Home Cooperation ଅମ୍ବିକା ପ୍ରସାଦ ଦାସ ନାଫ୍‌ସକବ୍‌ର ନିର୍ଦ୍ଦେଶକ

ଅମ୍ବିକା ପ୍ରସାଦ ଦାସ ନାଫ୍‌ସକବ୍‌ର ନିର୍ଦ୍ଦେଶକ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ବରିଷ୍ଠ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଦାସ ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ମହାସଂଘ (ନାଫ୍‌ସକବ୍‌)ର ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ରାଜସ୍ଥାନର ଜୟପୁର ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ନାଫ୍‌ସକବ୍‌ର ବାର୍ଷିକ ଅଧିବେଶନରେ ନଫ୍‌ସକବ୍‌ର ଖାଲିଥିବା ୫ଟି ନିର୍ଦ୍ଦେଶକ ପଦବୀ ଲାଗି ନିର୍ବାଚନ ହୋଇଥିଲା । ଏଥିରେ ଶ୍ରୀ ଦାସ ଅନ୍ୟତମ ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ ଅଫିସର ଘୋଷଣା କରିଥିଲେ ।

ଜାତୀୟ ସ୍ତରରେ ସର୍ବୋଚ୍ଚ ସମବାୟ ସଂସ୍ଥାରେ ନିର୍ଦ୍ଦେଶକ ପଦବୀକୁ ନିର୍ବାଚିତ ହେବାରେ ଶ୍ରୀ ଦାସ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକମାତ୍ର ତଥା ପ୍ରଥମ ସମବାୟବିତ୍ ।

ଏହି ସଫଳତା ଲାଗି ଶ୍ରୀ ଦାସ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଓଏସ୍‌ସିବି ସଭାପତି ଟି.ପ୍ରସାଦରାଓ ଦୋରାଙ୍କ ସମେତ ଓଏସ୍‌ସିବି ପରିଚାଳନା ପରିଷଦର ସମସ୍ତ ସଦସ୍ୟ, ପରିଚାଳନା ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ନାଫ୍‌ସକବ୍‌ର ବୋର୍ଡ଼ ଅଫ୍ ଡାଇରେକ୍ଟର୍ସ ମିଟିଂ ସହିତ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି / ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

ଏହି ଅଧିବେଶନରେ ରାଜସ୍ଥାନର କୃଷିମନ୍ତ୍ରୀ ଲାଲ୍‌ଚାନ୍ଦ କାଟରିଆଙ୍କ ସମେତ ନାଫ୍‌ସକବ୍‌ର ଅଧ୍ୟକ୍ଷ କୋନ୍ଦୁରୁ ରବୀନ୍ଦର ରାଓ, ପରିଚାଳନା ନିର୍ଦ୍ଦେଶକ ଭୀମା ସୁବ୍ରମଣ୍ୟମ୍ ଉପସ୍ଥିତ ଥିଲେ । ରାଜସ୍ଥାନ ରାଜ୍ୟ ସମବାୟ ବ୍ୟାଙ୍କର ମୁଖ୍ୟ ପ୍ରଶାସକ ତଥା ସମବାୟ ବିଭାଗର ପ୍ରମୁଖ ସଚିବ ଶ୍ରେୟା ଗୁହା ବିଭିନ୍ନ ରାଜ୍ୟର ସମବାୟ ବ୍ୟାଙ୍କମାନଙ୍କର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ ।

୨୦୨୦-୨୧ ଓ ୨୦୨୧-୨୨ରେ ବିଭିନ୍ନ କ୍ଷେତ୍ରରେ ଉମ ପ୍ରଦର୍ଶନ ଲାଗି ପାକ୍ସ, କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲଗାତାର ଦୁଇବର୍ଷ ଉତ୍ତମ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଅଧିବେଶନରେ ଉପସ୍ଥିତ ଥିବା ବ୍ୟାଙ୍କ ସଭାପତି ଶ୍ରୀ ଦୋରା ଓ ନିର୍ଦ୍ଦେଶକ ଶ୍ରୀ ଦାସ ଅତିଥିମାନଙ୍କ ଠାରୁ ଏହି ପୁରସ୍କାର ଏବଂ ପ୍ରମାଣପତ୍ର ଗ୍ରହଣ କରିଥିଲେ ।