Home General ଅର୍ପଣ ଚାଉଳକୁ ନେଇ ଛକାପଞ୍ଝା

ଅର୍ପଣ ଚାଉଳକୁ ନେଇ ଛକାପଞ୍ଝା

ଭୁବନେଶ୍ୱର : ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ହୋଇଥିବା ବାର ମିଶା ଅର୍ପଣ ଚାଉଳ ଏବେ ନଷ୍ଟହେବାକୁ ଯାଉଥିବାବେଳେ ଏହାକୁ କିଭଳି ଉପଯୋଗ କରାଯିବ ସେଥିଘେନି ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାର ଛାକପଞ୍ଝାରେ ଥିବା ଭଳି ଜଣାପଡୁଛି । ଏ ପରିପ୍ରେକ୍ଷୀରେ ସଂଗୃହୀତ ଚାଉଳକୁ ବିକି ବିକ୍ରୟ ଲବ୍ଧ ଅର୍ଥକୁ ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ଜମା ରଖିବା ଲାଗି ରାଜ୍ୟର କୋଣ ଅନୁକୋଣରୁ ଜଗନ୍ନାଥପ୍ରେମୀମାନେ ମତପ୍ରକାଶ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବହୁ ଚର୍ଚ୍ଚିତ ପରିକ୍ରମା ପ୍ରକଳ୍ପର ଉଦଘାଟନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସବୁ ବ୍ଲକ ଓ ପୌରାଞ୍ଚଳରେ ଡାଲା ଅଟୋରେ ତିଆରି ଅର୍ପଣ ରଥ ବୁଲାଇଥିଲେ । ଏଥିରେ ସୋଲରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ପ୍ରତିମାକୁ ରଖାଯାଇଥିଲା । ଗାଁ ଗହଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପରିକ୍ରମା ପ୍ରକଳ୍ପ ଯଜ୍ଞପାଇଁ ଶ୍ରଦ୍ଧା ଓ ଭକ୍ତିର ସହିତ ଚାଉଳ, ନଡିଆ, ଗୁଆ, ବସ୍ତ୍ର ଓ ଅର୍ଥ ଆଦି ଅର୍ପଣ କରିଥିଲେ । ଏଥିପାଇଁ କେହି ରସିଦ କାଟିନଥିଲେ କିମ୍ବା କେଉଁ ଦାତା କେତେ ପରିମାଣର ସାମଗ୍ରୀ ଓ ଅର୍ଥ ଦେଲେ ତାହାର ବି ହିସାବ ରଖାଯାଇନଥିଲା ।

ସଂଗୃହୀତ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଜିଲ୍ଲାଗୁଡିକର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ପଡି ରହିବାପରେ ପୁରୀ ଆସିଥିଲା । ମିଳିଥିବା ଅର୍ଥରାଶି ପରିଚାଳନା କମିଟି ବ୍ୟାଙ୍କ୍‍ ଖାତାରେ ଜମା ରଖିଥିବାବେଳେ ପୁରୀର ପହଞ୍ଚିଥିବା ଚାଉଳ ସବୁ ବିଭିନ୍ନ ସ୍ଥାନରେ ମାସ ମାସ ଧରି ବିକ୍ଷିପ୍ତ ଭାବେ ରଖାଗଲା । ଏହି ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରିବାଲାଗି ପ୍ରସ୍ତାବ ଉଠିବାବେଳେ ବହୁ ସେବାୟତ ଓ ଶ୍ରଦ୍ଧାଳୁ ଏହାର ବିରୋଧ କରିଥିଲେ । ବିଶେଷକରି ସଂଗୃହୀତ ଚାଉଳର ଶୁଦ୍ଧତା, ଗୁଣବତ୍ତା ଉପରେ ସେତେବେଳେ ପ୍ରଶ୍ନ ଉଠିଥିଲା । ଏମିତିକି ଏଥିରେ ଉଷୁନା ଚାଉଳ ମିଶିଥିବା ଏବଂ ଚାଉଳଗୁଡିକ ରଙ୍ଗ ବେରଙ୍ଗୀ ହୋଇଥିବାରୁ ତାହା ମହାପ୍ରସାଦ ପ୍ରସ୍ତୁତିପାଇଁ ଉପଯୁକ୍ତ ନୁହେଁବୋଲି କୁହାଯାଇଥିଲା । ଏ ପରିପ୍ରେକ୍ଷୀରେ ଏହି ବାର ମିଶା ଚାଉଳରେ ଖେଚୁଡି ତିଆରିକରି କିଛିଦିନ ପାଇଁ ମାଗଣାରେ ବଣ୍ଟନ କରାଯାଇଥିଲା ।

