Home Administration ଅର୍ଥ ବିଭାଗ ଅଧିକାରୀଙ୍କୁ ସାଧୁବାଦ

ଅର୍ଥ ବିଭାଗ ଅଧିକାରୀଙ୍କୁ ସାଧୁବାଦ

ଭୁବନେଶ୍ୱର : ଅର୍ଥ ବିଭାଗ ସାଂସ୍କୃତିକ  ସଂଘର ୨ ଦିନିଆ ୫୬ତମ ବାର୍ଷିକ ଉତ୍ସବକୁ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର  ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ପରିସରରେ  ଉଦ୍‌ଘାଟନ କରିଛନ୍ତି ।  ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ  ଏବଂ ସ୍ୱତନ୍ତ୍ର ଶାସନ ସଚିବ  ଶ୍ରୀ ନିଧି କୁମାର ରାଉତରାୟଙ୍କ ଉପସ୍ଥିତିରେ  ମୁଖ୍ୟ ଶାସନ ସଚିବ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ ।

ନିଜର ଉଦ୍‌ଘାଟନୀ ଅବିଭାଷଣରେ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର କହିଥିଲେ ଯେ ଆର୍ଥିକ ନିଅଣ୍ଟିଆ ସ୍ଥିତିରୁ  ଆମ ରାଜ୍ୟ ବର୍ତ୍ତମାନ ଏକ ଦୃତ  ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି ।  ଏହି ପ୍ରକ୍ରିୟା  ମଧ୍ୟରେ  ପ୍ରଗତିଶୀଳ  ଆର୍ଥିକ ସଂସ୍କାର ଏବଂ ଉତ୍ତମ ଆର୍ଥିକ  ପରିଚାଳନା  ଅବଦାନ ଅନେକ । ଏ ସବୁର   ସଠିକ୍‌ କାର୍ଯ୍ୟାନ୍ୱୟନ  ନିମନ୍ତେ  ଶ୍ରୀ ମହାପାତ୍ର ଅର୍ଥ  ବିଭାଗରେ କାର୍ଯ୍ୟରତ ବିଭିନ୍ନ  ବର୍ଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ ।  

ରାଜସ୍ୱ ସଂଗ୍ରହ, ଟ୍ରେଜରୀ ବ୍ୟବସ୍ଥା ସଂସ୍କାର, ଏଫ୍‌.ଆର୍‌.ବି.ଏମ୍‌. ଆଇନ୍‌ର  ଅନୁପାଳନ, ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା ଆଦି କ୍ଷେତ୍ରରେ ଅର୍ଥ ବିଭାଗ ଅଧିକାରୀମାନଙ୍କ  କାର୍ଯ୍ୟ ଦକ୍ଷତା ଯୋଗୁ  ଓଡ଼ିଶା ଜାତୀୟ ସ୍ତରରେ  ସ୍ୱୀକୃତି ଲାଭ କରିଛି ବୋଲି  ଶ୍ରୀ ମହାପାତ୍ର କହିଥିଲେ ।  ରାଜ୍ୟର  ବିକାଶକୁ ନୂତନ ଉଚ୍ଚତର  ସ୍ତରକୁ ନେବା  ନିମନ୍ତେ  ନିଷ୍ଠାପର ପ୍ରୟାସ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ  ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।     

ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କହିଥିଲେ ଯେ ବର୍ତ୍ତମାନ ଆର୍ଥିକ  ପରିଚାଳନା କ୍ଷେତ୍ରରେ  ଓଡ଼ିଶା ଏକ  ଆଗୁଆ ରାଜ୍ୟର ମାନ୍ୟତା ହାସଲ  କରିଛି ।  ଆଗାମୀ ଦିନରେ ନିଜ ନିଜର  କାର୍ଯ୍ୟକୁ  ଅଧିକ ତ୍ୱରିତ  ଏବଂ  ଲକ୍ଷ୍ୟଭେଦୀ କରିବା ପାଇଁ  ଅଧିକ ବୈଷୟିକ କୌଶଳ  ପ୍ରୟୋଗ କରିବା  ନିମନ୍ତେ ଶ୍ରୀ ଦେବ  ସମସ୍ତଙ୍କୁ  ପରାମର୍ଶ ଦେଇଥିଲେ ।  ସ୍ୱତନ୍ତ୍ର  ଶାସନ  ସଚିବ ଶ୍ରୀ ରାଉତରାୟ କର୍ମ ନିପୁଣତା ସହ ସୃଜନାତ୍ମକ  ଏବଂ ସାମାଜିକ  କାର୍ଯ୍ୟ ପାଇଁ ସଂଘର  ସଦସ୍ୟମାନଙ୍କୁ  ପ୍ରଶଂସା କରିଥିଲେ ।  ସାଂସ୍କୃତିକ ସଂଘର ସଭାପତି ଶ୍ରୀ ତରୁଣ ଚନ୍ଦ୍ର ପାଲ୍‌ଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ଏହି  ଉଦ୍‌ଘାଟନୀ  ପର୍ଯ୍ୟାୟରେ  ସଂପାଦକ ଶ୍ରୀ  ଭକ୍ତରାମ ପଟ୍ଟନାୟକ  ସଂଘର କାର୍ଯ୍ୟକଳାପ ସମ୍ୱନ୍ଧିତ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ  ପ୍ରବନ୍ଧ, ବକୃତା ଓ ଗଳ୍ପ ରଚନା ଆଦି ସୃଜନାତ୍ମକ  ପ୍ରତିଯୋଗିତାରେ ୧ମ, ୨ୟ ଏବଂ ୩ୟ  ସ୍ଥାନ  ଅଧିକାର କରିଥିବା  ଅଧିକାରୀ  ଏବଂ କର୍ମଚାରୀମାନଙ୍କୁ  ପ୍ରମାଣପତ୍ର ଓ ପୁରଷ୍କାର ଦେଇ  ଉତ୍ସାହିତ  କରିଥିଲେ ।  ପାରା ବ୍ୟାଡ୍‌ମିଟନ୍‌ ଖେଳର  ଜାତୀୟ ଏବଂ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍‌ରେ ଗୋଲଡ୍‌ ମେଡାଲ୍‌ ହାସଲ କରି ରାଜ୍ୟ ତଥା  ଦେଶ ପାଇଁ  ଗୌରବ  ଆଣି ଥିବାରୁ  ଅର୍ଥ ବିଭାଗ  ଅଧିକାରୀ  ଶ୍ରୀ ଦୀପ୍‌ ରଂଜନ ବିଶୋଇଙ୍କୁ ମୁଖ୍ୟ ଶାସନ ସଚିବ  ସିଲ୍‌ ଓ ମାନପତ୍ର ଦେଇ ସମ୍ବର୍ନ୍ଧିତ  କରିଥିଲେ ।  ୨ ଦିନ ଧରି ଅନୁଷ୍ଠିତ  ହେବାକୁ ଥିବା ନାଟକରେ ଅଭିନୟ କରିଥିବା  କଳାକାରମାନଙ୍କୁ  ମଧ୍ୟ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ଓ ପ୍ରମୁଖ ଶାସନ ସଚିବ  ଶ୍ରୀ  ଦେବ  ସମ୍ମାନିତ କରିବାସହ ସଘଂର ମୁଖପତ୍ର ‘କୌଟିଲ୍ୟ’ କୁ ଉ​ନ୍ମୋଚନ କରିଥିଲେ​‌ ।

ସୂଚନାଯୋଗ୍ୟ, ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ବର୍ଗର ଅଧିକାରୀମାନେ  ମିଶି ସଂସ୍କାରଧର୍ମୀ ପାରିବାରିକ ନାଟକ ‘‘ଧରା ଆଖିରେ ଲୁହ’’ ନାଟକ ପରିବେଷଣ କରିଥିଲେ ।   ନାଟ୍ୟକାର ଡ଼ଃ କୈଳାସ ମଲ୍ଲିକଙ୍କ ଦ୍ୱାରା  ରଚିତ  ଏହି  ନାଟକରେ ନିର୍ଦ୍ଦେଶକ  ଶ୍ରୀ ହରେନ ସାହୁ ନିର୍ଦ୍ଦେଶନା  ଏବଂ ସମ୍ବିତ ଓ ଧିରେନ୍‌ ସହ ନିର୍ଦ୍ଦେଶନା  ଦେଇଥିଲେ ।  ବିଭାଗୀୟ ଅଧିକାରୀମାନଙ୍କ କଳା ନୈପୁଣ୍ୟ ଓ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା ।