ଭୁବନେଶ୍ୱର : ବିଭାଗ ନିକଟରେ ବଜେଟ୍ରେ ବରାଦ ହୋଇଥିବା ପର୍ଯ୍ୟାପ୍ତ ଅର୍ଥ ଥିବାରୁ ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ମାସଗୁଡିକରେ ଖର୍ଚ୍ଚ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଅଧିକାରୀମାନଙ୍କୁ କହିଛନ୍ତି । ଏହି ମର୍ମରେ ଶ୍ରୀମତୀ ପଣ୍ଡିତ୍ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ, ରାଜ୍ୟ ଔଷଧ ନିଗମର ନିର୍ଦ୍ଦେଶକ, ଖାଦ୍ୟ ସୁରକ୍ଷା କମିଶନର ଆଦିଙ୍କୁ ପତ୍ର ଲେଖିଛନ୍ତି ।
ଚଳିତ ବଜେଟ୍ରେ ବିଭାଗ ପାଇଁ ୧୫,୭୫୬.୫୩ କୋଟିର ବ୍ୟୟବରାଦ ହୋଇଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ଏଥିରୁ ୭୬୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ବଜେଟ୍ର ୪୮.୩୩ ପ୍ରତିଶତ ବୋଲି ଶ୍ରୀମତୀ ପଣ୍ଡିତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାବାଦ୍ ସେ ଦର୍ଶାଇଛନ୍ତି ଯେ ଅତିରିକ୍ତ ବଜେଟ୍ରେ ମଧ୍ୟ ବିଭାଗ ପାଇଁ ୧୩୨୭.୧୯ କୋଟି ଟଙ୍କା ରହିଛି । ତେଣୁ ଆର୍ଥିକ ବର୍ଷର ଅବଶିଷ୍ଟ ଛଅ ମାସରେ ଖର୍ଚ୍ଚ ପାଇଁ ବିଭାଗ ନିକଟରେ ୯୪୬୭.୭୨ କୋଟି ଟଙ୍କା ଅଛି ।
ବଜେଟ୍ରେ ଅର୍ଥ ବରାଦ ଅନୁଯାୟୀ ତୃତୀୟ ତ୍ରୈମାସିକରେ ୪୭୩୩.୮୭ କୋଟି ଏବ ଚତୁର୍ଥ ତ୍ରୈମାସିକରେ ୪୭୩୩.୮୫ କୋଟି ଖର୍ଚ୍ଚର ଲକ୍ଷ୍ୟ ରହିଛି । ତେଣୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦିକୁ ତ୍ୱରାନ୍ୱିତ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଯାନ୍ତ୍ରିକ ବିଭାଗ ଗୁଡିକ ଦେଉଥିବା ସମସ୍ତ ପ୍ରସ୍ତାବକୁ ଅନୁମୋଦନ ଲାଗି ପଦକ୍ଷେପ ନେବାକୁ କୁହାଯାଇଛି ଯାହା ଦ୍ୱାରା ଅଧିକ ପୁଞ୍ଜି ବ୍ୟୟ ହୋଇପାରିବ । ପ୍ରତି ତ୍ରୈମାସିକରେ ଯେଭଳି ବଜେଟ୍ ଏବଂ ଅତିରିକ୍ତ ବଜେଟ୍ ବ୍ୟୟବରାଦର ୫୦ ପ୍ରତିଶତ ଖର୍ଚ୍ଚ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଛି ।
