Home General ଅର୍ଥ ଅଛି କର୍ମଚାରୀ ନାହାନ୍ତି

ଅର୍ଥ ଅଛି କର୍ମଚାରୀ ନାହାନ୍ତି

ଭୁବନେଶ୍ୱର : ଯେଉଁ ଯୋଜନା ପାଇଁ ସରକାର ଟଙ୍କା ଯୋଗାଇ ଦେଉଛନ୍ତି ସେହି ଯୋଜନାକୁ କାର୍ଯ୍ୟକାରୀ ଲାଗି କର୍ମଚାରୀ ନାହାନ୍ତି । ଠିକାରେ ଥିବା ଏହି କର୍ମଚାରୀଙ୍କୁ ଛଟେଇ କରାଯାଇଥିବାବେଳେ ସେମାନଙ୍କ ପୁନଃ ନିଯୁକ୍ତି ଲାଗି ବି କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି ।

ରାଜ୍ୟର ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ସହରାଞ୍ଚଳରେ ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏଥିରେ ବର୍ଷାଜଳ ସଂରକ୍ଷଣ ଠାରୁ ଆରମ୍ଭକରି ଉଦ୍ୟାନ, ଖେଳପଡିଆ ଆଦିର ବିକାଶ କରାଯାଉଥିଲା । ଏଥି ସହିତ ବିଭିନ୍ନ ପାର୍କର ବିକାଶ କରାଯାଇ ସେଠାରେ ଜିମ୍‍ ବ୍ୟବସ୍ଥା ହୋଇଥିଲା ।

ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ୧୧୯ ଜଣ ପ୍ରୋଗ୍ରାମ କୋଡର୍ଟିନେଟର, ୧୨୫ ଜଣ ଇପ୍ଲିମେଣ୍ଟିଂ ଏଜେନ୍ସି ଓ ୧୧୬ଜଣ ଆକାଉଣ୍ଟ ଏକ୍ସପର୍ଟ ନିଯୁକ୍ତ ହୋଇଥିଲେ । ଏହି କର୍ମଚାରୀମାନଙ୍କ ଚାକିରି ଗତବର୍ଷ ସେପ୍ଟେମ୍ବର ମାସରୁ ନାହିଁ । ଯେଉଁ ସଂସ୍ଥା ଜରିଆରେ ଏହି କର୍ମଚାରୀମାନେ ନିଯୁକ୍ତ ହୋଇଥିଲେ ସେହି ସଂସ୍ଥାଙ୍କ ସହିତ ରାଜ୍ୟ ସରକାର ଚୁକ୍ତିନାମା ଶେଷ କରିଛନ୍ତି । ତେବେ ସେହି ସଂସ୍ଥାକୁ ପୁର୍ନବାର କାର୍ଯ୍ୟାଦେଶ ମିଳିବ ନାହିଁ ଏବଂ ଦୀର୍ଘଦିନ ଧରି ମୁକ୍ତା ଯୋଜନାରେ କାର୍ଯ୍ୟ କରିଥିବା ଯୁବକ ଯୁବତୀମାନେ ନିଯୁକ୍ତି ପାଇବେ କି ସେ ସଂକ୍ରାନ୍ତରେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି । ଏହା ଫଳରେ ମୁକ୍ତା ଯୋଜନାରେ ନୂଆ କାର୍ଯ୍ୟ ହାତକୁ ନେବା ତ ଦୂରରକଥା, ପୁରୁଣା କାର୍ଯ୍ୟର ରକ୍ଷଣା ବେକ୍ଷଣ କରିବାକୁ ବି କେହି ନାହାନ୍ତି ।

ଫଳରେ ମୁକ୍ତା ଯୋଜନାରେ ପୌରସଂସ୍ଥାରେ ଗଢି ଉଠିଥିବା ବିଭିନ୍ନ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି । ବର୍ଷାଜଳ ଅମଳ ପ୍ରକଳ୍ପ ମାଟିରେ ମିଶିଥିବାବେଳେ ପାର୍କଗୁଡିକର ଅବସ୍ଥା ମଧ୍ୟ ଅନୁରୂପ । ଏଣେ ବର୍ଷ ବର୍ଷ ଧରି ସରକାରଙ୍କୁ ସେବା ଯୋଗାଇଥିବା ଯୁବକ ଯୁବତୀମାନେ ବେକାର ହୋଇ ବୁଲୁଛନ୍ତି । ଯେହେତୁ ମୁକ୍ତା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି ତେଣୁ ନୂଆ ଏଜେନ୍ସି ଜରିଆରେ କର୍ମଚାରୀ ନିଯୁକ୍ତି ପାଇଁ ମତ ପ୍ରକାଶ ପାଉଛି ।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୂଆ ସଂସ୍ଥା ଜରିଆରେ କାର୍ଯ୍ୟ କରିବାପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଜାରି ହୋଇଥିବାବେଳେ ଏହାର ଅବଧି ବଢି ବଢି ଚାଲିଛି । ପ୍ରଥମେ ଜାନୁୟାରୀ ୧୭ ତାରିଖରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଫେବୃୟାରୀ ୧୦ ତାରିଖ ସୁଦ୍ଧା ଟେଣ୍ଡର ପକାଯିବାପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏଥିରେ ତିନିଥର ବୃଦ୍ଧି ହୋଇ ସାରିଲାଣି । ତେବେ ଦିନ ଯେତେ ଗଡିବ ମୁକ୍ତା ଯୋଜନାରେ ବିନିଯୋଗ ହୋଇଥିବା କୋଟି କୋଟି ଟଙ୍କା ପାଣିରେ ପଡିଯିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)