ଇତି ମଧ୍ୟରେ ଛଅମାସ ଧରି ବିଭିନ୍ନ ଚାଉଳ ପଡି ରହି ପୋକ ଲାଗିବା ସହ ନଷ୍ଟହୋଇ ଆସୁଥିବାରୁ ତାହା କିଭଳି ବ୍ୟବହୃତ ହେବ ସେ ସଂକ୍ରାନ୍ତରେ ସୁଆର ନିଯୋଗ ଓ ଅନ୍ୟ ସେବାୟତମାନଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବେ ଓ ତଦନୁଯାୟୀ କାର୍ଯ୍ୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

ନିକଟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ କିନ୍ତୁ ଏ ପ୍ରସଙ୍ଗରେ ସ୍ପଷ୍ଟ ନିଷ୍ପତ୍ତି ନିଆନଯାଇ ପୁଣି ସରକାରଙ୍କ ଉପରକୁ ଦାୟିତ୍ୱ ଠେଲି ଦିଆଯାଇଛି । ଅର୍ପଣ ଚାଉଳ ସହ ଲୋକଙ୍କ ଭାବାବେଗ ଜଡିତ ରହିଛି । ତେବେ ଅର୍ପଣ ଚାଉଳ ଲୋକେ ମହାପ୍ରସାଦ ପ୍ରସ୍ତୁତି ପାଇଁ ନିର୍ଦ୍ଦିଷ୍ଟ ଭାବେ ଦେଇନଥିଲେ ମଧ୍ୟ ପରିକ୍ରମା ପ୍ରକଳ୍ପ ଲାଗି ପଠାଇଥିଲେ । ଏବେ ପ୍ରାୟ ୧୦ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ବିଭିନ୍ନ ସ୍ଥାନରେ ପଡିରହି ନଷ୍ଟ ହେଉଛି ।

ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଥିଘେନି ପ୍ରତିକ୍ରିୟା ହସ୍ତଗତ ହେବାରେ ଲାଗିଛି । ମହାଲକ୍ଷ୍ମୀ ଶ୍ରୀମନ୍ଦିରର ପ୍ରମୁଖ ଦେବୀ । ଦାନା ନଷ୍ଟ କରିବା ଲକ୍ଷ୍ମୀଛଡାଙ୍କ କାମ ବୋଲି ଲକ୍ଷ୍ମୀ ପୁରାଣରୁ ସୂଚନା ମିଲେ । ଏ ପରିପ୍ରେକ୍ଷୀରେ ବହୁ ବିଦ୍ୱାନ ଓ ଜଗନ୍ନାଥପ୍ରେମୀ ମତବ୍ୟକ୍ତ କରୁଛନ୍ତି ଯେ ଅର୍ପଣ ଚାଉଳ ମହାପ୍ରସାଦ ପ୍ରସ୍ତୁତି ପାଇଁ ଉପଯୋଗ ହୋଇପାରୁନଥିବାବେଳେ ଆଉ ଅଧିକ ଦିନ ଧରି ଏହାକୁ ପକାଇ ରଖି ନଷ୍ଟ କରିଦେବା ଅପେକ୍ଷା ବରଂ ଏହାକୁ ତୁରନ୍ତ ଖୋଲା ବଜାରରେ ବିକ୍ରିକରି ଅର୍ପଣ ଚାଉଳରୁ ଲବ୍ଧ ଅର୍ଥ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ଜମା ରଖାଯିବା ଆବଶ୍ୟକ । ଏଥି ସହିତ ଅଧିକ ବୟାନବାଜି ନକରି ତୁରନ୍ତ ରତ୍ନଭଣ୍ଡାର ମରାମତି ସହିତ ସେଠାକାର ସମସ୍ତ ସମ୍ପତ୍ତିର ଠିକଣା ଗଣତି ମଣତି କରି ସାର୍ବଜନିନ କରାଯିବା ଆବଶ୍ୟକ । (ତଥ୍ୟ)