ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ଅଫିସରସ୍ତରରେ ଏକ ବଡ଼ଧରଣର ବଦଳି କରିଛନ୍ତି। ୨୦୧୨ ବ୍ୟାଚ୍ ଆଇଏଏସ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ବଦଳି କରିଥିବାବେଳେ ୨୦୨୧ ବ୍ୟାଚ୍ ଆଇଏଏସ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ମନୀଷ ଅଗ୍ରଓ୍ବାଲ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ବରେ ଥିଲେ।
ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହାସହିତ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ୨୦୨୨ ବ୍ୟାଚର ଆଇଏଏସ୍ ଅଫିସରମାନଙ୍କୁ ସରକାର ନୂତନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ପ୍ରଥମଥର ପାଇଁ ପାରାଦୀପରେ ଜଣେ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚର ଆଇଏଏସ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ସହ ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨୦୧୨ ବ୍ୟାଚ୍ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୨୦୧୩ ବ୍ୟାଚ ଆଇଏଏସ ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଅନୁସନ୍ଧାନ ଓ ତାଲିମ ପରିଷଦର ନିର୍ଦ୍ଦେଶକ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦାୟିତ୍ବ ଦିଆଯାଇଛି।
୨୦୧୪ ବ୍ୟାଚ୍ ଆଇଏଏସ ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର, ବନ୍ଦୋବସ୍ତ ଓ ଚକବନ୍ଦୀ ଭାବେ ବଦଳି କରାଯିବା ସହ ତାଙ୍କୁ ଆରଡିସିଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨୦୧୪ ବ୍ୟାଚ୍ ଆଇଏଏସ ଲିଲି କୁମାରୀ କୁଲୁଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଭାବେ, ମାଲକାନଗିରି ଜିଲ୍ଲାପାଳ ୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଭାବେ, ୨୦୨୨ ବ୍ୟାଚ ଆଇଏଏସ ଆକାବାରମ ସସ୍ୟ ରେଡ୍ଡିଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନ ଭାବେ ବଦଳୀ କରାଯାଇଛି। ଆକାବାରମଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିଭଳି ୨୦୨୨ ବ୍ୟାଚ ଆଇଏଏସ ଅକ୍ଷୟ ପିଲ୍ଲେଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ୨୦୨୨ ବ୍ୟାଚ ଆଇଏଏସ ଅରୁଗୁଲା ସ୍ନେହାଙ୍କୁ ମୟୂରଭଞ୍ଜ ଜିଲ୍ଲା ପରିଷଦ ସିଇଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ, ୨୦୨୨ ବ୍ୟାଚ ଆଇଏଏସ ସମୀର କୁମାର ଜେନାଙ୍କୁ ଗଞ୍ଜାମ ଜିଲ୍ଲା ପରିଷଦ ସିଇଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ, ୨୦୨୨ ବ୍ୟାଚ ଆଇଏଏସ ସୌମ୍ୟରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ସିଇଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

