Home Education ଆଇଆଇଟି ଭୁବନେଶ୍ୱର ଷ୍ଟାର୍ଟ ଅପ୍ ଅଭିଯାନ

ଆଇଆଇଟି ଭୁବନେଶ୍ୱର ଷ୍ଟାର୍ଟ ଅପ୍ ଅଭିଯାନ

ଭୁବନେଶ୍ୱର :ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟମିତା ବିକାଶ ପାର୍କ ଆସନ୍ତା ଫେବ୍ରୁଆରି ୧୧ ତାରିଖରେ ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ୧୦୦ କୋଟି ଟଙ୍କାର ମୂଲ୍ୟାଙ୍କନ ବିଶିଷ୍ଟ ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି।

ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପୁଞ୍ଜି ଏବଂ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ପହଞ୍ଚିବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପ୍ରାରମ୍ଭିକ ପୁଞ୍ଜି ଏବଂ ସମ୍ଭାବ୍ୟ ନିବେଶକମାନଙ୍କ ସହ ଯୋଗାଯୋଗ ସୁବିଧା ଉପଲବ୍ଧ କରାଇବ। ଶିକ୍ଷା ମନ୍ତ୍ରଣାଳୟର ୧୩୦ କୋଟି ଟଙ୍କାର ସହାୟତାରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପାର୍କ ନିଜ ପରିସରକୁ ବର୍ତ୍ତମାନର ୨୦,୦୦୦ ବର୍ଗଫୁଟ ଅଞ୍ଚଳରୁ ପ୍ରାୟ ୮୦,୦୦୦ ବର୍ଗଫୁଟକୁ ବିସ୍ତାର କରିବାକୁ ଯାଉଛି।

ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ  କର୍ମାଲକର କହିଛନ୍ତି ଯେ ଓଡିଶାରେ ଏକ ସମୃଦ୍ଧ ଉଦ୍ୟୋଗୀ ପରିବେଶ ସୃଷ୍ଟି ପାଇଁ  ମାନନୀୟ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ସାହରେ ଏହି ପଦକ୍ଷେପ ପାଇଁ ପ୍ରେରଣା ମିଳିଛି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଓ ଦୃଷ୍ଟିକୋଣ ଉପରେ ଆଧାରିତ।

ଆଇଆଇଟି ଭୁବନେଶ୍ୱର ଦ୍ୱିତୀୟ ପିଢ଼ିର ଆଇଆଇଟି ମଧ୍ୟରୁ ଅନ୍ୟତମ, ଏବଂ ଏହାର ଖଣିଜ ଏବଂ ସାମଗ୍ରୀ, କୃତ୍ରିମ ବୁଦ୍ଧିମତା, ଜଳବାୟୁ ବିଜ୍ଞାନ, ସ୍ମାର୍ଟ ଭିତ୍ତିଭୂମି, ନବୀକରଣ ଯୋଗ୍ୟ ଶକ୍ତି, ସେମିକଣ୍ଡକ୍ଟର ଉପକରଣ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେରେ ପାରଦର୍ଶୀତା ରହିଛି ।

ଆଇଆଇଟି ଭୂମିକାରେ ପରିବର୍ତ୍ତନ ଉପରେ ଆଲୋକପାତ କରି, ପ୍ରଫେସର କର୍ମାଲକର କହିଛନ୍ତି ଯେ, ପ୍ରାରମ୍ଭିକ ସମୟରେ ଆଇଆଇଟିଗୁଡ଼ିକୁ ଗବେଷଣା ଦସ୍ତାବିଜ ଆକାରରେ ନୂତନ ଜ୍ଞାନ ସୃଷ୍ଟି କରିବା ସହିତ ଶିଳ୍ପ, ପ୍ରତିରକ୍ଷା, ଅନୁସନ୍ଧାନ ପ୍ରୟୋଗଶାଳା ଏବଂ ଶିକ୍ଷାନୁଷ୍ଠାନ ପାଇଁ ଉଚ୍ଚମାନର ମାନବ ସମ୍ବଳ ସୃଷ୍ଟି ପାଇଁ ଶିକ୍ଷାନୁଷ୍ଠାନ ଭାବରେ କଳ୍ପନା କରାଯାଇଥିଲା।

ଏହି ଅନୁଷ୍ଠାନଗୁଡିକ ପରେ ପ୍ରାୟୋଜିତ ଏବଂ ପରାମର୍ଶଦାତା ପ୍ରକଳ୍ପ ମାଧ୍ୟମରେ ସାମାଜିକ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ପାରଦର୍ଶିତା ପ୍ରୟୋଗ କରିବାକୁ ଦାୟିତ୍ୱ ଗ୍ରହଣ କରିଥିଲେ। ସାମ୍ପ୍ରତିକ ବର୍ଷଗୁଡିକରେ, ଆଇଆଇଟି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଇ ଅନୁସନ୍ଧାନ ଏବଂ ଉଦ୍ୟମିତା ପାର୍କ ପ୍ରତିଷ୍ଠା ମାଧ୍ୟମରେ ଷ୍ଟାର୍ଟ ଅପ୍ ଇନକ୍ୟୁବେସନକୁ ସମର୍ଥନ କରିବା ସହିତ ପୁଞ୍ଜି ସୃଷ୍ଟିରେ ଯୋଗଦାନ ଆରମ୍ଭ କରିଛନ୍ତି । ଏହା ମଧ୍ୟ ଜାତୀୟ ଶିକ୍ଷା ନୀତିର ଏକ ନିର୍ଦ୍ଦେଶାବଳୀ ମଧ୍ୟରୁ ଅନ୍ୟତମ ।