ରାଜ୍ୟ ଯୋଜନାରେ ହୋଇଥିବା ୧୦,୦୧୯କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ମଧ୍ୟରୁ ସେପ୍ଟେମ୍ବର ଶେଷ ସୁଦ୍ଧା ୪୩୩୨.୧୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୫୬୮୭.୨୪ କୋଟି ଟଙ୍କା ବଳକା ରହିଛି । ତେଣୁ ତୃତୀୟ ତ୍ରୈମାସିକରେ ୨୮୪୩.୬୨ କୋଟି ଟଙ୍କା ଏବଂ ଶେଷ ତ୍ରୈମାସିକରେ ୨୮୪୩.୬୨ କୋଟି ଟଙ୍କା ବ୍ୟୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଅନୁରୂପ ଭାବେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଥିବା ୨୭୯୪.୫୫ କୋଟି ଟଙ୍କା ମଧ୍ୟରୁ ବିଭାଗ ସେପ୍ଟେମ୍ବର ଶେଷ ସୁଦ୍ଧା ୧୩୦୫.୦୬ କୋଟି ଟଙ୍କା ବ୍ୟୟ କରିଥିବାବେଳେ ୧୪୮୯.୪୯ ବଳକା ରହିଛି । ତେଣୁ ତୃତୀୟ ଓ ଚତୁର୍ଥ ତ୍ରୈମାସିକରେ ଏହି ଅର୍ଥରୁ ଯଥାକ୍ରମେ ୭୪୪.୪୫ କୋଟି ଏବଂ ୭୪୪.୭୫ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଏହାବାଦ୍ ରରାଜ୍ୟ ସରକାର ତୃତୀୟ ତ୍ରୈମାସିକରେ ୧୬.୬୮ କୋଟି ଏବଂ ତତୁର୍ଥ ତ୍ରୈମାସିକରେ ୧୬.୬୮ କୋଟି ଟଙ୍କା ଖର୍ଚ୍ଚର ଲକ୍ଷ୍ୟରଖିଛନ୍ତି । ତେବେ ଯୋଜନା ବ୍ୟୟ ବାବଦରେ ସ୍ୱାସ୍ଥ୍ୟ ବିଭାଗ ବର୍ତ୍ତମାନ ସୁଦ୍ଧା ବଜେଟ୍ରେ ଧାର୍ଯ୍ୟ ହୋଇଥିବା ୧୨,୮୯୩.୪୫ କୋଟି ଟଙ୍କା ମଧ୍ୟରୁ ୫୬୮୩.୩୬ କୋଟି ଟଙ୍କା ବ୍ୟୟ କରିଛନ୍ତି । ତୃତୀୟ ଓ ଚତୁର୍ଥ ତ୍ରୈମାସିକରେ ଯଥାକ୍ରମେ ୩୬୦୫.୦୫ କୋଟି ଏବଂ ୩୬୦୫.୦୪ କୋଟି ଟଙ୍କା ଖର୍ଚ୍ଚର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଅନୁରୂପ ଭାବେ ପ୍ରଶାସନିକ ବ୍ୟୟ ପାଇଁ ବଜେଟ୍ରେ ୪୧୯୦.୨୭ କୋଟି ଟଙ୍କାର ବରାଦ ଥିବାବେଳେ ସେଥିରୁ ୧୯୩୨.୬୪ କୋଟି ଟଙ୍କା ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟୟ ହୋଇଛି । ଆଗାମୀ ତୃତୀୟ ଓ ଚତୁର୍ଥ ତ୍ରୈମାସିକରେ ଏହି ବ୍ୟୟବରାଦରୁ ଯଥାକ୍ରମେ ୧୧୨୮.୮୨ କୋଟି ଏବଂ ୧୧୨୮.୮୧ କୋଟି ଟଙ୍କା ବ୍ୟୟର ଲକ୍ଷ୍ୟ ରହିଛି । ମୋଟାମୋଟି ଭାବେ ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୭,୦୮୩.୭୨ କୋଟିର ବ୍ୟୟବରାଦ ଥିବାବେଳେ ଏଥିରୁ ସେପ୍ଟେମ୍ବର ଶେଷସୁଦ୍ଧା ୭୬୧୬ କୋଟି ଟଙ୍କା ବ୍ୟୟ ହୋଇପାରିଛି । (ତଥ୍ୟ)