ଭୁବନେଶ୍ୱର : ଜାଲିଆତି କରି ମାଗଣା ଚାଉଳ ଉଠାଉଥିବା ସରକାରୀ କର୍ମଚାରୀ ଓ ସଂପନ୍ନ ବ୍ୟକ୍ତିମାନଙ୍କ ବିରୋଧରେ ଅପରାଧିକ ମାମଲା ସହିତ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ୍ଗତ ବ୍ୟବସ୍ଥା ରହିଛି । ଅଯୋଗ୍ୟ ହିତାଧିକାରୀମାନେ ତୁରନ୍ତ ରାସନ କାର୍ଡ ଫେରାଇବା ପାଇଁ ଯୋଗାଣ ମନ୍ତ୍ରୀ ଚେତାବନୀ ଦେବା ପରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର୨୦୧୩ ମସିହାରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ପ୍ରଣୟନ କରି ଏହାର ଆଧାରରେ ଖାଦ୍ୟ ସୁରକ୍ଷାରୁ ବଞ୍ôଚତ ବ୍ୟକ୍ତିମାନଙ୍କ ଲାଗି କିଲୋ ତିନିଟଙ୍କା ଦରରେ ମୁଣ୍ଡପିଛା ମାସିକ ୫ କିଲୋ କରି ଚାଉଳ କିମ୍ବା ଗହମ ଯୋଗାଣର ବ୍ୟବସ୍ଥାକରିଥିଲେ । ବିଭିନ୍ନ ରାଜ୍ୟ ସରକାର ଏହା ଉପରେ ରିହାତି ଦେଉଥିଲେ । ଓଡ଼ିଶା ସରକାର ଆଗରୁ ଏହି ଚାଉଳ ଉପରେ କିଲୋପିଛା ୨ଟଙ୍କା ରିହାତି ଦେଇ ହିତାଧିକାରୀମାନଙ୍କୁ ଟଙ୍କାଏ ମୂଲ୍ୟରେ ଚାଉଳ ଯୋଗାଉଥିଲେ । କିନ୍ତୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ କରି ସଂପୂର୍ଣ୍ଣ ମାଗଣାରେ ହିିତାଧିକାରୀମାନଙ୍କୁ ଚାଉଳ/ଗହମ ଯୋଗାଇବାର ବ୍ୟବସ୍ଥା କରିଥିଲେ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ସାରା ଦେଶରେ ୮୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାଗଣା ଚାଉଳ ଓ ଗହମ ଦିଆଯାଉଛି । ଓଡ଼ିଶାରେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଏବଂ ଗରିବ କଲ୍ୟାଣ ଅନ୍ନଯୋଜନା ମାଧ୍ୟମରେ ପ୍ରାୟ ୩କୋଟି ୩୫ଲକ୍ଷ ଲୋକଙ୍କ ଲାଗି ସରକାର ମାଗଣା ଚାଉଳ ବାଣ୍ଟୁଛନ୍ତି ।
ଇ-କେୱାଇସି ମାଧ୍ୟମରେ ହିତାଧିକାରୀମାନେ କଣ୍ଟ୍ରୋଲ ଦୋକାନରେ ଟିପଚିହ୍ନ ଦେବା ସହ ଆଧାର ଲିଙ୍କ୍ ଯୋଡ଼ିବାକୁ ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଲାଗୁ ହେବା ପରେ ଅନେକ ଅଯୋଗ୍ୟ ହିତାଧିକାରୀ ଏମିତିକି ମୃତ ହିତାଧିକାରୀ ବାଦ୍ ପଡିଛନ୍ତି । ଇ-କେୱାଇସି ପ୍ରକ୍ରିୟା ଚାଲୁ ରହିଥିବାରୁ ଓଡ଼ିଶାରେ ବାସ୍ତବରେ କେତେ ସଠିକ୍ ହିତାଧିକାରୀ ଅଛନ୍ତି ଓ କେତେ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡିଛନ୍ତି ତାହାର ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ମିଳିବ ।
ନିକଟରେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚାଇଛନ୍ତି ଯେ ବହୁ ସରକାରୀ କର୍ମଚାରୀ ମଧ୍ୟ ଏହି ଚାଉଳ ଉଠାଉଛନ୍ତି । ଏହାଛଡ଼ା ଆୟକର ଦେଉଥିବା ଅନେକ ଧନୀକ ବ୍ୟକ୍ତି ବି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଦୁରୁପଯୋଗ କରିଆସୁଛନ୍ତି । ଇ-କେୱାଇସିରେ ଧରାପଡ଼ିଯିବା ଭୟରେ ବହୁ ଅଯୋଗ୍ୟ ହିତାଧିକାରୀ କଣ୍ଟ୍ରୋଲ ଦୋକାନ ଦୁଆର ମାଡ଼ୁନଥିଲେ ମଧ୍ୟ କାର୍ଡ ଫେରାଉ ନାହାନ୍ତି । ଏମାନେ କାର୍ଡ ନଫେରାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ବହୁ ଗରିବ ଲୋକ ଏବେ ବି ଏହି ଯୋଜନାରେ ସାମିଲ ହୋଇପାରିନଥିବା ବେଳେ ସେମାନଙ୍କ ଆବେଦନ ବିଚାରାଧୀନ ରହିଛି ।
ଆଇନ୍ଗତ ବ୍ୟବସ୍ଥାନୁଯାୟୀ ଯେଉଁ ସରକାରୀ କର୍ମଚାରୀମାନେ ସରକାରୀ ଯୋଜନାର ଦୁରୁପଯୋଗ କରିଥିବେ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହିତ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇପାରିବ । ଆଇନ୍ ବିଶାରଦମାନେ କହୁଛନ୍ତି ଯେ ଅନ୍ୟ ଅଯୋଗ୍ୟ ହିିତାଧିକାରୀଙ୍କୁ ବି ଅଦାଲତର କାଠଗଡ଼ାକୁ ଟଣାଯାଇପାରିବ । ସରକାରଙ୍କୁ ଠକିଥିବା ଅଭିଯୋଗରେ ସେମାନଙ୍କ ଠାରୁ ଠକେଇ ବାବଦ ଅର୍ଥ ଆଦାୟ କରାଯିବା ସହିତ ଆଇନ୍ ଅଦାଲତ ଚାହିଁଲେ ଜେଲ୍ ଓ ଜରିମାନା ଦଣ୍ଡ ମଧ୍ୟ ଦେଇପାରିବେ । ଏହି ବ୍ୟବସ୍ଥାକୁ ବାଟମାରଣା କରିବା ପାଇଁ ଯେଉଁ ସରକାରୀ କର୍ମଚାରୀମାନେ ସହଯୋଗ କରିଥିଲେ ସେମାନଙ୍କ ବିରୋଧରେ ବି ବିଭାଗୀୟ କର୍ତ୍ତୃପକ୍ଷ ଚାହିଁଲେ ତଦନ୍ତ କରି ଦଣ୍ଡବିଧାନ କରାଇପାରିବେ । କେବଳ ଗରିବ କଲ୍ୟାଣ ଅନ୍ନଯୋଜନା ନୁହେଁ, ସରକାରଙ୍କ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନା, ଆବାସ ଯୋଜନା ଆଦିରେ ଯେଉଁମାନେ ଜାଲିଆତି କରି ଫାଇଦା ଉଠାଇଛନ୍ତି ସେମାନଙ୍କ ବିରୋଧରେ ବି ଆଇନ୍ଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । (ତଥ୍ୟ)