ଏହି ଆଦେଶ ଅନୁଯାୟୀ, ୨୦୨୩ ମସିହାରୁ ଆଇଆଇଟି ଭୁବନେଶ୍ୱରରେ ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି, ଯାହାକି ବିଦ୍ୟାଳୟ ଶିକ୍ଷା ପାଇଁ ଅତୁଳନୀୟ ଶିକ୍ଷକ ପ୍ରସ୍ତୁତ କରିବାକୁ ଯୋଜନା କରିଛି।

ସୂଚନାଯୋଗ୍ୟ, ସ୍ୱାଧୀନତା ପରେ, ଭାରତର ପ୍ରଥମ ୨୫ ବର୍ଷ କୃଷି, ଦ୍ୱିତୀୟ ୨୫ ବର୍ଷ ଭିତ୍ତିଭୂମି ଏବଂ ତୃତୀୟ ୨୫ ବର୍ଷ ସେବା କ୍ଷେତ୍ର ଏବଂ ସୂଚନା ଉପରେ ଧ୍ୟାନ ଦିଆଯାଇଥିଲା। ଆଗାମୀ ୨୫ ବର୍ଷ ଷ୍ଟାର୍ଟ-ଅପ୍ ଦ୍ୱାରା ପରିଚାଳିତ ହେବ। ବିଶ୍ୱ ଉଦ୍ଭାବନ ମାନ୍ୟତାରେ ଭାରତ ୨୦୧୪ରେ ୭୬ତମ ସ୍ଥାନରେ ଥିବା ବେଳେ ୨୦୨୩ରେ ୪୦ତମ ସ୍ଥାନରେ ପହଞ୍ଚିଛି।  ୧୦୦-କ୍ୟୁବ ଷ୍ଟାର୍ଟ ଅପ୍ ଅଭିଯାନ ଲିଙ୍ଗ, କ୍ଷେତ୍ର, ଏବଂ ଭୌଗୋଳିକ ପ୍ରଭେଦକୁ ଅନ୍ତର୍ଭୂକ୍ତ କରିବା ସହିତ ବଜାର ରଣନୀତିକୁ ଆଖିରେ ରଖି ଷ୍ଟାର୍ଟ ଅପ୍ଗୁଡ଼ିକୁ ପ୍ରୋତ୍ସାହନ ଦେବା ଜରିଆରେ ଏହି ମାନ୍ୟତାକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଫେବୃଆରୀ ୧୧ରେ ଆୟୋଜିତ ହେବାକୁ ଥିବା ଅଭିଯାନର ଉଦଘାଟନୀ  କାର୍ଯ୍ୟକ୍ରମରେ ଦିନ ୧୧ଟା ରୁ ଗୋଟାଏ ମଧ୍ୟରେ ବିଭିନ୍ନ ଆଇଆଇଟିର ରିସର୍ଚ୍ଚ ପାର୍କର ମୁଖ୍ୟ, ଶିଳ୍ପପତି ଏବଂ ଉଦ୍ୟୋଗୀ ପୁଞ୍ଜିପତିମାନଙ୍କ ଦ୍ୱାରା ଅଧ୍ୟାପକ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ସମାନ୍ତରାଳ ବୈଷୟିକ କର୍ମଶାଳା ଅନୁଷ୍ଠିତ ହେବ।

ଏହା ପରେ ଦିନ ୨ ଟାରୁ ୪ଟା ମଧ୍ୟରେ ୧୦୦-କ୍ୟୁବ ଲକ୍ଷ୍ୟ ହାସଲ ପାଇଁ ରଣନୀତିକ ସହଯୋଗ ଗଠନ ଲାଗି  ପ୍ରାୟ ୨୦ଟି ଶିଳ୍ପ ସଂସ୍ଥା, ୩୦ଟି ଷ୍ଟାର୍ଟଅପ୍ ଏବଂ ୩୦ଟି ଭେଞ୍ଚର ପୁଞ୍ଜିପତିଙ୍କ ସହିତ ଏମଓୟୁ ସ୍ୱାକ୍ଷର କରାଯିବ। ସେହିଦିନ ଅପରାହ୍ଣରେ ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବରେ ୧୫୦୦ ଆସନ ବିଶିଷ୍ଟ ଅଡିଟୋରିୟମର ଲୋକାର୍ପଣ କରିବେ ଏବଂ ୪୫୦ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ପାଇଁ ଇ-ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବାସ୍ତବରେ, ଆଇଆଇଟି ଭୁବନେଶ୍ୱରର ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ ଅଭିଯାନ ଓଡିଶାକୁ ଉଦ୍ୟୋଗର ଏକ ପ୍ରମୁଖ ଭାବରେ ପ୍ରତିଷ୍ଠିତ କରିବା ତଥା ଦେଶରେ ଷ୍ଟାର୍ଟ ଅପ୍ ସଂସ୍କୃତିକୁ ପ୍ରୋତ୍ସାହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।