Home General ଅଶୋକ ଲେଲାଣ୍ଡ ସହିତ ଚୁକ୍ତି ସ୍ଵାକ୍ଷର

ଅଶୋକ ଲେଲାଣ୍ଡ ସହିତ ଚୁକ୍ତି ସ୍ଵାକ୍ଷର

କଟକ: ତିନୋଟି ନୂତନ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ବିକାଶ, ପରିଚାଳନା ଏବଂ କାର୍ଯ୍ୟ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଅଶୋକ ଲେଲାଣ୍ଡଙ୍କ ସହ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି | ଯୁଗ୍ମ ପରିବହନ କମିଶନର(ଟେକ୍ନିକାଲ) ଏବଂ ପ୍ରିନ୍ସିପାଲ୍ (ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍) ପ୍ରଦିପ କୁମାର ମହାନ୍ତି ଓ ସାଦିକ୍ ହୁସେନ୍ ସୟଦ, (ଡିଭିଜନାଲ ମ୍ୟାନେଜର, ଡ୍ରାଇଭିଂ ଟ୍ରେନିଂ, ଅଶୋକ ଲେଲ୍ୟାଣ୍ଡ ଆଣ୍ଡ ପ୍ରିନ୍ସିପାଲ, ଏଚଏମଭି ଡ୍ରାଇଭର ଟ୍ରେନିଂ ଇନଷ୍ଟିଚ୍ୟୁଟ, ଛତିଆ) ମଧ୍ୟରେ ଏହି ଚୁକ୍ତି ବିନିମୟ ହୋଇଥିଲା | । ନୂତନ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଗୁଡିକ ବ୍ରହ୍ମପୁର, ସୁନ୍ଦରଗଡ ଜିଲ୍ଲାର ବଣାଇ ଏବଂ କେନ୍ଦୁଝରରେ ଅବସ୍ଥିତ |

2013 ମସିହାରୁ ଯାଜପୁରର ଛତିଆରେ ଏକ ହେଭି ମୋଟର ଯାନ (HMV) ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ କାର୍ଯ୍ୟକାରୀ ଅଛି | ପରିବହନ ଶିଳ୍ପର ଚାହିଦା ମେଣ୍ଟାଇବା ପାଇଁ ତଥା ସ୍ଥାନୀୟ ଯୁବକମାନଙ୍କୁ ଉଚ୍ଚମାନର ଡ୍ରାଇଭିଂ ତାଲିମ ଦେବା ପାଇଁ ଓଡିଶା ସରକାର ଏବଂ ଅଶୋକ ଲେଲ୍ୟାଣ୍ଡ ମିଳିତ ଭାବେ ଛତିଆ ଠାରେ HMV ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିଥିଲେ | ଏହି ଅନୁଷ୍ଠାନ ଏପର୍ଯ୍ୟନ୍ତ 60581 ଡ୍ରାଇଭରଙ୍କୁ ତାଲିମ ଦେଇଛି |

HMV ଡ୍ରାଇଭିଂ ପ୍ରତିଷ୍ଠାନର ସଫଳତା ପରେ, ଓଡ଼ିଶା ସରକାର ବ୍ରହ୍ମପୁର, କେନ୍ଦୁଝର ଏବଂ ବଣାଇରେ IDTR ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ, ବିଶେଷକରି ରାଜ୍ୟର ଖଣି ସ୍ଥାନମାନଙ୍କରେ ଯେଉଁଠାରେ କୁଶଳୀ ଡ୍ରାଇଭରମାନଙ୍କର ଆବଶ୍ୟକତା ଅଧିକ ଥାଏ | ଏହି ଅବସରରେ ଉଦବୋଧନ ଦେଇ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା କହିଛନ୍ତି, “ଆମ ଦେଶରେ ଓଡ଼ିଶା ସରକାର କୁଶଳୀ HMV ଡ୍ରାଇଭର ସୃଷ୍ଟି କରିବାକୁ ଉତ୍କୃଷ୍ଟ ସୁବିଧା ଯୋଗାଉଛି | ଦେଶର କୌଣସି ରାଜ୍ୟରେ ଏଭଳି ସଂଖ୍ୟାରେ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ନାହିଁ | ବିଶେଷକରି ଓଡ଼ିଶାର ଖଣି ଅଞ୍ଚଳରେ ଡ୍ରାଇଭରମାନଙ୍କର HMV ଡ୍ରାଇଭିଂ ଦକ୍ଷତା ବୃଦ୍ଧି କରିବାରେ ଏହା ବହୁତ ହିଁ ସୁବିଧା ଓ ସାହାଯ୍ୟ କରିବ | ଏହା ଆମ ଯୁବକମାନଙ୍କୁ ରାଜ୍ୟ ଭିତରେ ଓ ବାହାରେ ରୋଜଗାର ଦେବାରେ ସାହାଯ୍ୟ କରିବ | ”

