯-୨୦ ମସିହାରେ ଆଇଟିଆଇରେ ୫୧,୫୦୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୨୦-୨୧ରେ ଏହି ସଂଖ୍ୟା ୫୧,୫୯୬ ରହିଛି । ତେବେ ୨୦୧୯-୨୦ ମସିହାରେ ଆଇଟିଆଇ ଉତ୍ତୀର୍ଣ୍ଣ ମାତ୍ର ୧୪୨୮ ଜଣ ଛାତ୍ରଛାତ୍ରୀ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିବା ବେଳେ ୨୦୨୦ରେ ଏହା ୧୧୩୫ ରହିଛି । କିନ୍ତୁ ୨୦୧୮-୧୯ରେ ୨୩୭୧ ଜଣ ଆଇଟିଆଇ ଛାତ୍ରଛାତ୍ରୀ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିବା ବେଳେ ୨୦୧୭-୧୮ରେ ଏହା ୧୧୭୮ ରହିଥିଲା । ତେବେ ୨୦୧୪-୧୫ରୁ ୨୦୧୬-୧୭ ମଧ୍ୟରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିବା ଆଇଟିଆଇ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତିନିଅଙ୍କରେ ସୀମିତ ଥିଲା ।

ସେହିଭଳି ୨୦୧୮-୧୯ ବର୍ଷରେ ପଲିଟେକ୍‍ନିକ୍‍ ପାଠ୍ୟକ୍ରମରେ ୩୫,୫୩୫ ଓ ବିଟେକ୍‍ରେ ୧୨,୦୮୩ ଜଣ ନାମ ଲେଖାଇଥିବା ବେଳେ ୨୦୨୦-୨୧ ବର୍ଷରେ ଏହି ସଂଖ୍ୟା ଯଥାକ୍ରମେ ୩୨,୪୬୩ ଓ ୧୧,୦୫୯ ଥିଲା । ବିଗତ ୧୦ ବର୍ଷ ମଧ୍ୟରେ ସରକାରୀ ବୈଷୟିକ ମହାବିଦ୍ୟାଳୟମାନଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଯୁକ୍ତିର ହାର ସେତେଟା ଉତ୍ସାହଜନକ ନୁହେଁ ।

୨୦୧୯ ମସିହାରେ ସିଇଟି ଭୁବନେଶ୍ୱରରୁ ଉତ୍ତୀର୍ଣ୍ଣ ମାତ୍ର ୪୦୦ ଜଣ ଛାତ୍ରଛାତ୍ରୀ ପ୍ଲେସ୍‍ମେଣ୍ଟ ଜରିଆରେ ନିଯୁକ୍ତି ପାଇଥିବା ବେଳେ ପିଏମ୍‍ଇସି ବ୍ରହ୍ମପୁରରୁ ୨୦୫, ଜିସିଇ କଳାହାଣ୍ଡିରୁ ୩୨, ଜିସିଇ କେନ୍ଦୁଝରରୁ ୨୭, ଆଇଏମ୍‍ଆଇଟି କଟକରୁ ୩୩ ଓ ସିଆଇଏମ୍‍ଇ ଭୁବନେଶ୍ୱରରୁ ମାତ୍ର ୬୧ ଜଣ ନିଯୁକ୍ତି ପାଇଥିଲେ । ୨୦୨୦ ମସିହାରେ ଏହି ସଂଖ୍ୟା ଯଥାକ୍ରମେ ୪୮୧, ୨୨୧, ୩୮,୦, ୧୦୪ ଓ ୧୫ ରହିଥିଲା ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଭିନ୍ନ ବୈଷୟିକ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସେମାନଙ୍କ ଶିକ୍ଷାନୁଷ୍ଠାନରେ ପ୍ଲେସ୍‍ମେଣ୍ଟ ସେଲ୍‍ ଗଠନ କରାଯାଇ ନିଯୁକ୍ତି ବ୍ୟବସ୍ଥା ହୋଇଥାଏ । ଏହାଛଡ଼ା ସରକାରୀ ଆଇଟିଆଇ ଓ ସରକାରୀ ପଲିଟେକ୍‍ନିକ୍‍ ଓ ଇଞ୍ଜିନିୟରିଂ କଲେଜରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେବା ପାଇଁ ୨୦୧୪-୧୫ରେ ଏକ କେନ୍ଦ୍ରୀୟ ପ୍ଲେସ୍‍ମେଣ୍ଟ ସେଲ୍‍ ଗଠନ କରାଯାଇଛି ।