ଭୁବନେଶ୍ୱର : ବଜେଟ୍ରେ ହେଉଥିବା ଅର୍ଥକୁ ଖର୍ଚ୍ଚ କରିବାରେ କ୍ରୀଡା ଓ ଯୁବସେବା ବିଭାଗ ସବୁଠାରୁ ପଛରେ ପଡିଛି । ଏଥି ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ମିଶନ ଶକ୍ତି ବିଭାଗ ମଧ୍ୟ ପଛରେ ପଡିଛନ୍ତି । ଗତ ଆର୍ଥିକ ବର୍ଷରେ ବିଭାଗ ଗୁଡିକ ବଜେଟ୍ ଅର୍ଥ ଖର୍ଚ୍ଚ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରୁ ଜଣାଯାଇଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ କ୍ରୀଡା ଓ ଯୁବସେବା ବିଭାଗ ବଜେଟ୍ ଅର୍ଥରୁ ମାତ୍ର ୨୬.୧୫ ପ୍ରତିଶତ ଅର୍ଥ ବ୍ୟୟରେ ସଫଳ ହୋଇଛି । ବିଭାଗ ପାଇଁ ବଜେଟ୍ରେ ୧୨୫୩ କୋଟି ୨୩ଲକ୍ଷ ଟଙ୍କା ଥିବାବଳେ ଖର୍ଚ୍ଚ ହୋଇଛି ମାତ୍ର ୩୨୭ କୋଟି ୭୫ଲକ୍ଷ ଟଙ୍କା । ସେହିଭଳି ପଞ୍ଚାୟତିରାଜ ବିଭାଗ ୫୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବାବେଳେ ଇସ୍ପାତ ଓ ଖଣି ବିଭାଗ ୨୯ ପ୍ରତିଶତ ଅର୍ଥ ବ୍ୟୟ କରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ବରାଦ ହୋଇଥିବା ଅର୍ଥରୁ ପ୍ରାୟ ୪୦ ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ ମିଶନ ଶକ୍ତି ବିଭାଗର ଖର୍ଚ୍ଚ ପାଖପାଖି ୫୮ ପ୍ରତିଶତ ରହିଛି ।
ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା କ୍ରୀଡା ଓ ଯୁବସେବା ବିଭାଗ ବରାଦ ହୋଇଥିବା ୮୩୧.୨୩ କୋଟି ଟଙ୍କା ମଧ୍ୟରୁ ମାତ୍ର ୧୮୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପଞ୍ଚାୟତିରାଜ ବିଭାଗ ୨୯,୫୫୪.୩୫ କୋଟି ଟଙ୍କା ମଧ୍ୟରୁ ୧୧,୬୧୬.୧୨ କୋଟି ଟଙ୍କା ଖର୍ଚ୍ଚ କରିଛି । ମିଶନ ଶକ୍ତି ବିଭା ୩୫୮୧ କୋଟି ଟଙ୍କା ମଧ୍ୟରୁ ୧୬୭୪ କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ବଜେଟ୍ରେ ୭୯୫ କୋଟି ଟଙ୍କା ଥିବାବେଳେ ବିଭାଗ ଜାନୁଆରୀ ଶେଷ ସୁଦ୍ଧା ଖର୍ଚ୍ଚକରିଛି ୨୬୫ କୋଟି ଟଙ୍କା ।