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଗୁଡିକ କେବଳ ବିଭିନ୍ନ କ୍ଷେତ୍ରରେ ଡ୍ରାଇଭରଙ୍କ ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ସଡ଼କ ଦୁର୍ଘଟଣା ହେତୁ ମୃତ୍ୟୁ, ସମ୍ପତ୍ତି ନଷ୍ଟ ଏବଂ ଆଘାତକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ | ଏହା ବ୍ୟତୀତ ଜଣେ ତାଲିମପ୍ରାପ୍ତ ଏବଂ କୁଶଳୀ ଡ୍ରାଇଭର, ସାମଗ୍ରୀର ଠିକ୍ ସମୟରେ ଏବଂ ନିରାପଦ ବିତରଣକୁ ନିଶ୍ଚିତ କରିବେ | ”

ଏହି ଅନୁଷ୍ଠାନଗୁଡିକ ମାଧ୍ୟମରେ, HMV ଡ୍ରାଇଭରମାନେ ବିଭିନ୍ନ ପ୍ରକାରର ଭୂମି ଏବଂ ସଡ଼କ ଅବସ୍ଥା ଉପରେ ବ୍ୟବହାରିକ ତାଲିମ ପାଇବେ | କୁଶଳୀ ଡ୍ରାଇଭିଂ ତାଲିମର କାର୍ଯ୍ୟକାଳ CMVR (ସେଣ୍ଟ୍ରାଲ୍ ମୋଟର ଯାନ ନିୟମ), 1989 ଦ୍ୱାରା ଧାର୍ଯ୍ୟ କରାଯାଇଛି, ଯାହାକି 30 ଦିନ ଅଟେ | ପରୀକ୍ଷାରେ ପାସ ହେବା ପରେ କୁଶଳୀ ଡ୍ରାଇଭରମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଏ |

ଶ୍ରୀ ପ୍ରଦିପ କୁମାର ମହାନ୍ତି, ପ୍ରିନ୍ସିପାଲ୍ (ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍) ସୂଚନା ଦେଇଛନ୍ତି, “ବ୍ରହ୍ମପୁର, କେନ୍ଦୁଝର ଏବଂ ବଣାଇରେ ଟ୍ରେନିଂର ମାସିକ କ୍ଷମତା ଯଥାକ୍ରମେ 140 ,134 ଏବଂ 150 ଡ୍ରାଇଭର | ତିନୋଟି IDTR ର ନିର୍ମାଣ କାର୍ଯ୍ୟ ସରକାରଙ୍କ ଦ୍ୱାରା ସମାପ୍ତ ହୋଇଛି ଏବଂ ଏହାର କାର୍ଯ୍ୟ ଓ ପରିଚାଳନା ଅଶୋକ ଲେଲ୍ୟାଣ୍ଡ ସହିତ ପିପିପି ମୋଡରେ କରାଯିବ। ”

ତିନୋଟି ନୂତନ କେନ୍ଦ୍ରର ଭିତ୍ତିଭୂମି ପ୍ରସ୍ତୁତ ଏବଂ ଖୁବ ଶୀଘ୍ର ତାଲିମ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି | ସେ ଆହୁରି ମଧ୍ୟ କହିଛନ୍ତି, “ଗୋଟିଏ ମାସର ପାଠ୍ୟକ୍ରମରେ ଆବେଦନକାରୀଙ୍କ ଡ୍ରାଇଭିଂ ଦକ୍ଷତା ବୃଦ୍ଧି ପାଇବ ଏବଂ ସେମାନଙ୍କୁ ଭଲ ସଡକ ଆଚରଣ ଏବଂ କୌଶଳ ଉପରେ ତାଲିମ ଦିଆଯିବ |